କଟକ ସଦର, ୦୯ /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଚାଲିଛି ପାର୍ଵଣ ଋତୁ। ଜଗତଜନନୀ ମା’ ଦୂର୍ଗାଙ୍କ ମେଲାଣି ପରେ ଆଜି (ରବିବାର) ଧରା ପୃଷ୍ଠକୁ ଧରାବତରଣ କରିଛନ୍ତି ଧନଦାତ୍ରୀ ମା’ ଗଜଲକ୍ଷ୍ମୀ। ଆଜି ପବିତ୍ର କୁମାର ପୂର୍ଣିମା ଓ ଗଜଲକ୍ଷ୍ମୀ ପୂଜା। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳନ କରାଯାଏ।ଆଜି ଠାରୁ ମହା କାର୍ତ୍ତିକ ମାସ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କାର୍ତ୍ତିକ ଵ୍ରତ ପାଳନ କରାଯାଏ। ଆଜିର ଦିନରେ କୁମାରୀ ମାନେ ସକାଳୁ ଉଠି ଗାଧୋଇ ନୂଆ ବସ୍ତ୍ର ପିନ୍ଧି ସୂର୍ଯ୍ୟୋଦୟ ପୂର୍ବରୁ ନୂଆ କୁଲାରେ ଖଇ ଓ ସାତ ପ୍ରକାର ଫଳ ରଖି ସୂର୍ଯ୍ୟଙ୍କ ଉଦେଶ୍ୟରେ ଆଞ୍ଜୁଳି ଟେକି ଥାଆନ୍ତି। ସେହିପରି ସଂଧ୍ୟାରେ ଚନ୍ଦ୍ର ଙ୍କ ଉଦେଶ୍ୟରେ ଚଉରା ମୂଳରେ ଚାନ୍ଦ ପୂଜା କରିଵା ପରମ୍ପରା ରହି ଆସିଛି। ଚଳିତବର୍ଷ କୋଭିଡ୍ କଟକଣା ମୁକ୍ତ ପୂଜା ପାଇଁ ଅନୁମତି ମିଳିଵା ପରେ ଦୁଇ ଵର୍ଷ ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି।ଏହି ପରିପ୍ରେକ୍ଷୀରେ କଟକ ସଦର ଅଞ୍ଚଳ ପାରାଵିଲ୍ ର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆନନ୍ଦ ଉଲ୍ଲାସ ମଧ୍ୟରେ ଆରମ୍ଭ ହୋଇଥିଲା ଵେଳେ ତୁହାକୁ ତୁହା ମେଘ ଦାଉ ସାଧୁଛି। ପୂଜା ପାଇଁ ଗ୍ରାମ ଉତ୍ସବମୁଖର ହୋଇ ଉଠିଥିବା ଵେଳେ ମେଘ ପାଇଁ ମାହୋଲ ଫିକା ପଡ଼ିଯାଇଛି। ପ୍ରତ୍ୟେକ ପୂଜା ମଣ୍ଡପକୁ ଆକର୍ଷଣୀୟ ସାଜସଜ୍ଜା ସହିତ ସୁଦୃଶ୍ୟ ଆଲୋକ ସଜା ମନ ମୋହିଛି। ଏହି ପୂଜା ୭ ଦିନ ବ୍ୟାପି ଅନୁଷ୍ଠିତ ହୋଇ ଆସନ୍ତା ୧୫ ତାରିଖ ଶନିବାର ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେଵ ଵୋଲି ଜଣାଯାଇଛି ।