Wednesday , May 31 2023
Home / କୃଷି / ମାର୍ଗଶୀର ପ୍ରଥମ ଗୁରୁବାର ‘ମାଣ୍ଡିଆ ଦିବସ’

ମାର୍ଗଶୀର ପ୍ରଥମ ଗୁରୁବାର ‘ମାଣ୍ଡିଆ ଦିବସ’

ଭୁବନେଶ୍ୱର,୦୮ /୧୦/୨୦୨୨ (ଓଡ଼ିଶା ସମାଚାର)- ଏଥର ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ। ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ। ଏଥିପାଇଁ ଚଳିତବର୍ଷ ନଭେମ୍ବର ୧୦ତାରିଖରେ ପାଳନ ହେବ ଏହି ଦିବସ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ରାଜ୍ୟ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ହିତକର ପୁଷ୍ଟି ଶସ୍ୟର ବହୁଳ ପ୍ରଚାର ଓ ବ୍ୟବହାର ଏହାର ମୂଳ ଲକ୍ଷ୍ୟ ରଖାଯାଇଛି। ‘ମିଲେଟ୍ ଦିବସ’ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରସ୍ତାବ ଦିଆଯାଇଥିଲା।  ମିଲେଟ୍ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି। ପରବର୍ତ୍ତୀ ବର୍ଷମାନଙ୍କରେ ଏହି ଦିବସକୁ ନିୟମିତଭାବେ ପାଳନ କରାଯିବ। ଏହି ଦିନରେ ସୋସିଆଲ ମିଡିଆରେ ମିଲେଟ୍ କୁ ନେଇ ବିଭିନ୍ନ କ୍ୟାମ୍ପେନ୍ କରାଯିବ। ଏହାସହିତ ବିଭିନ୍ନ ସ୍ଥାନରେ ମିଲେଟର ବ୍ୟବହାରକୁ ନେଇ ସଚେତନତା କାର୍ଯ୍ୟକ୍ରମମାନ କରାଯିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ମିଲେଟ୍ କାଫେ, ମିଲେଟ୍ ଟିଫିନ୍ ସେଣ୍ଟର ଆଦି ମାଧ୍ୟମରେ ମିଲେଟ୍ ର ଆହୁରି ଅଧିକ ପ୍ରଚାରପ୍ରସାର କରାଯିବ। ଏହାବ୍ୟତିତ ଏହି ଦିବସ ମାଧ୍ୟମରେ ଆହୁରୀ ଅଧିକରୁ ଅଧିକ ଚାଷୀଙ୍କୁ  ସାମିଲ କରାଯିବ। ଫଳରେ ଚାଷୀମାନେ ଲାଭବାନ୍ ହେବା ସହ ସମସ୍ତଙ୍କ ଖାଦ୍ୟ ଥାଳିରେ ମିଲେଟ୍ କୁ ସାମିଲ କରିବାର ଉଦ୍ଦେଶ୍ୟ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ୍ ର ପ୍ରଚାର ପ୍ରସାର ଓ ଖାଦ୍ୟ ଥାଳିରେ ଲଘୁ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍ ମିଶନ୍ ’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ବିଭାଗ ଦ୍ୱାରା ରାଜ୍ୟର ୧୯ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଛି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମିଲେଟ୍ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। କୃଷି ଓଡ଼ିଶାରେ ମିଲେଟ୍ ଏବେ ‘ମାସ୍କଟ’ଭାବେ ପରିଚିତ। ରାଜ୍ୟରେ ଦିନକୁ ଦିନ ମାଣ୍ଡିଆର ଚାହିଦା ବଢ଼ୁଛି। ଏହାସହିତ ମିଲେଟ୍ ଜାତୀୟ ଖାଦ୍ୟର ପ୍ରଚାର ପ୍ରସାର ପ୍ରଣାଳୀକୁ ଏବେ ଅନ୍ୟ ରାଜ୍ୟମାନେ ମଡେଲ ଭାବେ ଗ୍ରହଣ କରୁଛନ୍ତି। ମିଲେଟ୍ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍ ମିଶନ୍ ଦ୍ୱାରା ନିଆଯାଇଥିବ ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ବୋଲି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ  ସ୍ୱୀକୃତି ମିଳିଛି। ଏହାସହିତ ଭାରତ ସରକାର ମିଲେଟ୍ ର ପ୍ରୋତ୍ସାହନ ପାଇଁ ଓଡ଼ିଶା ମଡେଲ୍ କୁ ଆପଣାଇବା ପାଇଁ ଅନ୍ୟ ରାଜ୍ୟଗୁଡିକୁ ପରାମର୍ଶ  ଦେଇଛନ୍ତି। ଏହା ଚାଷୀଙ୍କ ଚାଷଜମି ଓ ଲୋକଙ୍କ ଦୈନିକ ଆହାରରେ ମିଲେଟ୍ କୁ  ପୁନର୍ଜୀବିତ କରି ଅନେକ ଚାଷୀଙ୍କ ଜୀବିକା ନିର୍ବାହ  କରିବାରେ ସାହାଯ୍ୟ କରିଛି। ଏହି ମିଲେଟ୍ ମିଶନ୍ ମାଧ୍ୟମରେ ଗ୍ରାମୀଣ ତଥା ସହରାଞ୍ଚଳର ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି। କେବଳ ସେତିକି ନୁହେଁ, ମାଣ୍ଡିଆର ବ୍ୟବହାର ବଢ଼ାଇବା ପାଇଁ କୃଷି ବିଭାଗ ଅଧିନରେ ଓଡ଼ିଶା ମିଲେଟ୍ ମିଶନ୍ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି।

ଜାତିସଂଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ଘୋଷଣା କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷକୁ ସକ୍ରିୟ ଭାବରେ ପାଳନ କରିବା ସହିତ ମିଲେଟ୍ ବ୍ୟବହାରର ପୁନଃମୂଲ୍ୟାୟନ ଦିଗରେ ପଦକ୍ଷେପ ନିଆଯାଇଛି। ଓଡ଼ିଶା ମିଲେଟ୍ ମିଶନ ପକ୍ଷରୁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ମିଶନ୍ ଶକ୍ତି  ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ୍ ଶକ୍ତି  ଆଉଟ୍ ଲେଟ୍ ଖୋଲାଯାଉଛି। ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ହୋଇଥିବା ମାଣ୍ଡିଆ ତଥା କ୍ଷୁଦ୍ର ଶସ୍ୟରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଛି। ଏହାସହିତ ଏହି ଲଘୁ କ୍ଷୁଦ୍ର ଖାଦ୍ୟ ଶସ୍ୟ(ମିଲେଟ୍ )କୁ ପ୍ରୋସେସିଂ କରାଯାଇ ପ୍ୟାକେଜିଂ ମଧ୍ୟ କରୁଛନ୍ତି। ଏହାବ୍ୟତିତ ମିଲେଟ୍ ର ପ୍ରୋସେସିଂ ପରେ ସେଥିରୁ ମାଣ୍ଡିଆ ପାଉଡର, ମାଣ୍ଡିଆ ଆରିଷା, ଏଣ୍ଡୁରୀ, କାକରା, ମାଣ୍ଡିଆ ଲଡ଼ୁ, ମିକ୍ସର, ପିଠା, ମୁଡ଼୍ କି ଆଦି ଭଳି ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏହାସହିତ ଏସଏଚଜି ମହିଳାମାନଙ୍କ ସହାୟତାରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହାର ପ୍ରଚାରପ୍ରସାର କରାଯାଉଛି।

Leave a Reply

Your email address will not be published.