Wednesday , May 31 2023
Home / ବିଶେଷ / ମା’ ତାରିଣୀ ଏସଏଚଜିର ନିମ୍ନମାନର ଶିଶୁଖାଦ୍ୟ ଯୋଗାଣ ଅଭିଯୋଗର ତଦନ୍ତ ଦାବି

ମା’ ତାରିଣୀ ଏସଏଚଜିର ନିମ୍ନମାନର ଶିଶୁଖାଦ୍ୟ ଯୋଗାଣ ଅଭିଯୋଗର ତଦନ୍ତ ଦାବି

କେନ୍ଦ୍ରାପଡ଼ା, ୦୯/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକରେ ମା’ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠି ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ନିମ୍ନମାନର ଶିଶୁଖାଦ୍ୟ ଯୋଗାଣ କରୁଥିବା ନେଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ଓଡିଶା ସୂଚନା ଅଧିକାର ଅଭିଯାନର ସଦସ୍ୟ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ କେନ୍ଦ୍ରାପଡା ଜିଲ୍ଲା ସମାଜକଲ୍ୟାଣ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଯେ ସେ ସୂଚନା ଅଧିକାର ନିୟମ ଅନୁସାରେ ପାଇଥିବା ତଥ୍ୟ ଅନୁଯାୟୀ ରାଜକନିକା ବ୍ଲକର ସମନ୍ୱିତ ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଯୋଗାଇ ଦେଉଥିବା ଶିଶୁଖାଦ୍ୟ ଅତ୍ୟନ୍ତ ନିମ୍ନମାନର । ଅଭିଯୋଗକାରୀ ଦୁଷ୍ମନ୍ତଙ୍କୁ ପ୍ରଦାନ କରାଯାଇଥିବା ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠି ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଥିବା ୟୁନିଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଏଡିଟିଂ କରାଯିବା ସହ କାଟି ଛୋଟ ଛୋଟ କରିଦିଆଯାଇଛି । ସେ ଅଭିଯୋଗ କରିଛନ୍ତି ଯେ ସଂପୂର୍ଣ୍ଣ ସିସିଟିଭି ଫୁଟେଜ ତାଙ୍କୁ ପ୍ରଦାନ କରାଯାଇନାହିଁ । କାରଣ ଶିଶୁଖାଦ୍ୟରେ ଅପମିଶ୍ରଣ ସମୟରେ ସେହି ସିସିଟିଭି ଫୁଟେଜକୁ ରଖାଯାଇନାହିଁ । ପୂର୍ବରୁ ସେହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ପ୍ରସ୍ତୁତ କରି ଯୋଗାଇଥିବା ଛତୁଆରୁ ପୋକ ବାହାରିଥିବା ବେଳେ ଲଡୁରୁ ବାଳ ବାହାରିଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା । ଏହାଦ୍ୱାରା ଛୋଟ ଛୋଟ ଶିଶୁମାନଙ୍କ ଜୀବନ ସହ ସେହି ସଂସ୍ଥା ଖେଳ ଖେଳୁଥିବା ଅଭିଯୋଗ ହୋଇଛି । ତେଣୁ ଅଭିଯୋଗକାରୀଙ୍କୁ ସେହି ଶିଶୁଖାଦ୍ୟ ପ୍ରସ୍ତୁତ ୟୁନିଟର ସଂପୂର୍ଣ୍ଣ ସି.ସି. ଟିଭି ଫୁଟେଜ ପ୍ରଦାନ କରାଯିବା ସହ ଏହି ସ୍ପର୍ଶକାତର ଘଟଣାର ନିରପେକ୍ଷ ତଥା ବିଧିବଦ୍ଧ ତଦନ୍ତ କରାଯିବାକୁ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published.