ବାଲିଆପାଳ, ୦୮ /୧୦/୨୦୨୨ (ଓଡ଼ିଶା ସମାଚାର)- ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କଟୁରିରେ ହାଣି ଥାନା ପରିସରରେ ବିଷ ପିଇଲା ସ୍ୱାମୀ। ଗୁରୁତର ଆହତ ଅବସ୍ଥାରେ ଉଭୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ବାଲେଶ୍ୱର ଜିଲ୍ଲା ସିଂଲା ଥାନା ସମ୍ମୁଖରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।
ପୁଲିସ ସୂଚନା ମୁତାବକ, ବାଲିଆପାଳ ଥାନା ହାସିମପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ ସିଂଲା ଥାନା ଅନ୍ତର୍ଗତ ନହଞ୍ଜରା ଗ୍ରାମର ଜୟନ୍ତୀ ପ୍ରଧାନଙ୍କୁ ୯ ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହ ପରଠାରୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାକୁ ନେଇ ସ୍ତ୍ରୀ ଜୟନ୍ତୀ ସ୍ୱାମୀଙ୍କ ପାଖରେ ନ ରହି ବାପଘରେ ରହି ସିଂଲା ଥାନା ସମ୍ମୁଖରେ କ୍ରିଷ୍ଣା ନାମରେ ଏକ ବିୟୁଟି ପାର୍ଲର କରି ଗୁଜୁରାଣ ମେଣ୍ଟାଉଥିଲେ। ଏହି ଘଟଣାକୁ ନେଇ ପୂର୍ବରୁ ବାଲିଆପାଳ ଏବଂ ସିଂଲା ଥାନାରେ ପୃଥକ ମାମଲା ରହିଛି। ଶୁକ୍ରବାର କୌଣସି କଥାକୁ କେନ୍ଦ୍ରକରି ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଏକ କଟୁରୀ ଧରି ବିୟୁଟି ପାର୍ଲରରେ ପହଞ୍ଚି ଜୟନ୍ତୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହା ପରେ ସେ କଟୁରୀ ସହିତ ସିଂଲା ଥାନାରେ ଆତ୍ମସମର୍ପଣ କରିବା ସହିତ ସେଠାରେ ସେ ବିଷ ପିଇ ଦେଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଆହତ ଜୟନ୍ତୀଙ୍କୁତୀଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ସିଂଲା ପୁଲିସ ପୂର୍ଣ୍ଣଚନ୍ଦ୍ରକୁ ମଧ୍ୟ ବସ୍ତା ପଠାଇଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।