Wednesday , May 31 2023
Home / ବିଶେଷ / ୧୭ ଯାଏ ନାହିଁ ବଡ଼ ବର୍ଷା

୧୭ ଯାଏ ନାହିଁ ବଡ଼ ବର୍ଷା

ଭୁବନେଶ୍ୱର, ୦୯ /୧୦/୨୦୨୨ (ଓଡ଼ିଶା ସମାଚାର)- ଅକ୍ଟୋବର ମାସର ଦ୍ୱିତୀୟ ଘୁର୍ଣ୍ଣିବଳୟ ଦ୍ୱାରା ରାଜ୍ୟର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସ୍ୱଳ୍ପ ବର୍ଷା  ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଗଞ୍ଜାମ, ପୁରୀ, ଖୋର୍ଦ୍ଧା   ସମେତ ସମୁଦ୍ର ସଂଲଗ୍ନ ଅନ୍ୟାନ୍ୟ ଉପକୂଳ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷେ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣ- ଦକ୍ଷିଣ ଓଡ଼ିଶାରେ ବର୍ଷା  ହେବାର ନାହିଁ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି । ସେହିପରି ଚଳିତ ଅକ୍ଟୋବର ମାସରେ ଆଉ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାନେଇ ସେ ପୂର୍ବାନୁମାନ କରିଛନ୍ତି। ଶ୍ରୀ ପଶୁପାଳକଙ୍କ ଅନୁଯାୟୀ ବର୍ତ୍ତମାନ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆସନ୍ତା ୧୦ ତାରିଖରେ ତାମିଲନାଡ଼ୁରେ ରହିବ। ଏହାର ଗୋଟିଏ ଅଂଶ ୧୨ ତାରିଖରେ ଆରବ ସାଗରରେ ପହଞ୍ଚିବ। ସେହିପରି ଆସନ୍ତା ୧୪ ତାରିଖରେ ଦକ୍ଷିଣ- କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ନଚେତ୍ ଦ୍ୱିତୀୟ ଘୂର୍ଣ୍ଣିବଳୟର ଅଂଶ ବିଶେଷ ଭାବେ ତାମଲନାଡ଼ୁ ଉପକୂଳରେ ଦକ୍ଷିଣ ବଙ୍ଗୋପସାଗରରେ ତୃତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ରାଜ୍ୟବ୍ୟାପୀ ୧୭ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ସମ୍ଭାବ୍ୟ ଚତୁର୍ଥ  ଘୂର୍ଣ୍ଣିବଳୟଟି ଆସନ୍ତା ୧୭ ତାରିଖରେ ଦକ୍ଷିଣ ଥାଇଲାଣ୍ଡ ଉପକୂଳ ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ। ଏହା ଦ୍ୱିତୀୟ ଓ ତୃତୀୟ ଘୂର୍ଣ୍ଣିବଳୟ ଅପେକ୍ଷା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ଡ. ପଶୁପାଳକ କହିଛନ୍ତି।

Leave a Reply

Your email address will not be published.