ମାହାଙ୍ଗା, ୦୯ /୧୦/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- ଗୀତିନାଟ୍ୟ ଜଗତ ର ସେ ଥିଲେ ମୁକୁଟ ବିହୀନ ସମ୍ରାଟ । ଗଣ ହୃଦୟର କବି । ପ୍ରଥିତଯଶା ସାରସ୍ୱତ ସାଧକ ଗଣକବି ବୈଷ୍ଣବ ପାଣି । ସେ ଥିଲେ ନାଟୁଆ, ଭାଟୁଆ, ଦରିଦ୍ର ଯାତ୍ରାବାଲା । ଶହେବର୍ଷ ତଳେ ଲୋକେ ରାତି ରାତି ଅନିଦ୍ରା ହୋଇ ଯାହାଙ୍କ ନାଟକ ଦେଖୁଥିଲେ । ଆଜିବି ତାଙ୍କ ନାଟକକୁ ନେଇ ଉତ୍ସାହ ଓ ଉଦ୍ଧିପନା ତେବେ ବିଗତ ୨ ବର୍ଷ ହେଵ କରୋନା ପାଇଁ ନାଟକ ବନ୍ଦଥିଲା ,ଉତ୍ସବ କେବଳ ଶ୍ରଦ୍ଧାଞ୍ଜଳିରେ ଅଟକି ରହିଥିବା ବେଳେ ଚଳିତ ବର୍ଷ ନାଟକ ପରିବେଷଣ ହେଉଥିବାରୁ ସମସ୍ତ ଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।
କଟକ ଜିଲ୍ଲା ମାହାଙ୍ଗା ଥାନାର ଏକ ଅଖ୍ୟାତ ପଲ୍ଲୀ ଗାଁ’ କୋଠପଦାକୁ ଓଡ଼ିଆ ନାଟ୍ୟ କଳାର ତୀର୍ଥଭୂମିରେ ପରିଣତ କରିଥିବା ଯାତ୍ରାବାଲା ଆଉ କେହି ନୁହଁନ୍ତି, ସେ ହେଉଛନ୍ତି କ୍ରାନ୍ତିଦ୍ରଷ୍ଟା ସାରସ୍ୱତ ସାଧକ ଗଣକବି ବୈଷ୍ଣବ ପାଣି । ମାତ୍ର ପଞ୍ଚମ ଶ୍ରେଣୀରୁ ଅଟକି ଯାଇଥିଲା ଗଣକବିଙ୍କ ସ୍କୁଲ ଶିକ୍ଷା । ଦାରିଦ୍ର୍ୟ ସାଜିଲା ପ୍ରତିବନ୍ଧକ ।
ରଘୁନାଥ ଜୀୟୁ ମଠରେ ଗାଈ ଜଗୁଆଳି ଭାବରେ ମିଳିଯାଇଥିଲା ନିଯୁକ୍ତି । ତା’ ସହିତ ଠାକୁରଙ୍କ ପାଇଁ ଫୁଲତୋଳା ଓ ଫୁଲଗୁନ୍ଥା କାମ । କୋଠପଦା ମାଇନର ସ୍କୁଲରେ ରୋଷେଇୟା ଦାୟୀତ୍ୱ ମଧ୍ୟ ମିଳିଥିଲା ବୈଷ୍ଣବଙ୍କୁ । ଯାତ୍ରା ଓସ୍ତାଦୀ, ପାଲା ଗାୟକ, ଶହଶହ ଗୀତିନାଟ୍ୟର ସଫଳ ସ୍ରଷ୍ଟା । ୧୯୦୩ ମସିହାରେ ସେ ସୃଷ୍ଟି କଲେ ପ୍ରଥମ ଗୀତିନାଟ୍ୟ ମେଘନାଦ ବଧ । ଯେଉଁ କାଳଜୟୀ ସ୍ରଷ୍ଟା ୧୮୮୨ କୁମାର ପୂର୍ଣ୍ଣିମାରେ ଜନ୍ମହୋଇ ୧୯୫୬ ବୈଶାଖ ଅମାବାସ୍ୟାରେ ଚିରନିଦ୍ରାରେ ଶୋଇଗଲେ । ସେଇ ମହାନ ସାଧକ ଏ ଜାତିକୁ ଦେଇଯାଇଛନ୍ତି ଅଜସ୍ର ଗୌରବଜ୍ୱଳ ସାରସ୍ୱତ ସଂଭାର । ତା’ଙ୍କ ନିର୍ଦ୍ଦେଶିତ ଯାତ୍ରା, ତା’ଙ୍କ ବିରଚିତ ଗୀତିନାଟ୍ୟ, ତା’ଙ୍କ ନାଟକ, ତା’ଙ୍କ ଭଜନ, ଜଣାଣ, ଛାନ୍ଦ, ଚମ୍ପୁ, ଆତ୍ମଜୀବନୀ ଓ କାହାଣୀ, ସବୁ ଯେମିତି ଓଡ଼ିଆ ବାଣୀ ଭଣ୍ଡାର ପାଇଁ ମହାର୍ଘ୍ୟ ସମ୍ପତ୍ତି ।
ପାଣିସାହିତ୍ୟକୁ ନେଇ ଅନେକ ଗବେଷଣା ହୋଇଛି । ମାତ୍ର ଗବେଷକ ମାନଙ୍କ ପାଇଁ ପାଠାଗାର ଟିଏ ନାହିଁ ।
ତେବେ ଦୁଃଖ ଦୁର୍ଦ୍ଦିନ ଭିତରେ ଜୀବନ ବିତେଇଥିବା ଆମ ମାଟିର ଏହି ଯଶସ୍ବୀ ସ୍ରଷ୍ଟାଙ୍କୁ ତାଙ୍କ ଜନ୍ମମାଟି ଆଜିବି ଝୁରୁଛି, ପୂଜ୍ୟ ପୂଜା ଜାରିରଖିଛି । ଜନ୍ମମାଟି କୋଠପଦାରେ ଅଣନାତି ଚନ୍ଦ୍ରଭାନୁ ଆଚାର୍ୟ୍ୟ ଗଣକବି ଙ୍କ ଦ୍ଵାରା ବ୍ୟବହୃତ ନିତ୍ୟ ବ୍ୟବହାର ସାମଗ୍ରୀ ଓ ବହିକୁ ପ୍ରଦର୍ଶିତ କରି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ ।ତାଙ୍କର ସ୍ମୃତିରେ ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ଦାବି ଦୋହରାଇ ଥିଲେ । ଜୟନ୍ତୀ କେବଳ ସ୍ମୃତି ସଭା କଲେ ଚଳିବ ନାହିଁ, ପରନ୍ତୁ ସ୍ମୃତି ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ଆବଶ୍ୟକ ।