ଭୁବନେଶ୍ୱର,୦୯ /୧୦/୨୦୨୨ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ୮ ଟା ସମୟରେ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୫ ତମ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସାଧାରଣ ସମ୍ପାଦକ ଡା. ରାଧାନାଥ ପ୍ରହରାଜ ଙ୍କ ଅଧ୍ୟକ୍ଷତାରେ ଏହି ବିଶିଷ୍ଟ ବରପୁତ୍ର ଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ ତଥା ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ଅଂଶଗ୍ରହଣ କାରୀ ସଦସ୍ୟ ତଥା ଜନସାଧାରଣ ଉତ୍କଳ ସମ୍ମିଳନୀ ର ପ୍ରାକ୍ତନ ସଭାପତି ଗୋପବନ୍ଧୁ ଙ୍କୁ ମାନବୀୟ ଗୁଣ ଏବଂ ସ୍ଵକୀୟ ଚିନ୍ତା ଚେତନାରେ ଉତ୍କଳୀୟ ଭାବନା ସମେତ ରାଷ୍ଟ୍ରୀୟତାଭାବର ପ୍ରଭୂତ ସମନ୍ଵୟ ଯୁକ୍ତ ବ୍ୟକ୍ତିତ୍ବ ଭାବରେ ଉପସ୍ଥାପନା କରିଥିଲେ । ଏତଦ ବ୍ୟତୀତ ସେ ଓଡିଆ ଭାଷା , ସାହିତ୍ୟ , ସାମ୍ବାଦିକତା ,ନିଃସ୍ଵାର୍ଥପର ଜନସେବା , ରାଜନୀତି ପ୍ରଭୁତି କ୍ଷେତ୍ରରେ ନିଜର ଅବିସ୍ମରଣୀୟ ସ୍ଵାକ୍ଷର ରଖିଥିବା ସହ ଶିଶୁ ମାନଙ୍କୁ ଉଚିତ ଶିକ୍ଷା ପ୍ରଦାନ ଏବଂ ଯୁବ ସମାଜ କୁ ଆଦର୍ଶ ରାସ୍ତାରେ ଗଢି ତୋଳିବା ପାଇଁ ଦୃଢ ପ୍ରୟାସ ଜାରି ରଖିଥିବା ବିଷୟ ଏହି ସ୍ମୃତି ଚାରଣ ପର୍ଯ୍ୟାୟ ଭୁକ୍ତ ହୋଇଥିଲା । ଏହି କ୍ରମ ରେ ସାଂପ୍ରତିକ ଶିଶୁ ଶିକ୍ଷାରେ ମାତୃ ଭାଷା କୁ ଗୁରୁତ୍ଵ ଦେବା ପାଇଁ କେନ୍ଦ୍ର ସରକାର ନିକଟରେ ନେଇଥିବା ପଦକ୍ଷେପ ବିଳମ୍ବରେ ହେଲେ ମଧ୍ୟ ଗୋପବନ୍ଧୁ ଙ୍କ ଦ୍ରୁଷ୍ଟି କୋଣ କୁ ସମର୍ଥନ ବୋଲି ଆଲୋଚିତ ହେବ ସମୟରେ ସେ ମାତୃଭାଷା ବିନା ଶିଶୁ ଶିକ୍ଷା ଶିଶୁ ହତ୍ୟା ସଦୃଶ ବୋଲି ଦେଇଥିବା ମନ୍ତବ୍ୟ ଗୁରୁତ୍ଵ ଲାଭ କରିଥିଲା ଏବଂ ଏହା ତାଙ୍କର ଗଭୀର ଦୂରଦୃଷ୍ଟି ର ପରିଚାୟକ ବୋଲି ସିଦ୍ଧାନ୍ତ ଗୃହୀତ ହୋଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡା କାଶୀନାଥ ରଥ,ପ୍ରାକ୍ତନ ଅଧ୍ୟକ୍ଷ୍ୟ ପିତବାସ ତ୍ରିପାଠୀ , ଡା. ବାନାମ୍ବର ପରିଡା,ଅଧିବକ୍ତା ତାପସ ରଞ୍ଜନ ମିଶ୍ର , ଶିକ୍ଷକ ତ୍ରିନାଥ ସାମନ୍ତରାୟ, ଯୁଗଳ କିଶୋର ନାୟକ , ପଠାଣି ଜେନା,ସନ୍ତୋଷ କୁମାର ମହାପାତ୍ର ,କାଳନ୍ଦି ନାୟକ,ବୈରାଗୀ ସେଠୀ,ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଶେଷରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।