Saturday , June 10 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ହବିଷିଆଳି ୩ ହଜାର ମା’ମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା

ହବିଷିଆଳି ୩ ହଜାର ମା’ମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା

ପୁରୀ, ୦୮ /୧୦/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ୧୦ ତାରିଖ ଧର୍ମ ହବିଷର ମାସ କାର୍ତ୍ତିକର ପ୍ରଥମ ଦିନ। ଧର୍ମମାସ ଆରମ୍ଭ ହେଉଥିବାରୁ କାର୍ତ୍ତିକ ବ୍ରତ ଲାଗି ଶ୍ରୀକ୍ଷେତ୍ରକୁ ହବିଷିଆଳିଙ୍କ ସୁଅ ଛୁଟିବ। କୋଭିଡ଼ ପାଇଁ ଦୁଇବର୍ଷ ହେବ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷିଆଳି ମା’ମାନଙ୍କ ପାଇଁ ଯେଉଁ ହବିଷିଆଳି ଯୋଜନା କରାଯାଇଥିଲା ତାହା ବନ୍ଦ ରହିଥିଲା। ଏଥର ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ସରକାର ହବିଷିଆଳିମାନଙ୍କ ଲାଗି ମାଗଣାରେ ରହିବା, ମହାପ୍ରଭୁଙ୍କ ଦର୍ଶନ ସୁବିଧା, ମହାପ୍ରସାଦ ସେବନ ଆଦି ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ଚଳିତବର୍ଷ ହବିଷିଆଳି ଯୋଜନାରେ ରାଜ୍ୟର ୨୯ଟି ଜିଲ୍ଲାରୁ ୨,୯୩୫ ଜଣ ନାମ ପଞ୍ଜୀକରଣ କରିଛନ୍ତି। କେବଳ ମାଲକାନଗିରି ଜିଲ୍ଲାରୁ କେହି ଆବେଦନ କରିନାହାନ୍ତି। ତେଣୁ ଏଥର ୩ ହଜାର ମା’ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି। ପୁରୀ ଜିଲ୍ଲାରୁ ସର୍ବାଧିକ ୯୬୪, ଖୋର୍ଦ୍ଧା ୭୩୦, ଗଞ୍ଜାମ ୩୭୦, ନୟାଗଡ଼ ଜିଲ୍ଲାରୁ ୨୭୦ ଜଣ ହବିଷିଆଳି ଆସିବେ। ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ମା’ମାନେ ପୁରୀ ଆସିବେ। ସେମାନଙ୍କ ପାଇଁ ୫ଟି ରହଣି କେନ୍ଦ୍ରର ବ୍ୟବସ୍ଥା ହୋଇଛି। ସ୍ଥାୟୀ ରହଣି କେନ୍ଦ୍ର ବୃନ୍ଦାବତୀ ନିବାସରେ ପୁରୀ, ଗଞ୍ଜାମ ଓ ନୟାଗଡ଼ର ୧,୬୦୪ ଜଣ, ବଗଲା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା ଓ ଅକ୍ଷୟ ପାତ୍ରରେ ଖୋର୍ଦ୍ଧା ଜିଲ୍ଲାର ୭୩୦ ଜଣ ଏବଂ ବଳକା ୨୫ଟି ଜିଲ୍ଲାର ୬୦୧ ଜଣ ହବିଷିଆଳି ମୋଚିସାହି କଲ୍ୟାଣ ମଣ୍ଡପରେ ରହିବେ ବୋଲି ସ୍ଥିର କରାଯାଇଛି।

ସେହିପରି ରହଣି କେନ୍ଦ୍ରର ତଦାରଖ ପାଇଁ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଉପଜିଲ୍ଲାପାଳ ଭବତାରଣ ସାହୁ ସବୁ ରହଣି କେନ୍ଦ୍ର ବୁଲି ତଦାରଖ କରିବେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକଙ୍କୁ ବୃନ୍ଦାବତୀ ଭକ୍ତ ନିବାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଅକ୍ଷୟପାତ୍ର ଓ ବଗଲା ଧର୍ମଶାଳା, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁଙ୍କୁ  ମୋଚିସାହି କଲ୍ୟାଣ ମଣ୍ଡପ ଏବଂ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ  ବାଗେଡ଼ିଆ ଧର୍ମଶାଳାର ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published.