ବସଷ୍ଟାଣ୍ଡ ନ ଥିବାରୁ ବସ ଧରିବାକୁ ଯାତ୍ରୀ ହନ୍ତସନ୍ତ: ତୁରନ୍ତ ବିଶ୍ରାମାଗାର ଦାବି
ନିରାକାରପୁର, ୧୦/୧୦/୨୦୨୨(ଓଡ଼ିଶା ସମାଚାର)-ଭୁବନେଶ୍ୱରରୁ ଟାଙ୍ଗୀ ପର୍ଯ୍ୟନ୍ତ ୧୬ନଂ ଜାତୀୟ ରାଜପଥକୁ ୬ ଲାଇନ କରିବା ଦାୟିତ୍ୱ ନେଇଥିବା ଠିକାସଂସ୍ଥାର ବେପରୁଆ ମନୋଭାବ ଓ ନିମ୍ନମାନର କାର୍ଯ୍ୟ ଏବେ ରାସ୍ତାର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନ ଉଠାଇଛି । ଏହି ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ ପାଇଁ ଦୈନନ୍ଦିନ କିଛି ନା କିଛି ଦୁର୍ଘଟଣା ଘଟିବାରେ ଲାଗିଛି । ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଅନେକ ସ୍ଥାନରେ ଠିକାସଂସ୍ଥା ବିପଦପୂର୍ଣ୍ଣ ଡ଼ାଇଭରସନ କରିବା ଦ୍ୱାରା ଯାନବାହାନ ସହିତ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ପ୍ରାୟ ପ୍ରତ୍ୟେକ ଛକମାନଙ୍କରେ ଓଭର ବ୍ରିଜ ନିର୍ମାଣ କରାଯିବା ପରେ ଲୋକେ ବର୍ତମାନ ଯାତ୍ରୀ ବସରେ ଯାତାୟତ କରିବା କଷ୍ଟ ହୋଇ ପଡ଼ିଲାଣି । ଅନେକ ବସ ଆଉ ଓଭର ବ୍ରିଜ ତଳକୁ ନ ଆସି ଉପରେ ଉପରେ ପଳାଉଥିବା କାରଣରୁ ଯାତ୍ରୀମାନେ କେଉଁଠି ଛିଡ଼ା ହୋଇ ଗାଡ଼ିକୁ ଅପେକ୍ଷା କରିବେ ଜାଣି ପାରୁ ନାହାଁନ୍ତି । ଠିକା କମ୍ପାନୀ କିଛି କିଛି ଜାଗାରେ ଓଭର ବ୍ରିଜ ତଳେ ବସ ବିଶ୍ରାମାଗାର ନିର୍ମାଣ କରିଛନ୍ତି ସତ କିନ୍ତୁ ତାହା ବି ଦୂରଦୃଷ୍ଟି ନ ରଖି ଯେଉଁଠି ସେଠି କରି ଦେଇଛନ୍ତି । ବସ ଗୁଡ଼ିକୁ ଯାତ୍ରୀ ବ୍ରିଜର ଉଭୟ ପାଖରେ ଜଗି ରହୁଥିବାବେଳେ ବସ କେତେବେଳେ କେଉଁଠି ରଖୁଛନ୍ତି ତାହାର ବି କିଛି ନିର୍ଦ୍ଧଷ୍ଟତା ରହୁନି । ଠିକା କମ୍ପାନୀ ତାଙ୍କ ସୁବିଧା ଦେଖି ସେମାନେ ବସ ବିଶ୍ରାମାଗାର ନିର୍ମାଣ କରି ନିଜର ଦାୟିତ୍ୱ ତୁଲାଇବାରେ ଲାଗିଛନ୍ତି । ପ୍ରକାଶ ଥାଉ କି ସଂପ୍ରତି ୧୬ନମ୍ବର ଜାତୀୟ ରାଜପଥକୁ ସଂପ୍ରସାରଣ କରାଯାଉଛି । ଗମନା ଗମନକୁ ଅଧିକ ଗତିଶୀଳ ଓ ନିରାପଦ ପାଇଁ ୪ ଲେନ ବଦଳରେ ୬ ଲେନ କରାଯାଉଛି । ରାମେଶ୍ୱର ଛକରେ ନିର୍ମାଣ କରାଯାଇଥିବା ଓଭରବି୍ରଜ କାର୍ଯ୍ୟ ଶେଷ ହେବାରେ ଅହେତୁକ ବିଳମ୍ବ ଦେଖାଯାଇଛି । ଦୁଇ ବର୍ଷ ତଳୁ କାର୍ଯ୍ୟ ଆରମ୍ଭ ହୋଇଥିଲା ମଧ୍ୟ ପୁରାକାର୍ଯ୍ୟକାରୀ ହୋଇପାରିନି । ଶରଣକୁଳ-ପୁରୀ ନୂଆଜଗନ୍ନାଥ ସଡକ ରାମେଶ୍ୱର ଛକରେ ୧୬ ନମ୍ବର ଜାତୀୟ ରାଜପଥରେ ଅତିକ୍ରମ କରିଛି । ନୟାଗଡ,ଶରଣକୁଳ,ରଣପୁର ରୁ ଅନେକ ବସ ପୁରୀକୁ ଭାୟା ରାମେଶ୍ୱର ଛକ- ନିରାକାରପୁରଦେଇ ଯାଉଛି । ସେହିପରି ଏହିପଥରେ ବ୍ରହ୍ମପୁର ,ବାଲୁଗାଁ ବାଣପୁରରୁ ମଧ୍ୟ ବସ ଚଳାଚଳ କରୁଛି ।
ଆଖପାଖ ଅଂଳର ଲୋକମାନେ ପୁରୀ,ବ୍ରହ୍ମପୁର,ନୟାଗଡ,ଖୋର୍ଦ୍ଧା,ଭୁବନେଶ୍ୱର ଓ ପୁରୀ କୁ ଯିବାକୁ ରାମେଶ୍ୱର ଛକରେ ବସ ଧରୁଛନ୍ତି । ଦକ୍ଷିଣ ପଟ ତଳ ରାସ୍ତା ଜମି ଅଧିଗ୍ରହଣ ସମସ୍ୟାରୁ ହୋଇ ପାରୁନି । ଯାତ୍ରୀମାନଙ୍କ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଯାତ୍ରୀ ବିଶ୍ରାମଗାର ଦୂରରେ କରାଯିବାରୁ ଯୋଗୁ ସାଧାରଣରେ ଅସନ୍ତୋଷ ବଢୁଛି । ଏହି ଛକଟି ଗୋଟିଏ ବ୍ୟସ୍ତ ବହୁଳ ଛକ । ଆଖପାଖ ଅଂଚଳର ଲୋକ ମାନେ ଛକ ଉପରେ ନିର୍ଭର କରନ୍ତି । ଛକ ନିକଟରେ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ସାଧାରଣରେ ଦାବିହେଉଛି । ଜାତୀୟ ରାଜପଥ ବିଭାଗ,ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ସର୍ବୋପରି ସ୍ଥାନୀୟ ପ୍ରଶସାନ ଦୁର୍ଘଟଣା କମାଇବାକୁ ପଦକ୍ଷେପ ନେଉନଥିବା ଦେଖାଯାଉଛି । ଅସ୍ଥାୟୀ ରାସ୍ତା ନିର୍ମାଣ ନକରି ପୋଲ ନିର୍ମାଣ କରାଯାଉଛି । ଯଥା ଶୀଘ୍ର ମାଲାଗୁଣୀ ନଦୀ ନିକଟ ବ୍ରିଜ କାମ ଶେଷ କରିବା ସହ ଏଠାରେ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ଦାବି ହେଉଛି ।