Wednesday , May 31 2023
Home / ପର୍ଯ୍ୟଟନ ଓ ସଂସ୍କୃତି / ରାସ୍ତା ପାର୍ଶ୍ୱ ସୁନ୍ଦରସ୍ଥାନ ଚିହ୍ନଟ ପାଇଁ ନିର୍ଦ୍ଧେଶ

ରାସ୍ତା ପାର୍ଶ୍ୱ ସୁନ୍ଦରସ୍ଥାନ ଚିହ୍ନଟ ପାଇଁ ନିର୍ଦ୍ଧେଶ

ଭୁବନେଶ୍ୱର,୧୩/୧୦/୨୦୨୨ (ଓଡ଼ିଶା ସମାଚାର)-ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ଅବିବୃଦ୍ଧି କ୍ଷେତ୍ରରେ ଅନ୍ୟଏକ ପଦକ୍ଷେପ ଭାବେ ରାସ୍ତାପାର୍ଶ୍ୱ ସୁବିଧା କେନ୍ଦ୍ର ଗୁଡ଼ିକର ଉତମ ପରିଚାଳନା ଓ ରକ୍ଷଣାବେକ୍ଷଣ ନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଧେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଏ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସେ ଏହି ନିର୍ଦ୍ଧେଶ ଦେଇଛନ୍ତି । ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ ରାଜ୍ୟର ବିଭିନ୍ନ ରାଜପଥ ଏବଂ ପର୍ଯ୍ୟଟନ ସ୍ଥଳୀକୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କ ପାର୍ଶ୍ୱରେ ବର୍ତମାନ ସୁଦ୍ଧା ୮୪ ଟି ରାସ୍ତାପାର୍ଶ୍ୱ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି । ଏସବୁ କେନ୍ଦ୍ରରେ ଗାଡି ପାର୍କିଂ, ମହିଳା ଓ ପୁରୁଷ ଶୌଚାଳୟ, ପ୍ରସାଧନ ସ୍ଥାନ, ବସିବା ସ୍ଥାନ, ଚା କଫି ଓ ଜଳଖିଆ ଆଦି ସ୍ଥାନ ନିର୍ମାଣ କରାଯାଇଛି । ଏଥିମଧ୍ୟରୁ ୩୫ ଟି କେନ୍ଦ୍ର ପର୍ଯ୍ୟଟନ ବିଭାଗ ଏବଂ ୪୯ ଟି କେନ୍ଦ୍ର ପୂର୍ତବିଭାଗ ମାଧ୍ୟମରେ ନିର୍ମାଣ କରାଯାଇଛି । ଏହାଛଡ଼ା ପ୍ରକୃତି ପର୍ଯ୍ୟଟନ-ସ୍ଥଳୀ ମାନଙ୍କରେ ଜଙ୍ଗଲ ଓ ପରିବେଶ ବିଭାଗ ମାଧ୍ୟମରେ ମଧ୍ୟ ପର୍ଯ୍ୟଟନ-ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଛି । ବୈଠକରେ ମୁଖ୍ୟତଃ ରାସ୍ତାପାର୍ଶ୍ୱ ସୁବିଧା କେନ୍ଦ୍ରଗୃଡ଼ିକର ଉତମ ରକ୍ଷଣାବେକ୍ଷଣ ଏବଂ ପରିଚାଳନା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ନିରନ୍ତର ପରିଚାଳନା ଏବଂ ସ୍ଥାନୀୟ ଲୋକଙ୍କ ସଂପୃକ୍ତି ଆଦିକୁ ବିଚାର କରି ସଂପୃକ୍ତ ବ୍ଲକ୍ ଓ ଗ୍ରାମ ପଂଚାୟତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଫେଡେରେସନ୍ ମାଧ୍ୟମରେ ଏହିସବୁ କେନ୍ଦ୍ରର ପରିଚାଳନା ନିମନ୍ତେ ନିତୀଗତ ନିଷ୍ପତି ନିଆଯାଇଥିଲା । କେନ୍ଦ୍ରଗୁଡ଼ିକର ମରାମତି ଏବଂ ରକ୍ଷଣାବେକ୍ଷଣ ବିଭାଗ ଦ୍ୱାରା ସଂପୃକ୍ତ ପରିଚାଳକ ସଂଘର ସକ୍ରିୟ ସହଯୋଗରେ କରାହେବ । କେନ୍ଦ୍ରଗୁଡ଼ିକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅଧିକ ସହଜ, ଆତିଥ୍ୟପୂର୍ଣ୍ଣ ଏବଂ ନିରାପଦ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଧେଶ ଦେଇଥିଲେ । ଏଥିପାଇଁ ନିର୍ଦ୍ଧିଷ୍ଟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ପୁର୍ତ, ପର୍ଯ୍ୟଟନ ଏବଂ ମିଶନଶକ୍ତି ବିଭାଗଙ୍କୁ ନିର୍ଦ୍ଧେଶ ଦିଆଯାଇଥିଲା । ଭ୍ରମଣକାରୀ ଏବଂ ପର୍ଯ୍ୟଟକମାନେ ସାଧାରଣତଃ ଯିବା ଆସିବା କରୁଥିବା ରାସ୍ତା ନିକଟସ୍ଥ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ସ୍ଥାନ ଗୁଡିକୁ ଚିହ୍ନଟ କରି ସେସବୁର ଏକ ସଂକ୍ଷିପ୍ତ ବିବରଣୀ ଭିତିକ ତାଲିକା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗ୍ରାମ ଉନ୍ନୟନ ଓ ପୁର୍ତ ବିଭାଗଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହି ସୁନ୍ଦର ସ୍ଥାନ ଗୁଡିକର ବିକାଶ ପାଇଁ ମଧ୍ୟ ନିଷ୍ପତିି ହୋଇଥିଲା । ଶୌଚାଳୟ, ବସିଥିବା ସ୍ଥାନ ଏବଂ ଛୋଟ ପାର୍କିଂ ସ୍ଥାନ ଆଦିର ସୁବିଧା କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଧେଶ ଦେଇଥିଲେ । ଏହା କରାଗଲେ ପର୍ଯ୍ୟଟକମାନେ “ଦୀର୍ଘ ଯାତ୍ରାର କ୍ଲାନ୍ତିରୁ ସାମାନ୍ୟ ବିରାମ ନେଇ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିଦର୍ଶନ କରିପାରିବେ”, ଏବଂ ଓଡ଼ିଶା ଭ୍ରମଣ ସେମାନଙ୍କ ପାଇଁ ଅଧିକ ଉପଭୋଗ୍ୟ ଓ ସ୍ମରଣୀୟ ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପୁର୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପୁର୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ମିଶନ ଶକ୍ତି ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତିକେୟାନ୍, ପର୍ଯ୍ୟଟନ ନିର୍ଦ୍ଧେଶକ ଶ୍ରୀ
ସଚ୍ଚିନ୍ ରାମଚନ୍ଦ୍ର ଯାଦବଙ୍କ ସମେତ ସଂଫୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published.