Wednesday , May 31 2023
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଓ ଆଲୋଚନା

କେନ୍ଦ୍ରାପଡା ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଓ ଆଲୋଚନା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ଗୃହର ଆସନ୍ତାକାଲି ଉଦଘାଟନ ହେବାକୁ ଯାଉଛି । ଆଜି କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଉଦଘାଟିତ ହେବାକୁ ଥିବା ନୂତନ ଚିକିତ୍ସାଳୟର ପରିସରକୁ ପରିଦର୍ଶନ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଏହି ଡାକ୍ତରଖାନା କେନ୍ଦ୍ରାପଡାବାସୀଙ୍କର ବହୁ ଦିନର ଦାବି ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ପୁରଣ କରିପାରିିବ ନା ନାହିଁ ସେ ନେଇ କମିଟି ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି । ପ୍ରଥମତଃ ନୂତନ ହସପିଟାଲ ପାଇଁ ଜଣେ ବି ଡାକ୍ତର ନିଯୁକ୍ତ ନହୋଇଥିବା କାରଣରୁ ଏହା କିପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ରୋଗୀଙ୍କର ଆବଶ୍ୟକତା ପୁରଣ କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦ୍ୱିତୀୟତଃ ରୋଗ ନିରୂପଣ ପାଇଁ ଲାବରେଟୋରୀ ଓ ନୈଦାନୀକ ପରୀକ୍ଷଣର ସୁବିଧା ନରହିଲେ ପୂର୍ବପରି ରୋଗୀମାନଙ୍କୁ ସାଧାରଣ ଚିକିତ୍ସା ପାଇଁ ମଧ୍ୟ କଟକ/ଭୁବନେଶ୍ୱରର ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡିବ । ଏଣୁ ନୂତନ ହସପିଟାଲ ଉଦଘାଟନ ସହିତ ବିଭିନ୍ନ ବିଭାଗରେ ବିଶେଷଜ୍ଞ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଲାବୋରେଟୋରୀ ଓ ଆଧୁନିକ ଚିକିତ୍ସା ଉପକରଣ ଏହି ନୂତନ ହସପିଟାଲକୁ ଯୋଗାଇ ଦିଆଯିବାକୁ କମିଟି ପକ୍ଷରୁ ସରକାରଙ୍କ ନିକଟରେ ଦୃଢ ଦାବି କରାଯାଇଛି । ଏଥିସହିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସମସ୍ତ ଡାକ୍ତର ଓ ଡାକ୍ତରୀ ଯନ୍ତ୍ରପାତି ନୂତନ ହସପିଟାଲ ଗୃହକୁ ଉଠାଇ ଅଣାଯିବା ପରେ ସେହି ପୁରୁଣା ଡାକ୍ତରଖାନାକୁ ଏକ ସହରାଂଚଳ (ଅର୍ବାନ) ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୂପାନ୍ତରିତ କରାଯିବାକୁ ସରକାରଙ୍କର ଥିବା ଯୋଜନାକୁ କମିଟି ପକ୍ଷରୁ ନାପସନ୍ଦ କରାଯାଇଛି । ୫୦ହଜାରରୁ ଉଦ୍ଧ୍ୱର୍ ଜନସଂଖ୍ୟା ବିଶିଷ୍ଟ କେନ୍ଦ୍ରାପଡା ପୌରାଂଚଳ ତଥା ସଦର ମହକୁମାର ସ୍ୱାସ୍ଥ୍ୟସେବା କେବଳ ଜଣେ ଡାକ୍ତରରେ କିପରି ଚାଲିପାରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ କମିଟି ପକ୍ଷରୁ ଡାକ୍ତରଖାନାର ପୂର୍ବ ଭିତିଭୂମୀକୁ ଏକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ରୂପାନ୍ତର କରି ଆବଶ୍ୟକୀୟ ଡାକ୍ତର ଓ ଡାକ୍ତରୀ ଯନ୍ତ୍ରାଂଶ ଯୋଗାଇ ଦେବାକୁ ଏବଂ ରାଜ୍ୟରେ ଡାକ୍ତରଙ୍କ ଅଭାବ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରାଯିବା ପାଇଁ କମିଟି ପକ୍ଷରୁ ସରକାରଙ୍କ ପାଖରେ ଦୃଢ ଦାବି କରାଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଅଧ୍ୟାପକ ଅଜୟ ସାମଲ, ରମଣୀରଞ୍ଜନ ରାଉତରାୟ, ଫକିର ଚରଣ ଖଟୁଆ, ପ୍ରଫୁଲ୍ଲ କୁମାର ଦାସ, ଆଦିକନ୍ଦ ରାଉଳ, ନିରଞ୍ଜନ ମେକାପ, ସାମ୍ବାଦିକ ଚିତରଞ୍ଜନ ଦାସ, ଅମୀୟ ନାୟକ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published.