ପାଣି ସାହିତ୍ୟକୁ ଇଂଗ୍ରାଜୀ ଭାଷାରେ ଅନୁବାଦ ପାଇଁ ପ୍ରତାପ ଜେନାଙ୍କ ଉଦ୍ୟମ ପ୍ରଶଂସନୀୟ
ମାହାଙ୍ଗା ୧୪/୧୦/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ଓଡ଼ିଆ ଗୀତିନାଟ୍ୟ ଜଗତର ଅପ୍ରତିଦ୍ଵନ୍ଦୀ ସ୍ରଷ୍ଟା ଗଣକବି ବୈଷ୍ଣବ ପାଣି ବିଶ୍ୱର ଅନ୍ୟତମ ସଫଳ ଲେଖକ । ୩ ଶହରୁ ଉର୍ଦ୍ଧ୍ଵ ନାଟକ, କାବ୍ୟ, ପ୍ରବନ୍ଧ, ଉପନ୍ୟାସ, ଆତ୍ମଜୀବନୀ, ଭଜନ, ଜଣାଣ ଆଦି ଅମୂଲ୍ୟ ସୃଷ୍ଟି ପାଇଁ ସେ ଚିରକାଳ ପୂଜା ପାଉଥିବେ । ଓଡ଼ିଆ ଭାଷାର ଏଭଳି ଜଣେ ଦିଗ୍ଗଜ ସ୍ରଷ୍ଟାଙ୍କ ସାମଗ୍ରିକ ସୃଷ୍ଟିକୁ ଇଂଗ୍ରାଜୀ ଭାଷାରେ ଅନୁବାଦ କରାଯିବାସହ, ତାଙ୍କ ଗୀତିନାଟ୍ୟ ଓ ସୁଆଙ୍ଗ କିପରି ପୃଥିବୀର ବିଭିନ୍ନ କୋଣ ଅନୁକୋଣରେ ପହଂଚି ପାରିବ, ସେଥିପାଇଁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଉଦ୍ୟମ ଆରଂଭ କରିଥିବା ସୂଚନା ମିଳିଛି । ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ମାହାଙ୍ଗା ଆନୁକୂଲ୍ୟରେ ଆୟୋଜିତ କବିଙ୍କ ୧୪୦ ତମ ଜୟନ୍ତୀ ସମାରୋହରେ ପଞ୍ଚାୟତିରାଜ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବାସୁଦେବପୁର ନାକେଇଶୁଣି ପୀଠରେ ଅନୁଷ୍ଠିତ ଏହି ଉତ୍ସବରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଅମାତ କହିଲେ ମାହାଙ୍ଗା ମାଟିରେ ବୈଷ୍ଣବ ପାଣିଙ୍କୁ ନେଇ ଯେଉଁ ସାଂସ୍କୃତିକ ଆନ୍ଦୋଳନ ଗଢି ଉଠିଛି, ଏହା ସମଗ୍ର ରାଜ୍ୟକୁ ପ୍ରଭାବିତ କରିପାରିଛି ।
ମାହାଙ୍ଗା ଏଭଳି ଏକ କଳା ସଂସ୍କୃତି ସମ୍ପନ୍ନ ଅଞ୍ଚଳ ଯେଉଁଠି ଆଜି ହଜାର ହଜାର ମହିଳା ଓ ପୁରୁଷ ରାତି ଉଜାଗର ରହି ସାହିତ୍ୟ ଚର୍ଚ୍ଚା ଶୁଣୁଛନ୍ତି ଓ ଗୀତିନାଟ୍ୟ ଦେଖୁଛନ୍ତି ଏହା କମ ଗୌରବର କଥା ନୁହେଁ । ବିଧାୟକ ଶ୍ରୀ ଜେନା କହିଲେ ଆମେ ରାଜନୀତିରେ ଯେତେ ଉପରକୁ ଗଲେ ମଧ୍ୟ ସମାଜରେ କ୍ରାନ୍ତି ଆଣିବାରେ ଓ ସାଧାରଣ ଜନଜୀବନର କଥାକୁ ନାଟକ ମାଧ୍ୟମରେ ପ୍ରକାଶ କରିବା କ୍ଷେତ୍ରରେ ବୈଷ୍ଣବ ପାଣି ଜଣେ ଅନନ୍ୟ ସ୍ରଷ୍ଟା । ମୁଖ୍ୟବକ୍ତା ଭାବରେ ତାଙ୍କ ଭାଷଣରେ ବିଶିଷ୍ଟ ସାହିତ୍ୟିକ ଦାସ ବେନୁହୁର କହିଲେ ୧୨୦ ବର୍ଷ ତଳେ ଗଣକବି ଯେଉଁ ନାଟକ ରଚନା କରିଥିଲେ ଓ ମଞ୍ଚସ୍ଥ କରାଉଥିଲେ ଆଜିବି ସେହି ନାଟକରେ ଚମକ ଅତୁଟ ରହିଛି ।
ଭାବ ଭାଷା ଶବ୍ଦ ଚୟନ ସବୁଥିରେ ବୈଷ୍ଣବ ପାଣି ଧୂରୀଣ ଥିଲେ । ବିଶ୍ୱର ଶ୍ରେଷ୍ଠ ୫ଜଣ ନାଟ୍ୟକାରଙ୍କ ଭିତରୁ ଗଣକବି ଅନ୍ୟତମ କହିଲେ ଭୁଲ ହେବନି । ଉତ୍ସବରେ ଅନ୍ୟତମ ଅତିଥି ଭାବେ ଚଳଚିତ୍ର ଅଭିନେତ୍ରୀ ପୁନମ ମିଶ୍ର ଓ ହାସ୍ୟ ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲାପରିଷଦ ସଭ୍ୟ ରିଆଜୁଲ ହୋଦା, ସୁସ୍ମିତା ଦାସ, ଜଗବନ୍ଧୁ ସେଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା,ଗୀତିକାର ବିଶ୍ୱେଶ୍ୱର ମହାନ୍ତି, ସରପଞ୍ଚ ଅନୁସୂୟା ଦାସ, ସମାଜସେବୀ ବୈଷ୍ଣବ ଚରଣ ମହାନ୍ତି, ସାମ୍ବାଦିକ ଅଖିଳେଶ ମହାନ୍ତି, ସଂସଦର ସାଧାରଣ ସମ୍ପାଦକ ହୃଷିକେଶ ସ୍ୱାଇଁ,ସଂଯୋଜକ ପନଂଗ ଭୂଷଣ ଦାସ, ଉପେନ୍ଦ୍ର ନାଥ ରଣା, ଯୁବନେତା ଭବାନୀ ପ୍ରସାଦ ସାମଲ, ଦୀନବନ୍ଧୁ ସାହୁ, ପ୍ରମୁଖ ଗଣକବିଙ୍କ କୃତୀ ଓ କୀର୍ତ୍ତିର ମୂଲ୍ୟାୟନ କରିଥିଲେ । ଗଣକବିଙ୍କ ନାଟକରେ ଅଭିନୟ କରିଥିବା ଓ ନିର୍ଦ୍ଦେଶନା ତଥା ବାଦ୍ୟଯନ୍ତ୍ରରେ ଭଲ ପ୍ରଦର୍ଶନ କରିଥିବା ୨୦ ରୁ ଉର୍ଦ୍ଧ୍ଵ କଳାକାରଙ୍କୁ ଗଣକବି ସମ୍ମାନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଶା ସମାଚାର