Friday , December 9 2022
Breaking News
Home / ବିଶେଷ / ବିଏମସିର ଠେଲା ହଟାଅ ନିଷ୍ପତି ପ୍ରତ୍ୟାହାର କରିବାକୁ ଉଠାଦୋକାନୀ ବ୍ୟବସାୟୀ ସଂଘର ଦାବି

ବିଏମସିର ଠେଲା ହଟାଅ ନିଷ୍ପତି ପ୍ରତ୍ୟାହାର କରିବାକୁ ଉଠାଦୋକାନୀ ବ୍ୟବସାୟୀ ସଂଘର ଦାବି

ଭୁବନେଶ୍ୱର, ୧୩/୧୦/୨୦୨୨ (ଓଡ଼ିଶା ସମାଚାର)- ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘର ସଭାପତି ସୁର ଜେନା ଏକ ପ୍ରେସ୍ ବିବୃତିରେ ବିଏମସି କମିଶନରଙ୍କ ଉଠା ଦୋକାନ ହଟାଅ ନିଷ୍ପତିକୁ ନିନ୍ଦା କରି କହିଛନ୍ତି– ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ସମେତ ଭାରତର ସବୁ ସହର ଓ ମହାନଗରରେ ଉଠା ଦୋକାନୀମାନେ ଠେଲାଗାଡ଼ିରେ ଲୋକମାନଙ୍କୁ ଶସ୍ତାରେ ଜଳଖିଆ ସମେତ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକି୍ର କରି ନିଜର ଗୁଜରାଣ ମେଂଟାନ୍ତି, ପରିବାର ଚଳାନ୍ତି । ଭୁବନେଶ୍ୱରରେ ଏହି ଉଠା ଦୋକାନୀଙ୍କ ସଂଖ୍ୟା ପ୍ରାୟ ୩୫ ହଜାର ଓ ସମଗ୍ର ଦେଶରେ ୫୦ ଲକ୍ଷରୁ ଊଦ୍ଧ୍ୱର୍ । ଏମାନଙ୍କ ପରିବାରର ଜନସଂଖ୍ୟା ହିସାବ କଲେ ପାଖାପାଖି ୩ କୋଟି ହେବ । କୁଜି ଅସରପା ଉପରେ କାଣି ବିଲେଇର ରାଗ ଭଳି ସହର ଓ ନଗର ପ୍ରଶାସନର ଏମାନଙ୍କ ଉପରେ ନାଲିଆଖି । ବର୍ଗୀମାନେ ଆକ୍ରମଣ କଲାଭଳି ପ୍ରଶାସନ ମଝିରେ ମଝିରେ ମତୁଆଲା ହୋଇ ଏମାନଙ୍କ ଦୋକାନ ଭାଙ୍ଗିଦିଏ ଓ ଠେଲା ହଟାଇଦିଏ । ଏମାନେ ପେଟ ଦାଉରେ ପୁଣି ରାସ୍ତାରେ ପସରା ମେଲାନ୍ତି ।
ଏମାନଙ୍କର ସଂଗଠିତ ଆନ୍ଦୋଳନ ଓ ଦାବି ଫଳରେ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପି୍ରମ କୋର୍ଟଙ୍କ ନିର୍ଦ୍ଧେଶ ଫଳରେ ଭାରତର ପାର୍ଲାମେଂଟ ୨୦୧୪ ମାର୍ଚ୍ଚ ୫ ତାରିଖରେ ‘ଉଠାଦୋକାନୀ ବିକାଶ ସୁରକ୍ଷା ଓ ପଥ ବିକ୍ରେତା ବିନିୟମ’କୁ ଆଇନରେ ପରିଣତ କରିଥିଲା । ଏହି ଆଇନ ଅନୁସାରେ ଉଠା ଦୋକାନୀମାନଙ୍କର ସର୍ଭେ କରି ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ ପୂର୍ବକ ଥଇଥାନ କରାଯିବା କଥା । ଭୁବନେଶ୍ୱରରେ ଆଂଶିକ ସର୍ଭେ ହୋଇ ୩୫ ହଜାର ଉଠାଦୋକାନୀଙ୍କୁ ପରିଚୟପତ୍ର କିମ୍ବା କୁପନ ଦିଆଯାଇଥିବାବେଳେ ରାସ୍ତା ଉପରୁ ଠେଲା ହଟାଯିବ ବୋଲି କମିଶନର ଘୋଷଣା କରିବା ଆଶ୍ଚର୍ଯ୍ୟଜନକ । ବିଏମସି କ’ଣ ଭାରତ ବାହାରେ ଓ ଏହାର କମିଶନର କଣ ପାର୍ଲାମେଂଟ ଠାରୁ ଊଦ୍ଧ୍ୱର୍ରେ ବୋଲି ସୁର ଜେନା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି– ଠେଲା ଉଠାଗଲେ ୩୫ ହଜାର ପରିବାର ଚଳିବେ କିପରି? ସାଧାରଣ ଲୋକମାନେ କ’ଣ ପଂଚତାରକା ହୋଟେଲରେ ଜଳଖିଆ ଖାଇବେ? ଏଣୁ ଏ ପ୍ରକାର ଉଦ୍ଭଟ ଓ ବେଆଇନ ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର ନ କଲେ ଏହା ବିରୁଦ୍ଧରେ ଆନ୍ଦୋଳନ ସହିତ ଅଦାଲତର ମଧ୍ୟ ଆଶ୍ରୟ ନିଆଯିବ । ଓଡ଼ିଶା ସମାଚାର

Leave a Reply

Your email address will not be published.