ଜୁନାଗଡ଼ , ୧୭/୧୦/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଅଭାବନୀୟ ଘଟଣା ଘଟିଛି । ଜୟପାଟଣା ଡାକ୍ତରଖାନାରୁ ଜଣେ ହଇଜା ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ବିଳମ୍ବିତ ରାତିରେ ଭବାନୀପାଟଣା ଡାକ୍ତରଖାନା ନେଉଥିବା ସମୟରେ ଜୁନାଗଡ଼ ବ୍ଲକ ମହିଚଳା ମଣ୍ଡି ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ଆମ୍ବୁଲାନ୍ସ। ଫଳରେ ରୋଗୀଙ୍କ ସମେତ ଜଣେ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଜୟ ପାଟଣା ବ୍ଲକ କପୁର ମାଲ୍ ଗାଁ ର ସୁମିତ୍ରା ଦୂର୍ଗା(୫୦) ଙ୍କୁ ଝାଡ଼ା ଓ ଜ୍ଵର ହଉଥିବା ରୁ ପରିବାର ଲୋକେ ରବିବାର ଜୟ ପାଟଣା ଡାକ୍ତର ଖାନା ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେଠାରୁ ଭଵାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତର ଖାନା କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ନେଉଥିବା ବେଳେ ଜୁନାଗଡ ଥାନା ମହିଚଲା ଗ୍ରାମ ନିକଟସ୍ଥ ଏକ ତାଳ ଗଛରେ ଉକ୍ତ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ପିଟି ହୋଇଥିଲା । ଫଳରେ ଗାଡି ରେ ରହିଥିବା ଆମ୍ବୁଲାନ୍ସ କର୍ମଚାରୀ ଏବ୍ଂ ରୋଗୀ ପରିବାର ଲୋକେ ଆହତ ହୋଇଥିଲେ । ଘଟଣା ସ୍ଥଳ ରେ ସୁମିତ୍ରା ଦୂର୍ଗା ଙ୍କ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସ କର୍ମଚାରୀ କୁ ଭବାନୀପାଟଣା ନେଉଥିବା ବେଳେ ମୃତ୍ୟୁ ହେଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ଉପସ୍ଥିତ ହୋଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।