Thursday , June 1 2023
Breaking News
Home / ଶିକ୍ଷା / ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବର୍ଦ୍ଧିତ ମୂଲ୍ୟ ହେଉଛି ସମୁଦ୍ରକୁ ଶେଙ୍ଖ- ପିଷ୍ଟା

ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବର୍ଦ୍ଧିତ ମୂଲ୍ୟ ହେଉଛି ସମୁଦ୍ରକୁ ଶେଙ୍ଖ- ପିଷ୍ଟା

ଭୁବନେଶ୍ୱର,୧୧/୧୦/୨୦୨୨ (ଓଡ଼ିଶା ସମାଚାର)- ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପୁଷ୍ଟିକର ଖାଦ୍ୟ ଖାଇବେ ଓ ମାନସିକ, ଶାରୀରିକ ଭାବେ ସୁସ୍ଥ ରହି ଭଲ ପାଠ ପଢିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ୧ମରୁ ୮ମ ଶ୍ରେଣୀ ବିଶିଷ୍ଟ ସମସ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନା ବା ପି.ଏମ୍ ପୋଷଣ ଯୋଜନା ଚାଲିଛି । କିନ୍ତୁ ଏହି ଯୋଜନା ଏବେ ବାଟବଣା ହେବାରେ ଲାଗିଛି । ୧ମରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ୫ ଟଙ୍କା ୪୨ ପଇସା ଓ ୬ଷ୍ଠରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ୮ ଟଙ୍କା ୧୦ ପଇସା ଧାର୍ଯ୍ୟ କରିଥିଲେ । ବର୍ତମାନ ମହଙ୍ଗା ଯୁଗରେ ଏତିକି ଟଙ୍କାରେ ଖାଦ୍ୟ ସାମଗ୍ରୀ କିଣି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ଶିକ୍ଷକମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି । ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ବାରମ୍ବାର ଦାବି ଫଳରେ ସରକାର ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ନୂଆ ବର୍ଦ୍ଧିତ ଦର ଧାର୍ଯ୍ୟ କରିଛନ୍ତି ଯାହାକୁ ସମୁଦ୍ରକୁ ଶେଙ୍ଖ ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଅଭିଯୋଗ କରିଛନ୍ତି । ୧ମରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ୫ ଟଙ୍କା ୪୨ ପଇସାରୁ ୫ ଟଙ୍କା ୪୫ ପଇସା ଓ ୬ଷ୍ଠରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ୮ ଟଙ୍କା ୧୦ ପଇସାରୁ ୮ ଟଙ୍କା ୧୭ ପଇସା ଧାର୍ଯ୍ୟ କରିଛନ୍ତି । ମାତ୍ର ୩ ପଇସା ଓ ୭ ପଇସା ବୃଦ୍ଧି କରିବା ହେଉଛି ଧର୍ମକୁ ଆଖିଠାର ବୋଲି ସଂଘ ଦର୍ଶର୍ାଇଛି । ଅନ୍ୟ ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ଜଳଖିଆ ପାଇଁ ୧୦ଟଙ୍କାରୁ ଉଦ୍ଧ୍ୱର୍ ଖର୍ଚ୍ଚ କରୁଥିବା ବେଳେ ଆମ ରାଜ୍ୟ ସରକାର ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ କମ ଖର୍ଚ୍ଚ କରୁଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି କି ସରକାର ଜାଣିଶୁଣି ପିଲାମାନଙ୍କୁ ଶାରୀରିକ, ମାନସିକ ଓ ବୌଦ୍ଧିକ ଅନଗ୍ରସର କରିବାକୁ ଚାହୁଁଛନ୍ତି । ଆଜିକା ସମୟରେ ରନ୍ଧନ ସାମଗ୍ରୀର ଦର ହୁ ହୁ ହୋଇ ବଢୁଥିବା ବେଳେ ଆମ ରାଜ୍ୟ ସରକାର କେଉଁ ମୂଲ୍ୟସୂଚୀ ଆଧାରରେ ମଧ୍ୟାହ୍ନ ଭୋଜନର ନୂଆ ଦର ଧାର୍ଯ୍ୟ କରିଛନ୍ତି ତାହାକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ସଂଘ ଦାବି କରିଛି । ପିଲମାନଙ୍କ ହିତ ଦୃଷ୍ଟିରୁ ସରକାର ତାଙ୍କ ନିଷ୍ପତିକୁ ପୁନଃ ବିଚାର କରି ନୂତନ ଦର ଧାର୍ଯ୍ୟ କରିବାକୁ ପିଷ୍ଟାର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ ଦାବି କରିଛନ୍ତି ।

Leave a Reply

Your email address will not be published.