ନିରାକାରପୁର, ୧୨/୧୦/୨୦୨୨(ଓଡ଼ିଶା ସମାଚାର)- କଳୁଷିତ ମଣିଷ ସମାଜରେ ଯୁଗେ ଯୁଗେ ରାମାୟଣର ପ୍ରତ୍ୟେକ ଚରିତ୍ର ପ୍ରଜ୍ଞା ଓ ଜ୍ଞାନର ପ୍ରମୁଖ ଦିଗ ବାରେଣୀ ସାଜି ଆଧ୍ୟାତ୍ମିକତାର ଏକ ଉଦାର ପରିସର ସୃଷ୍ଟି କରେ ଶ୍ରୀ ରାମାୟଣ ଓ ରାମଲୀଳା ବୋଲି ମତ ବ୍ୟକ୍ତ କରିଛନ୍ତି ଶ୍ରୀ ଶ୍ରୀ ରଘୁନାଥ ନାଟ୍ୟ ସଂସଦ ଗୋଳବାଇ ଦ୍ୱାରା ଆୟୋଜିତ ଚର୍ତୁଦଳୀୟ ରାମ ନାଟକ ପ୍ରତିଯୋଗିତାରେ ଉଦଯାପନୀ ସନ୍ଧ୍ୟାରେ ଯୋଗଦେଇ ଥିବା ବିଶିଷ୍ଟ ଅତିଥିଗଣ । ଏହି ସଭାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଖୋର୍ଦ୍ଧା ବ୍ଲକ ଅଧ୍ୟକ୍ଷ ଙ୍କ ପ୍ରତିନିଧି ରାଜ କିଶୋର ପାତ୍ର ଅନୁଷ୍ଠାନର ପୂର୍ଣ୍ଣାଙ୍ଗ ବିକାଶରେ ଯଥା ସମ୍ଭବ ସହାୟତା କରିବାର ପ୍ରତିଶ୍ରୁତିବଦ୍ଧ ହେବା ପୂର୍ବକ ରାମଲୀଳାର ଲୋକ ପ୍ରିୟତା ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତାଭାବରେ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋଲକ ବିହାରୀ ସାହୁ , ଗୋଳବାଇ ଗ୍ରାମର ପ୍ରାଚୀନ ଐତିହ୍ୟ ସଂପର୍କରେ ମତପୋଷଣ କରିଥିଲେ । ଅନ୍ୟତମ ସମ୍ମନୀତ ଅତିଥିଭାବେ ଜଙ୍କିଆ ପୂର୍ବତନ ସରପଂଚ ରାଜେନ୍ଦ୍ର କୁମାର ସାମନ୍ତରାୟ ଯୋଗଦେଇ ଗ୍ରାମରେ ବାଙ୍କା ଦାଶଙ୍କ ସ୍ମୃତି ଉଦ୍ଧେଶ୍ୟରେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବା ସହ ରାମାୟଣର ନୀତି ଓ ଆଦର୍ଶ ସମ୍ବନ୍ଧରେ ବକ୍ତବ୍ୟ ପ୍ରକାଶ କରିଥିଲେ । ଏହି ସଭାରେ ପୃଥୀରାଜ ପରିଡ଼ା ଓ ବୋଲଗଡ଼ ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଧାୟକଙ୍କ ପ୍ରତିନିଧି ବ୍ରହ୍ମାନନ୍ଦ ଜେନା , ଅନୁଷ୍ଠାନର ସଭାପତି ମହେଶ୍ୱର ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ । ଉଦଯାପନୀ ରାତ୍ରୀର ନାଟକର ପରିବେଷଣ ସମାପ୍ତି ପରେ ୪ ଦିନ ବ୍ୟାପୀ ଅନୁଷ୍ଠିତ ରାମ ନାଟକ ପ୍ରତିଯୋଗୀତାର ବିବିଧ ପୁରସ୍କାର ବଂଟନ କରାଯାଇଥିଲା । ମା ମଙ୍ଗଳା ତାରେଣୀ ରାମ ନାଟ୍ୟ ସଂସଦ ବାସୁକେରା ସାକ୍ଷୀଗୋପାଳ ,ପୁରୀ ଚର୍ତୁଦଳୀୟ ରାମନାଟକ ପ୍ରତିଯୋଗିତାର ସର୍ବଶ୍ରେଷ୍ଠ କବି ବାଙ୍କା ଦାଶ ରାମନାଟ୍ୟ ସମ୍ମାନ ୨୦୨୨ ବିଜୟୀ ଦଳ ଭାବରେ ଏକ ଟ୍ରଫି , ପ୍ରମାଣ ପତ୍ର ସହ ନଗଦ ୧୧ହଜାର ଏକ ଟଙ୍କା ପୁରସ୍କାର ରାଶି ପ୍ରାପ୍ତ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ବିଚାର ଭାଗୀରଥି ପ୍ରଧାନ ଓ ଗାଦିବ୍ରହ୍ମ ବେହେରା ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ । ଅଧ୍ୟାପକ ଶ୍ରୀମାନ ପୂଣ୍ଣ୍ୟଦର୍ଶନ ସାହୁଙ୍କ ଦ୍ୱାରା ସଂଯୋଜିତ ଏହି କାର୍ଯ୍ୟକ୍ରମରେ ଡ଼. ପୂଣ୍ଣଚନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।