Saturday , December 3 2022
Breaking News
Home / ବିଶେଷ / ଐତିହାସିକ ଓ ପାରମ୍ପରିକ ବଳଦଯାତ୍ରା ଶେଷ

ଐତିହାସିକ ଓ ପାରମ୍ପରିକ ବଳଦଯାତ୍ରା ଶେଷ

ମେଲାଣି ନେଲେ ମା’ ଦୁର୍ଗା , ଅଶ୍ରୁଳ ନୟନରେ ମା ଙ୍କୁ ବିଦାୟ ଦେଲେ ଭୁବନବାସୀ
ଭୁବନ ୦୭/୧୦/୨୦୨୨(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଭୁବନରେ ଐତିହାସିକ ଓ ପାରମ୍ପରିକ ବଳଦଯାତ୍ରା ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବା ବେଳେ ମା ଦୁର୍ଗା ଙ୍କୁ ଅଶ୍ରୁଳ ନୟନରେ ବିଦାୟ ଦେଇ ପୁଣି ଆର ବର୍ଷକୁ ଅପେକ୍ଷା କରିଛନ୍ତି ସମଗ୍ର ଭୁବନବାସୀ । ମହାମାରୀ କରୋନା ଯୋଗୁ ଦୀର୍ଘ ଦୁଇ ବର୍ଷ ହେଲା ଯାତ୍ରା ହୋଇନଥିବା ବେଳେ ଚଳିତ ବର୍ଷ ଧୁମଧାମରେ ପାଳନ ହୋଇଥିଲା ଦଶହରା ପର୍ବ । ବିଜୟା ଦଶମୀ ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ରୁ ଆରମ୍ଭ ହୋଇଥିଲା ଐତିହାସିକ ତଥା ପାରମ୍ପରିକ ବଳଦଯାତ୍ରା । ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଳଦଯାତ୍ରା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବଳଦଯାତ୍ରାର ଅନ୍ୟତମ ସହଯୋଗୀ କାଚରା ସମାଜ ତରଫରୁ ସାଂସଦ ଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ଶାନ୍ତି କମିଟି ସଦସ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବଳଦଯାତ୍ରାର ସ୍ରଷ୍ଟା ଥୋରିଆ ସମାଜ ପ୍ରଥା ,ପରମ୍ପରା ଓ ରୀତି ନୀତି ଅନୁଯାୟୀ ବଳଦଯାତ୍ରା ଅନୁକୂଳ କରିଥିଲା । ବଣିଆ ସଂପ୍ରଦାୟ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ସମୁଦାୟ ୩୨ ଟି ସୁସଜ୍ଜିତ ବଳଦ ଗୁଜୁରୀ ହାଟରୁ ଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ଏକାଦଶୀ ସନ୍ଧ୍ୟାରେ ପାଲାମଣ୍ଡପ ଠାରେ ଆରମ୍ଭ ହୋଇଥିଲା ଚିତାକର୍ଷକ ରାବଣପୋଡି ଓ ଆତସବାଜି ମହୋତ୍ସବ । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରିଥିଲେ । ରାତ୍ର ୧୦ ଘଟିକା ସମୟରେ ଆରମ୍ଭ ହୋଇଥିଲା ବଳଦଯାତ୍ରାର ଅନ୍ତିମ ପର୍ବ ତଥା ମା ଦୁର୍ଗା ଙ୍କ ଭସାଣି ଶୋଭାଯାତ୍ରା । ଭସାଣି ଯାତ୍ରାରେ ସମୁଦାୟ ୩୨ ଟି ବଳଦ ଓ ୧୩ ଟି ଦୁର୍ଗା ମେଢ ସାମିଲ ହୋଇଥିଲା । ତୁହାକୁ ତୁହା ବର୍ଷା ସତ୍ୱେ ପାରମ୍ପରିକ ବାଦ୍ୟ , ଲୋକନୃତ୍ୟ ସାଙ୍ଗକୁ ,ମ୍ୟୁଜିକ ଗ୍ରୁପ ଓ ଡିଜେ ସାଉଣ୍ଡର ତାଳେତାଳେ ଯୁବଗୋଷ୍ଠୀ ନୃତ୍ୟ କରି ଏକାଦିନକେ ୨ ବର୍ଷର ମଜା ନେଇଥିଲେ । ମଧ୍ୟାହ୍ନ ୧୨ ଘଟିକା ସମୟରେ ସମସ୍ତ ମେଢ ନୂଆବଜାର ( ବସଷ୍ଟାଣ୍ଡ) ଠାରେ ପହଁଚିବା ପରେ ଆରମ୍ଭ ହୋଇଥିଲା ମେଲଣ । ହରିବୋଲ , ହୁଳହୁଳି , ଶଙ୍ଖ ଧ୍ୱନି ସାଙ୍ଗକୁ ଘଣ୍ଟ , ଘଣ୍ଟା ରେ ପ୍ରକମ୍ପିତ ହୋଇପଡିଥିଲା ସମଗ୍ର ପରିବେଶ । ହଜାର ହଜାର ଦର୍ଶକ ଅଶ୍ରୁଳ ନୟନରେ ମା ଦୁର୍ଗା ଙ୍କୁ ବିଦାୟ ଜଣାଇ ପୁଣି ଅପେକ୍ଷା କରିଥିଲେ ଆର ବର୍ଷକୁ । ନଗରପାଳ ଶୁଭେନ୍ଦୁ କୁମାର ସାହୁ , ସହର ସଂଗଠନ ସଭାପତି ବାସୁଦେବ ବେହେରା ,ଶାନ୍ତି କମିଟି ବରିଷ୍ଠ ସଭ୍ୟ ଦିଲ୍ଲୀପ କୁମାର ଦାସ ଙ୍କ ସମେତ ଶାନ୍ତି କମିଟି ସଦସ୍ୟ ମାନେ ବଳଦ ଯାତ୍ରା କୁ ଶୃଙ୍ଖଳିତ କରିଥିବା ବେଳେ ଆଡିସିନାଲ ଏସପି ପୁରୁଷୋତମ ସେଠୀ ଙ୍କ ତତ୍ୱାବଧାନ ,ଏସଡିପିଓ ରଂଜନ କୁମାର ଦେ, ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ୮୦ ରୁ ଉଦ୍ଧ୍ୱର୍ ପୋଲିସ ଅଫିସର , ୩ ପ୍ଲାଟୁନ ଫୋର୍ସ , ପୋଲିସ କର୍ମଚାରୀ ଗୃହରକ୍ଷୀ ଶାନ୍ତି ଶୃଙ୍ଖଳାରେ ନିୟୋଜିତ ହୋଇଥିଲେ ।

Leave a Reply

Your email address will not be published.