Wednesday , May 31 2023
Breaking News
Home / ବିଶେଷ / ମାଲକାନଗିରି ବିମାନବନ୍ଦର ପାଇଁ ଭୂମିପୂଜା

ମାଲକାନଗିରି ବିମାନବନ୍ଦର ପାଇଁ ଭୂମିପୂଜା

ମାଲକାନଗିରି,୧୩ /୧୦/୨୦୨୨ (ଓଡ଼ିଶା ସମାଚାର)- ମାଲକାନାଗିରି ବିମାନ ବନ୍ଦର ପାଇଁ ଭୂମି ପୂଜା ହୋଇଯାଇଛି। ମାଲକାନଗିରି ସଦର ବ୍ଲକ ଏମ୍ .ଭି. ୧୧ ନିକଟରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଉପସ୍ଥିତିରେ ପୂଜାହୋଇଥିଲା। ଏହି ବିମାନ ବନ୍ଦର ନିମନ୍ତେ ଜିଲ୍ଲାପ୍ରଶାସନ ତରଫରୁ ସର୍ଭେ, ସ୍ଥଳ ନିରୂପଣ, ଚିହ୍ନଟ, ଇତ୍ୟାଦି କାର୍ଯ୍ୟ ଶେଷ ହୋଇଥିବାବେଳେ ଏହି ସ୍ଥାନର ବସବାସ କରୁଥିବା ଜନସାଧାରଣଙ୍କୁ କ୍ଷତିପୂରଣ ବାବଦକୁ ଅନ୍ୟତ୍ର ଜମି, କ୍ଷତିପୂରଣ ସହଘର ନିର୍ମାଣ କରି ଯୋଗାଇ ଦିଆଯାଇଛି। ବର୍ତ୍ତମାନ ଏହି ବିମାନ ବନ୍ଦରର ଆନୁସଙ୍ଗିକ କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଆଗାମୀ ଦୁଇବର୍ଷମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଏହି ଭୂମି ପୁଜା କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ତହସିଲଦାର ରାଖାଲଚନ୍ଦ୍ର ପରିଡା, ସିପିଆଇ ଆବାହକ ବ୍ରଜ ମାଝୀ, ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡିଆମିଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ତେବେ ଜିଲ୍ଲାରେ ବିମାନ ଉଡ଼ିବା ଆଶା ଖୁବ୍ ଶୀଘ୍ର ପୂରଣ ହେବାକୁ ଥିବାରୁ ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ବର୍ତ୍ତମାନ ମାଲକାନଗିରିରୁ ରାଜ୍ୟ ରାଜଧାନୀକୁ ଯିବାକୁ ହେଲେ ଲୋକେ ନିଜସ୍ଵ ଗାଡି କିମ୍ବା ଭଡ଼ାଗାଡି ଓ ବସରେ ଯାତାୟାତ କରୁଛନ୍ତି। ଏଥିପାଇଁ ପ୍ରାୟ ୧୪ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡ଼ୁଛି। ବିମାନ ସେବା ଆରମ୍ଭ ହେଲେ ଲୋକେ କିଛି ଘଣ୍ଟା ମଧ୍ୟରେ ହିଁ ଏହି ଯାତ୍ରାକରି ପାରିବେ। ଯାହାକୁ ନେଇ ବର୍ତ୍ତମାନ ଲୋକେ ଖୁସି ପ୍ରକଟ କରିବାସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ବାୟୁ ସେବା ଆରମ୍ଭ ହେବ ବୋଲି ଲୋକେ ଆଶା ବାନ୍ଧିବସିଛନ୍ତି।

ମାଲକାନଗିରି ଜିଲ୍ଲାରେ ଗମନାଗମନ ପାଇଁ ଏବେ କେବଳ ବସ୍ ହିଁ ଏକମାତ୍ର ମାଧ୍ୟମ। ଅନ୍ୟ କୌଣସି ସୁବିଧା ନଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ଦୃଷ୍ଟିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଲ୍ଲାରେ ରେଳ ପ୍ରକଳ୍ପ ଏବଂ ବିମାନ ସେବା ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଳ ଲାଇନ ନିର୍ମାଣ କାର୍ୟ୍ୟ ଜାରି ରହିଥିବାବେଳେ ବିମାନ ସେବାପାଇଁ ପଦକ୍ଷେପ ନିଆଯାଇ ଥିବାରୁ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି।

Leave a Reply

Your email address will not be published.