ଭୁବନେଶ୍ୱର,୧୫/୧୦/୨୦୨୨ (ଓଡ଼ିଶା ସମାଚାର)-ଗତ କିଛି ଦିନ ଧରି ରାଜ୍ୟରେ ଜଣେ ମହିଳାଙ୍କ ଦ୍ୱାରା ହନିଟ୍ରାପ ଏବଂ ଯୁବତୀମାନଙ୍କୁ ଦେଇ ବ୍ୟବସାୟରେ ବ୍ୟବହାର କରିବା ଭଳି ଲଜ୍ୟାଜନକ ଘଟଣା ସଂପର୍କରେ ବିଶେଷ ଆଲୋଚନା ହେଉଛି । ଏ ସମ୍ପର୍କରେ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ଏକ ବିବୃତିି ରେ କହିଛନ୍ତି ଯେ ସବୁଠାରୁ ଉଦବେଗଜନକ ବିଷୟ ହେଉଛି ଦେହ ବ୍ୟବସାୟ ଓ ହନିଟ୍ରାପରେ ରାଜ୍ୟର ରାଜନେତା, ପ୍ରଶାସକ, ପୋଲିସ ଅଫିସର ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସଂପୃକ୍ତି । ବିଶେଷ କରି ରାଜ୍ୟର ଦୁଇ ଶାସକଦଳ ବିଜେଡି ଓ ବିଜେଡି ନେତାମାନଙ୍କର ର୍ୟାକେଟ ଚଳାଉଥିବା ମହିଳାଙ୍କ ସହ ନିବିଡ ଓ ଅନ୍ତରଙ୍ଗ ସମ୍ପର୍କ ଯୋଗୁଁ ଖୁବ୍ କମ ସମୟ ମଧ୍ୟରେ ସେ ର୍ୟାକେଟ୍ ଚାଳିକା ଓ ତାଙ୍କ ସହଯୋଗୀମାନେ ଏକ ବିରାଟ କଳଙ୍କିତ ସାମ୍ରାଜ୍ୟ ସୃଷ୍ଟି କରିପାରିଛନ୍ତି । ଏଥିରେ ଉଭୟ ଦଳର ବିଧାୟକ, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ ଓ ରାଜନେତାମାନେ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରି ସାମ୍ରାଜ୍ୟ ବୃଦ୍ଧିରେ ସାହାଯ୍ୟକାରୀ ହୋଇଛନ୍ତି । ଯେଉଁ ବିଧାୟକ, ରାଜନେତା ଏବଂ ମନ୍ତ୍ରୀମାନେ ନିଜର ଲାଳସା ତୃପ୍ତି ପାଇଁ କୋଟି କୋଟି ଟଙ୍କା ରାଜା ମହାରାଜାଙ୍କ ପରି ଖର୍ଚ୍ଚ କରିବା ପାଇଁ ସକ୍ଷମ ହେଲେ ସେ ଅର୍ଥ କାହାର ? ଏଥିରୁ ରାଜ୍ୟରେ ଉଚ୍ଚ ସ୍ତରରେ ଦୂର୍ନୀତିରୁ ଆସୁଥିବା କଳାଟଙ୍କା କିପରି ବ୍ୟାପକ ହୋଇଛି ତାହା ପ୍ରମାଣିତ କରୁଛି ।
କେତେକ ରାଜନୈତିକ ନେତା, ମନ୍ତ୍ରୀ ଓ ବିଧାୟକମାନଙ୍କର ଏଥିରେ ସଂପୃକ୍ତି ଓଡିଶାର ସମ୍ମାନରେ ଆଂଚ ଆଣିଛି । ଏଭଳି କୁତ୍ସିତ କାର୍ଯ୍ୟରେ ଶାସକ ଦଳ ନେତାମାନଙ୍କର ସଂପୃକ୍ତି ଅଭିଯୋଗ ନୁଆ ନୁହେଁ । କିନ୍ତୁ ବର୍ତମାନର ଘଟଣାରେ ଏତେ ସଂଖ୍ୟକ ରାଜନେତା, ବିଧାୟକ, ମନ୍ତ୍ରୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ସଂପୃକ୍ତି ଯୋଗୁଁ ସମଗ୍ର ରାଜ୍ୟ ଚକିତ ହୋଇଯାଇଛି । କ୍ଷମତା ବଳରେ ଅନ୍ଧ, ବିଜେଡି ଓ ବିଜେପି ଦଳର ନେତାମାନେ ନିଜକୁ ନିରଙ୍କୁଶ ଓ ଅପ୍ରତିଦ୍ୱନ୍ଦି ବୋଲି ବିଚାର କରୁଛନ୍ତି ।
ସ୍ୱଚ୍ଛ ଓ ଦୂର୍ନିତୀମୁକ୍ତ ଶାସନ ବୋଲି ଦାବି କରୁଥିବା ନବୀନ ପଟ୍ଟନାୟକଙ୍କ ଶାସନରେ ଏହା ହେଉଛି ସବୁଠାରୁ କୁତ୍ସିତ ଏବଂ କଳଙ୍କିତ ଅଧ୍ୟାୟ । ଏହି ଘଟଣାରେ କେନ୍ଦ୍ର ଓ ରାଜ୍ୟ ସରକାରରେ ଥିବା ଶାସକ ଦଳ ସହିତ ପ୍ରଶାସନିକ ଓ ପୋଲିସ ଅଫିସରମାନଙ୍କ ସଂପୃକ୍ତି ଅଭିଯୋଗ ହେଉଥିବାରୁ କେନ୍ଦ୍ର କିମ୍ବା ରାଜ୍ୟର ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ ସ୍ୱଚ୍ଛ ଓ ନିରପେକ୍ଷ ନହେବା ଆଶଙ୍କା ରହିଛି ।
ଅତଏବ, ଘଟଣାକୁ ହାଇକୋର୍ଟଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍.ଆଇ.ଟି) ଦ୍ୱାରା ତଦନ୍ତ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ ସମ୍ପାଦକମଣ୍ଡଳୀ ଦାବି କରୁଛି । ଆଜି ପାର୍ଟି ରାଜ୍ୟ ଦପ୍ତରରେ ଅନୁଷ୍ଠିତ ସମ୍ପାଦକମଣ୍ଡଳୀ ବୈଠକରେ ଏହି କଳଙ୍କିତ ଘଟଣା ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ ପାଇଁ ଆହ୍ୱାନ ଦିଆଯାଇଛି । ଓଡ଼ିଶା ସମାଚାର
Home / ରାଜନୀତି / ହନିଟା୍ରପରେ ସଂପୃକ୍ତ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ସମ୍ପର୍କରେ ଏସ୍.ଆଇ.ଟି. ତଦନ୍ତ ପାଇଁ ସି.ପି.ଆଇ.(ଏମ୍)ର ଦାବି