Saturday , December 3 2022
Breaking News
Home / ବିଶେଷ / ମା ମାଣିକେଶ୍ବରୀଙ୍କ ଛତରଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ

ମା ମାଣିକେଶ୍ବରୀଙ୍କ ଛତରଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ

କଳାହାଣ୍ଡି,୦ ୩  /୧୦/୨୦୨୨ (ଓଡ଼ିଶା ସମାଚାର/ ସଂଜୟ ସିଂ)-  କଳାହାଣ୍ଡିର ଆରାଧ୍ୟ ଦେବୀ ମା ମାଣିକେଶ୍ବରୀଙ୍କ ଛତରଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି । ଗତ ଦୁଇ ବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ଛତରଯାତ୍ରା ହୋଇଥିଲା। କିନ୍ତୁ ଚଳିତ ବର୍ଷ କଟକଣା ମୁକ୍ତ ଛତରଯାତ୍ରା ଯୋଗୁଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। କଳାହାଣ୍ଡିର ବିରବାଦ୍ୟ ଘୁମୁରା, ଗଣା ବାଜା, ଘଣ୍ଟ ଦଳ ଏବଂ ଆଦିବାସୀ ବାଦ୍ୟରେ ଦୁଲୁକୁ ଥିଲା ଭବାନୀପାଟଣା ସହର ।  ଜେନାଖାଲରୁ ସକାଳ ୬ ଟା ରୁ ବାହାରି ଭକ୍ତଙ୍କ ଗହଣରେ ଝୁମି ଝୁମି ମନ୍ଦିରରେ ପହଞ୍ଚି ଥିଲେ ମାଁ ଙ୍କ ଛତର ।  ରାସ୍ତାର ଉଭୟ ପାର୍ଶ୍ୱରେ ଲକ୍ଷାଧିକ ଭକ୍ତ ମାନେ ମାଁଙ୍କୁ ଦର୍ଶନ କରି  ଆଶିଷ ଭିକ୍ଷା କରିଥିଲେ। ଶ୍ରଦ୍ଧାଳୁମାନେ ମାଁଙ୍କ ପାଖରେ କୁକୁଡ଼ା, ବୋଦା, ଛେଳି ଇତ୍ୟାଦି ବଳି ଦେଇଥିଲେ । ଭବାନୀପାଟଣା ରାସ୍ତା ଜେନାଖାଲରୁ ମାଁ ମାଣିକେଶ୍ବରୀ ମନ୍ଦିର ପର୍ଯନ୍ତ ରାସ୍ତା  ପଶୁ ଏବଂ ପକ୍ଷୀଙ୍କ ବଳିରେ ରକ୍ତରଞ୍ଜିତ ହୋଇଥିଲା । ଚଳିତ ବର୍ଷ ମାନସିକଧାରୀଙ୍କ ମନସ୍କାମନା ଅନୁଯାୟୀ  ହଜାର ସଂଖ୍ୟାରେ ବଳି ଦେଇଥିବା ବେଳେ ଅନେକ ଶ୍ରଦ୍ଧାଳୁ ବଳିରୁ ନିବୃତ ହୋଇ  ନଡ଼ିଆ ଭୋଗ ଲଗାଇଥିଲେ ଏବଂ ଶାନ୍ତିର ପ୍ରତୀକ ଭାବେ ପାରାକୁ ମାଁଙ୍କ ଛତର ଉପରେ ଉଡ଼ାଇ ଥିଲେ।  ବଳିପ୍ରଥା ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଗାଁ ରେ ସଚେତନ କାର୍ଯ୍ୟକ୍ରମ ହୋଇଥିଲା ।

କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା କୁ ହିଁ ବୁଝାଇଥାଏ । ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋହଳ ଦିନ ବ୍ୟାପି ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଅନୁଷ୍ଠିତ ହେଇଥାଏ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ମାଣିକେଶ୍ୱରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନନ୍ୟ ଏବଂ ସ୍ୱତନ୍ତ୍ର । ମହାଷ୍ଟମୀ ତିଥିର ପ୍ରତ୍ୟୁଷରୁ ଛତର ଯାତ୍ରା ହେଇଥାଏ । ପ୍ରତିବର୍ଷ ଆଶ୍ୱିନ, ମୂଳାଷ୍ଟମୀ ତିଥିରେ ମାଣିକେଶ୍ୱରୀ ଙ୍କ ମାଟି ନିର୍ମିତ ନୂତନ ମୁଣ୍ଡ ସ୍ଥାପନ ପୂର୍ବକ ନବ କଳେବର ଅନୁଷ୍ଠିତ କରାଯାଇଥାଏ । ଜେନାଖାଲ ଠାରୁ ମାଣିକେଶ୍ୱରୀଙ୍କ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୪ କିମି ରାସ୍ତାରେ ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ମାଙ୍କର ବିଜୟ ପ୍ରତିମା ଛତରକୁ ଧୂପ ଦୀପ ନୈବେଦ୍ୟ ସହ ନିଜର ସୁଖ ଓ ସମୃଦ୍ଧି କାମନା କରି ହଜାର ହଜାର ଛାଗଳ ବଳି ଦେଇ ଦେବୀଙ୍କ ସ୍ୱାଗତ କରି ଥାନ୍ତି । ଏହା ବ୍ୟତୀତ ବିଶ୍ୱ ଶାନ୍ତି, ମୈତ୍ରୀ ଓ ଭାତୃଭାବ ର ପ୍ରତୀକ ଶକ୍ତିର କପୋତ ପାରା କୁ ମା ଙ୍କ ଛତର ଉପରକୁ ଉଡାଇଥାନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.