Wednesday , May 31 2023
Breaking News
Home / ବିଶେଷ / କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ୨ୟ ସାଧାରଣ ବୈଠକ

କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ୨ୟ ସାଧାରଣ ବୈଠକ

କେନ୍ଦ୍ରାପଡ଼ା, ୧୯/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଷଷ୍ଠ ଜିଲ୍ଲା ପରିଷଦର ଦ୍ୱିତୀୟ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦର ସଦସ୍ୟ/ସଦସ୍ୟା, ପଂଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ ଓ ବନ୍ଦେ ଉତ୍କଳ ଜନନୀ ଗାନ ପରେ ଜିଲ୍ଲାପାଳ ତାଙ୍କର ଅଭିଭାଷଣ ରଖିଥିଲେ । ବିଗତ ଜିଲ୍ଲା ପରିଷଦ ସାଧାରଣ ବୈଠକରେ ନିଆଯାଇଥିବା ନିଷ୍ପତିି/ସିଦ୍ଧାନ୍ତ ଗୁଡିକର ଅନୁପାଳନ ବିବରଣୀ ଦୃଢିକରଣ ପରେ ଆଲୋଚନା ଆରମ୍ଭ ହୋଇଥିଲା । ଜିଲ୍ଲା ପରିଷଦର ସଭାପତି ଶ୍ରୀମତୀ ସେଠୀ ଉପସ୍ଥିତ ଜନପ୍ରତିନିଧି ଓ ସରକାରୀ ପଦାଧିକାରୀମାନଙ୍କୁ ସ୍ୱାଗତ ଜଣାଇଥିଲେ । ବୈଠକରେ ମୁଖ୍ୟତଃ ଚଳିତ ବର୍ଷର ପ୍ରଳୟଙ୍କରୀ ବନ୍ୟା କ୍ଷୟକ୍ଷତିର ସମୀକ୍ଷା ଓ ବନ୍ଧବାଡି ମରାମତି, ଫସଲ କ୍ଷୟକ୍ଷତିର ସମୀକ୍ଷା ଓ ନିରାକରଣ, ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କରେ ବିଷଦ ଭାବେ ଆଲୋଚନା ହୋଇଥିଲା । କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁଥିବା ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅନୁଦାନ ରାଶି ପ୍ରଦାନ କରିଥିବାରୁ ରାଜନଗର ବିଧାୟକ ଶ୍ରୀ ସାହୁ ଓ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସେଠୀ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରଳୟଙ୍କରୀ ବନ୍ୟା ପ୍ରଭାବକୁ ପ୍ରତିହତ କରିବା କ୍ଷେତ୍ରରେ ଜନପ୍ରତିନିଧି, ଜଳସେଚନ ବିଭାଗର ଅଧିକାରୀ, କର୍ମଚାରୀ ଓ ଜିଲ୍ଲାପାଳଙ୍କୁ ରାଜନଗର ବିଧାୟକ ଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ । ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସେ ଆଶାବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସଂଙ୍କ୍ରାମକରୋଗ ଚିକିତ୍ସା ଗୃହକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଅପରାହ୍ନ ୫ଟା ୩୦ମିନିଟ ସମୟରେ ଆଭାଷୀ ମାଧ୍ୟମରେ ଲୋକାର୍ପଣ କରିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ପକ୍ଷରୁ ପ୍ରଦାନ କରାଯାଉଥିବା ବୈଠକ ନୋଟିସ ସହ ପ୍ରତ୍ୟେକ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ପୂର୍ବ ବୈଠକର ଏ.ଟି.ଆର.(ଆକ୍ସନ ଟେକେନ ରିପୋର୍ଟ) ଗୁଡିକ ପ୍ରଦାନ କରିବା ପାଇଁ ଜିଲ୍ଲା ପରିଷଦ ସଦସ୍ୟମାନେ ଦାବି କରିଥିଲେ । ଏ.ଏନ.ଏମ. ଓ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି, ବି.ଏସ.କେ.ୱାଇ. କାର୍ଡ ମାଧ୍ୟମରେ ଦରିଦ୍ରଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଉଚିତ ପଦକ୍ଷେପ ନେବା, ଡାକ୍ତରଖାନା ଗୁଡିକର ଭିତିଭୂମୀ ସୁଦୃଢ କରିବା ସମ୍ପର୍କରେ ସଦସ୍ୟମାନଙ୍କ ଅଭିଯୋଗ ଗୁଡିକ ବିଷୟରେ ବୈଠକରେ ଆଲୋଚନା କରାଯାଇ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲ୍ଲା ପରିଷଦ ସଭାପତି ନିର୍ଦେଶ ଦେଇଥିଲେ । ଶିକ୍ଷକ ଅଭାବ, ପଟ୍ଟାମୁଣ୍ଡାଇ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ, ନୂତନ ଶିକ୍ଷକ ନିଯୁକ୍ତି, ୫-ଟି ରୂପାନ୍ତରିକରଣ ମାଧ୍ୟମରେ ହାଇସ୍କୁଲ ଗୁଡିକର ରକ୍ଷଣାବେକ୍ଷଣ, ପ୍ରାଥମିକ ସ୍କୁଲ ଗୁଡିକରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଓ ମରାମତି ବିଷୟରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ଜଳକ୍ଳିଷ୍ଟ ଗ୍ରାମାଂଚଳରେ ନଳକୂପ ଖନନ କରିବାକୁ ଗ୍ରାମପଂଚାୟତ ସ୍ତରରେ ନିଷ୍ପତି ଗ୍ରହଣ କରିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଜିଲ୍ଲା ପରିଷଦର ଉପସଭାପତି ଶ୍ରୀ ପ୍ରତିହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.