ଭୁବନେଶ୍ୱର, ୦୮ /୧୦/୨୦୨୨ (ଓଡ଼ିଶା ସମାଚାର)- ନକ୍ସଲ ମୁକାବିଲାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ସାମାଜିକ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ସାଧାରଣ ଜନତା ନକ୍ସଲ ହିଂସାର ଶିକାର ହେଲେ ସରକାର ସେମାନଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରୁଛନ୍ତି। ସାଧାରଣ ଜନତାଙ୍କ ପରିବାର ସହ ସହିଦଙ୍କ ପରିବାରଙ୍କ ପାଇଁ ଉଦ୍ଦିଷ୍ଟ ଏହି ଅନୁକମ୍ପା ରାଶିକୁ ଦୁଇଗୁଣ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନରେ ବସିଥିବା ନକ୍ସଲ ମୁକାବିଲା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯଦି କୌଣସି ନକ୍ସଲ ବିରୋଧୀ ଅଭିଯାନରେ କେହି ସୁରକ୍ଷା କର୍ମୀ ସହିଦ ହୋଇଯାଆନ୍ତି ତେବେ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ପରିବର୍ତ୍ତେ ୪୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ସେହିପରି କେହି ସାଧାରଣ ଲୋକ ପ୍ରାଣ ହରାଇଲେ ତାଙ୍କ ପରିବାରକୁ ମିଳୁଥିବା ଅନୁକମ୍ପା ରାଶିକୁ ୨ ଲକ୍ଷ ଟଙ୍କାରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ନକ୍ସଲ ବିରୋଧୀ ଅଭିଯାନ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କିତ ସମୀକ୍ଷା ବୈଠକରେ ଏହାକୁ ଅନୁମୋଦନ ମିଳିଛି। ଏହା ସହିତ ରାଜ୍ୟରେ ଆତଙ୍କବାଦ ନିରୋଧୀ କାର୍ଯ୍ୟକ୍ରମ, ଉଗ୍ର ବାମପନ୍ଥୀ କାର୍ଯ୍ୟକଳାପର ମୁକାବିଲା ଓ ଏହାକୁ ହ୍ରାସ କରିବା ପାଇଁ ଆର୍ଥିକ ଅନୁଦାନକୁ ଗତ ବର୍ଷ ତୁଳନାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇ ୮୫.୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ବିଶେଷ କରି ଉଗ୍ର ବାମପନ୍ଥୀ ପ୍ରବଣ ଜିଲ୍ଲା ଗୁଡ଼ିକରେ ସାଧାରଣ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ଥାନୀୟ ଅଧିବାସୀ ଲୋକମାନଙ୍କୁ ଭତ୍ତିଭୂମି ନିର୍ମାଣରେ ଅଂଶୀଦାର କରିବା, ସେମାନଙ୍କ ସହଯୋଗ ନେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବର୍ତ୍ତମାନ ସ୍ଥିତିରେ ସ୍ୱାଭିମାନ ଅଞ୍ଚଳରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଏହି ସବୁ ସ୍ଥାନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି। ବାର୍ଷିକ କାର୍ଯ୍ୟକ୍ରମ ବ୍ୟୟ ପାଇଁ ମଞ୍ଜୁର କରାଯାଇଥିବା ଅର୍ଥ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଖର୍ଚ୍ଚ କରିବେ। ଗତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକ୍ରମ ପାଇଁ ଅନୁଦାନ ୫୦.୫୬ କୋଟି ଟଙ୍କା ରହିଥିଲା। ରାଜ୍ୟରେ ନିୟୋଜିତ ଥିବା ସମସ୍ତ କେନ୍ଦ୍ରୀୟ ବଳ ଓ ସୁରକ୍ଷା କର୍ମୀଙ୍କୁ ଯୋଗାଯୋଗର ସମସ୍ତ ବ୍ୟବସ୍ଥା ଉପଲବ୍ଧ କରାଯାଉଛି। ଅପରେସନ ସମୟରେ କୌଣସି ସମ୍ପତ୍ତି ନଷ୍ଟ ହେଲେ ମଧ୍ୟ ପ୍ରଚଳିତ ମାର୍ଗ ଦର୍ଶିକା ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁଲିସ୍ ଡିଜି ସୁନୀଲ କୁମାର ବଂଶଲ, ଏସିଏସ୍ ଗୃହ ବିଭାଗ ସଞ୍ଜୀବ ଚୋପ୍ରା ଏବଂ ଗୃହ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଅଂଶଗ୍ରହଣ କରିଥିଲେ। ଆଇଜି ଅପରେସନ ଅମିତାଭ ଠାକୁର ପୂର୍ଣ୍ଣାଙ୍ଗ ବିବରଣୀ ରଖିଥିଲେ।