Thursday , June 1 2023
Breaking News
Home / କୃଷି / କନ୍ଧମାଳ ହଳଦୀକୁ ମିଳିଲା ଏନଆଇପି ଆୱାର୍ଡ – Kandhamal herb won NIP Award

କନ୍ଧମାଳ ହଳଦୀକୁ ମିଳିଲା ଏନଆଇପି ଆୱାର୍ଡ – Kandhamal herb won NIP Award

ଭୁବନେଶ୍ୱର, ୧୮/୧୦/୨୦୨୨ (ଓଡ଼ିଶା ସମାଚାର)- ଓଡ଼ିଶାର ପ୍ରସିଦ୍ଧ କନ୍ଧମାଳ ହଳଦୀକୁ ମିଳିଲା ଏନଆଇପି ଆୱାର୍ଡ । କୃଷିବର୍ଗରେ ସର୍ବାଧିକ ଭୋଟ୍ ପାଇ ଏହି ପୁରସ୍କାର ପାଇଛି କନ୍ଧମାଳ ହଳଦୀ । ୨୦୨୧- ୨୨ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶନିବାର ନୂଆଦିଲ୍ଲୀ ଠାରେ ଆଇପି କନଫରେନ୍ସରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଏହାକୁ ଗ୍ରହଣ କରିବା ଲାଗି ଓଡ଼ିଶାରୁ କୌଣସି ପ୍ରତିନିଧି ଉପସ୍ଥିତ ନ ଥିଲେ । ଜିଆଇ ଉପରେ କାମ କରୁଥିବା ଗବେଷିକା ଡ. ଅନୀତା ସାବତ କହିଛନ୍ତି, ଏହା ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ବହୁତ ବଡ଼ ଗର୍ବର କଥା । ଅଧିକ ମାତ୍ରାରେ ପ୍ରଚାର, ପ୍ରସାର ହୋଇପାରିଥିଲେ ଆମେ ଅନ୍ୟ ବର୍ଗରେ ବି ପୁରସ୍କାର ହାସଲ କରିପାରିଥାଆନ୍ତେ । ସେ କହିଛନ୍ତି, ପ୍ରଥମ ଥର ପାଇଁ ଜିଆଇ ମାନ୍ୟତା ପାଇଥିବା ସାମଗ୍ରୀକୁ ନେଇ ନ୍ୟାସନାଲ୍ ଇଂଟଲେକଚୁଆଲ୍ ପ୍ରପର୍ଟି (ଏନଆଇପି) ଆୱାର୍ଡସ୍ ଆୟୋଜିତ ହୋଇଥିଲା । ଏଥିପାଇଁ ସାରା ଦେଶରେ ଭୋଟିଂ ମାଧ୍ୟମରେ ଜନମତ ସର୍ଭେ ଚାଲିଥିଲା । ଏଥିରେ ସର୍ବାଧିକ ଭୋଟ୍ ପାଇଥିବା ଜିଆଇ ସାମଗ୍ରୀଗୁଡ଼ିକୁ ପୁରସ୍କୃତ କରାଯାଇଛି । ଏଥିପାଇଁ ସାରା ଦେଶରେ ମୋଟ୍ ଜିଆଇ ପାଇଥିବା ସାମଗ୍ରୀକୁ ୫ ଟି ବର୍ଗରେ ବିଭକ୍ତ କରାଯାଇଥିଲା । ଏଥିରେ ରହିଥିଲା କୃଷି, ଖାଦ୍ୟ, ହସ୍ତକଳା, ଉତ୍ପାଦିତ ସାମଗ୍ରୀ ଏବଂ ନ୍ୟାଚୁରାଲ୍ । ପ୍ରତି ବର୍ଗରେ ବିଭିନ୍ନ ଜିଆଇ ସାମଗ୍ରୀ ରହିଥିଲା । ଏଥିରେ ଓଡ଼ିଶାର ୧୭ଟି ଜିଆଇ ସାମଗ୍ରୀ ସାମିଲ ହୋଇଥିଲା । ଆମ ପାଇଁ ବଡ଼ କଥା ଥିଲା ୫ଟି ବର୍ଗରୁ ୪ଟି ବର୍ଗରେ ଓଡ଼ିଶାର ଜିଆଇ ସାମଗ୍ରୀ ଥିବାବେଳେ କେବଳ ନ୍ୟାଚୁରାଲ୍ ବର୍ଗରେ ଓଡ଼ିଶାର କୌଣସି ଜିଆଇ ସାମଗ୍ରୀ ସାମିଲ ନ ଥିଲା । କୃଷି ବର୍ଗରେ ଓଡ଼ିଶାର ୩ଟି ସାମଗ୍ରୀ ଯଥା କନ୍ଧମାଳ ହଳଦୀ, ଗଞ୍ଜାମର କେୱଡ଼ା ଫ୍ଲାୱାର ବା କିଆ ଫୁଲ (କେତକୀ) ଏବଂ ଆର୍କୁ ଭ୍ୟାଲି ଆରବିକା କଫି ରହିଥିଲା । ସେହିପରି ଖାଦ୍ୟ ବର୍ଗରେ ଏକମାତ୍ର ଓଡ଼ିଶାର ରସଗୋଲା ସ୍ଥାନ ପାଇଥିଲା । ହସ୍ତକଳାରେ ୧୨ଟି ସାମଗ୍ରୀ ସ୍ଥାନ ପାଇଥିବାବେଳେ ୯ଟି ହସ୍ତତନ୍ତ ଏବଂ ୩ଟି ହସ୍ତକଳା ସାମଗ୍ରୀ ରହିଥିଲା । ଉତ୍ପାଦିତ ସାମଗ୍ରୀରେ ଗଞ୍ଜାମର କେୱଡ଼ା ରୁହ ସ୍ଥାନ ପାଇଥିଲା ।

Leave a Reply

Your email address will not be published.