୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ସକାଳ ୯ରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଯାଞ୍ଚ ଚାଲିବ
ଭୁବନେଶ୍ୱର, ୧୮/୧୦/୨୦୨୨(ଓଡ଼ିଶା ସମାଚାର)- ସୁପ୍ରିମ୍ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ସୁପାରିଶ ଅନୁସାରେ ଚଳିତ ମାସ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ମୋଟର ଯାନ ଯାଞ୍ଚ ଅଭିଯାନ ଆରମ୍ଭ ହେବ। ଏହି ସମୟରେ ସିଟ ବେଲ୍ଟ ଓ ହେଲମେଟ, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର, ଅଧିକ ବେଗରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଧରାଯିବ। ଏହି ଯାଞ୍ଚ ସମ୍ପର୍କରେ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ସକାଳ ୯ରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଯାଞ୍ଚ ଚାଲିବ। ଜାତୀୟ ଓ ରାଜ୍ୟ ରାଜପଥ ସମେତ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଅଧିକ ଯାଞ୍ଚ କରାଯିବ। ଆବଶ୍ୟକ ସ୍ଥଳେ ପୁଲିସ ସହାୟତା ନିଆଯିବ। ଏହି ସମୟରେ ଧରାପଡୁଥିବା ନିୟମ ଉଲ୍ଲଘଂନକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ତିନି ମାସ ପାଇଁ ନିଶ୍ଚିତ ଭାବେ ବାତିଲ କରାଯିବ। ଡିଏଲ୍ ନଥିଲେ ଗାଡ଼ି ଜବତ କରାଯିବ। ଯାଞ୍ଚର ଫଳାଫଳ ସମ୍ପର୍କିତ ରିପୋର୍ଟ ପରିବହନ କମିଶନରଙ୍କ ନିକଟରେ ଦାଖଲ କରିବା ଜରୁରୀ ହେବ ବୋଲି ଏଥିରେ କୁହାଯାଇଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ବିଭିନ୍ନ ପର୍ଯ୍ୟାୟରେ ପରିବହନ ବିଭାଗ ପକ୍ଷରୁ ଯାନ ବାହନ ଯାଞ୍ଚ କରାଯାଉଛି। ପରିଣାମ ସ୍ୱରୂପ ପୂର୍ବ ତୁଳନାରେ ଚଳିତ ବର୍ଷ ଦୁର୍ଘଟଣା ମୃତ୍ୟୁ ପରିମାଣ ୪% ହ୍ରାସ ପାଇଛି। ଓଡ଼ିଶାରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟି ପ୍ରତି ବର୍ଷ ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ଯାଞ୍ଚ ଅଭିଯାନ ଚଳାଇବା ପାଇଁ ସୁପ୍ରିମ୍ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ନିର୍ଦ୍ଦେଶ ଦେଇଛନ୍ତି।