କେନ୍ଦ୍ରାପଡ଼ା, ୧୧/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ନେହେରୁ ଯୁବ କେନ୍ଦ୍ର ଏବଂ ତୁଳସୀ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ କଲେଜର ଛାତ୍ରୀ ଏବଂ ସ୍ୱେଛାସେବୀମାନଙ୍କୁ ସଚେତନ କରାଯାଇଥିଲା ।
ପରେ ଇଛାପୁରସ୍ଥିତ ଶ୍ରୀ ବଳଦେବଜୀୟୁଙ୍କ ମନ୍ଦିର ପରିସର ଓ ରଥଦାଣ୍ଡରୁ ଅଳିଆ ଆବର୍ଜ୍ଜନା ସଫା କରାଯାଇଥିଲା । ଏହାପରେ ଗୋପ ଏବଂ ଅଯୋଦ୍ଧାନଗର ଲକ୍ଷ୍ମୀପୂଜା ମଣ୍ଡପ ସହିତ କେନ୍ଦ୍ରାପଡା ରେଳ ଷ୍ଟେସନ ତଥା ରେଳ ଧାରଣାକୁ ମଧ୍ୟ ସଫେଇ କରାଯିବା ସହ ପ୍ଲାଷ୍ଟିକ ମୁକ୍ତ କରାଯାଇଥିଲା । ଉପରୋକ୍ତ ସଫେଇ ସ୍ଥାନ ଗୁଡିକରେ ଜନସାଧାରଣଙ୍କୁ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବା ସମ୍ପର୍କରେ ସଚେତନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ମହିଳା କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ରଞ୍ଜନ ସାହୁ ଉଦଘାଟନ କରିଥିବା ବେଳେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଲକ୍ଷ୍ମୀକାନ୍ତ ଜେନା ଓ ବ୍ଲକ ସଂଯୋଜକ ହରପ୍ରିୟା ଦାସ ପ୍ରମୁଖ ସହଯୋଗ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ଏବଂ ନେହେରୁ ଯୁବକେନ୍ଦ୍ରର ସ୍ୱେଛାସେବୀମାନେ ଅଂଶଗ୍ରହଣ କରି ସଫେଇ କରିଥିଲେ ।