ଭୁବନେଶ୍ୱର, ୦୮/୧୦/୨୦୨୨ (ଓଡ଼ିଶା ସମାଚାର)- ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୪୩ତମ ଶ୍ରାଦ୍ଧୋତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ରେଳଷ୍ଟେସନ୍ ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତିସ୍ଥଳୀରେ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଅଛି । ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ଦୀପଦାନ କରି ଉପସ୍ଥିତ ଶ୍ରଦ୍ଧାଳୁମାନେ ତାଙ୍କର ସ୍ମୃତିଚାରଣ କରିବା ସହିତ ଲୋକନାୟକ ଜୟପ୍ରକାଶ ବିଦେଶରେ ଶିକ୍ଷାଲାଭ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପତ୍ନୀ ପ୍ରଭାବତୀଙ୍କ ସହିତ କଂଗ୍ରେସ ଦଳରେ ଯୋଗଦାନ କରିବା ସଂଗେସଂଗେ ସ୍ୱାଧୀନତା ସଂଗ୍ରାମରେ ସାମିଲ୍ ହୋଇ ବହୁବାର କାରାବରଣ କରିଥିଲେ । ତାଙ୍କ ପତ୍ନୀ ପ୍ରଭାବତୀ ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମରେ ଅବସ୍ଥାନ କରିବା ସହ ଜାତିର ପିତାଙ୍କ ଓଡ଼ିଶା ପଦଯାତ୍ରା ସମୟରେ ନିଜକୁ ସାମିଲ୍ କରିଥିଲେ । ପରବର୍ତୀ ଅବସ୍ଥାରେ ଜୟପ୍ରକାଶ କଂଗ୍ରେସ ଦଳ ପରିତ୍ୟାଗ କରି କରି ଭାରତ ବର୍ଷରେ ଗଣତନ୍ତ୍ରକୁ ସୁରକ୍ଷା ଦେବାପାଇଁ ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ଆରମ୍ଭ କରି ଯୁବ, ଛାତ୍ରମାନଙ୍କୁ ଏହି ଆନ୍ଦୋଳନରେ ଅଧିକ ସଂଖ୍ୟାରେ ସାମିଲ୍ କରିପାରିଥିଲେ । ତାଙ୍କ ଉଦ୍ୟମରେ ସମସ୍ତ ଅଣକଂଗ୍ରେସ ଶକ୍ତି ଏକତି୍ରତ ହୋଇ ଜନତା ପାର୍ଟି ଗଠନ ହୋଇ ଏହି ଦଳ ୧୯୭୭ ମସିହାରେ ଭାରତ ବର୍ଷରେ ପ୍ରଥମ ଅଣକଂଗ୍ରେସ ସରକାର ଗଠନ କରିବାରେ ସଫଳ ହୋଇଥିଲା । କୌଣସି କ୍ଷମତା ଓ ପଦପଦବୀ ମୋହକୁ ପରିତ୍ୟାଗ କରି ଭାରତ ବର୍ଷର ସାଧାରଣ ଲୋକଙ୍କ ଅଧିକାର ପାଇଁ ସେ ସାମଗ୍ରିକ ଜୀବନ ଲଢେଇ କରିବା ସହିତ ଭାରତ ବର୍ଷରେ ସୁସ୍ଥ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ କରିଚାଲିଥିଲେ । ଏହି କାର୍ଯ୍ୟକ୍ରମରେ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ଲୋକନାୟକଙ୍କ ବନ୍ଦନା ଗାନ କରିଥିବା ବେଳେ ବିଧାୟକ ପ୍ରଫୁଲ୍ଲ ସାମଲ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀ, ଉଇ ଫର ଭୁବନେଶ୍ୱରର କର୍ମକର୍ତା ନରେନ୍ ସାହୁ, ଉମାନାଥ ମିଶ୍ର, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ସତ୍ୟ ଜେନା ଆଦି ଯୋଗଦାନ କରିଥିଲେ । ଓଡ଼ିଶା ସମାଚାର