Wednesday , May 31 2023
Home / ନିର୍ବାଚନ / ଧାମନଗର ଉପନିର୍ବାଚନ : ବାବା ହରେକୃଷ୍ଣ ସେଠୀ କଂଗ୍ରେସର ପ୍ରାର୍ଥୀ

ଧାମନଗର ଉପନିର୍ବାଚନ : ବାବା ହରେକୃଷ୍ଣ ସେଠୀ କଂଗ୍ରେସର ପ୍ରାର୍ଥୀ

ଭଦ୍ରକ/ଭୁବନେଶ୍ବର, ୧୨/୧୦/୨୦୨୨(ଓଡ଼ିଶା ସମାଚାର)- ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ଆଜି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଧାମନଗର ଉପନିର୍ବାଚନ ପାଇଁ ବାବା ହରେକୃଷ୍ଣ ସେଠୀଙ୍କ ନାମକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅନୁମୋଦନ କରିଛନ୍ତି। ଏନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସଂପାଦକ ମୁକୁଲ ୱାସନିକ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।
ବାବା ହରେକୃଷ୍ଣ ଗୁରୁବାର ଭଦ୍ରକ ବ୍ଲକ ପରିସରରେ ପ୍ରାର୍ଥୀପତ୍ର ଦାଖଲ କରିବେ। ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ ନେତା ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ପ୍ରସାଦ ହରିଚନ୍ଦନ, ସୁର ରାଉତରାୟ, ପୂର୍ବତନ ସାଂସସ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ଜିଲ୍ଲା ସଭାପତି ସୁବ୍ରତ ଦାସ ପ୍ରମୁଖ ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।
ବାବା ହରୋକୃଷ୍ଣ ସେଠୀ ଯୁବ ଆଇନଜୀବୀ ଭାବେ ଧାମନଗର କୋର୍ଟରେ କାର୍ୟ୍ୟରତ ଅଛନ୍ତି। ସେ କଂଗ୍ରେସର ଜଣେ ତୃଣମୂଳ ସ୍ତରର ସଂଗଠକ। ସେ ଧାମନଗର ବ୍ଲକର ରାଜୀବ ଗାନ୍ଧି ସେବା ସଂଗଠନର ସଭାପତି, ଦଳିତ ସଂଗଠନର ନେତା ଭାବେ ବିଭିନ୍ନ ସାଂଗଠନିକ କାର୍ୟ୍ୟ ସୂଚାରୁ ରୂପେ କାର୍ୟ୍ୟ କରିଆସୁଛନ୍ତି। ଜିଲ୍ଲାରେ ଜଣେ ଦଳିତ ନେତା ଭାବରେ ଜଣାଶୁଣା। ଗତ ପୌର ନିର୍ବାଚନରେ ମଧ୍ୟ ତାଙ୍କର ପତ୍ନୀ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ଭାରତୀୟ ଜନତା ପାର୍ଟି ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ୟ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ସୂର୍ୟ୍ୟବଂଶୀ ସୂରଜ ହେଉଛନ୍ତି ବିଜେପି ରାଜ୍ୟ ସୋସିଆଲ ମିଡିଆ କୋଅର୍ଡିନେଟର। ଗତ ସାଧାରଣ ନିର୍ବାଚନ ସମୟରେ ସେ ଇଂଜିନିୟରିଂ ଚାକିରି ଛାଡ଼ି ବାପାଙ୍କ ରାଜନୈତିକ ଓ ସାଂଗଠନିକ କାମ ବୁଝୁଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଉଥିଲେ। ଜଣେ ଯୁବନେତା ଓ ଯୁବସଂଗଠକ ଭାବେ ଭଦ୍ରକ ଜିଲ୍ଲାରେ ତାଙ୍କର ସୁନାମ ରହିଛି।
ଉଲ୍ଲେଖଯୋଗ୍ୟ ଯେ, ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗରରେ ଉପନିର୍ବାଚନ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ମତଦାନ ହେବ।

Leave a Reply

Your email address will not be published.