Wednesday , May 31 2023
Breaking News
Home / ବିଶେଷ / କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡା, ୦୩/୧୦/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ରବିବାର କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରତୁ୍ୟଷରେ କେନ୍ଦ୍ରାପଡା ପୌରାଂଚଳରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୂନ ପ୍ରଚାର କରାଯାଇଥିଲା । ସକାଳ ସାଢେ ୮ଟା ସମୟରେ ଗରାପୁର ଡାକବଙ୍ଗଳା ଛକରେ ଏବଂ ପରେ ପୁରୁଣା ବସଷ୍ଟାଣ୍ଡରେ ଥିବା ଥିବା ଗାନ୍ଧୀ ପ୍ରତିମୂର୍ତିରେ ମୁଖ୍ୟ ଅତିଥି ତଥା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ସମ୍ମାନୀତ ଅତିଥି ନଗରପାଳ ସରିତା ସାହୁ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମ ସମିତି ସଭାପତି ବିମ୍ବାଧର ମୁଦୁଲି, ଉପସଭାପତି ଫକିରମୋହନ ଦାସ, ଅବସରପ୍ରାପ୍ତ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିଥିଲେ । ଏହାପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗାନ୍ଧି ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ସାମୁହିକ ମାଲ୍ୟାର୍ପଣ କରାଯିବା ପରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମାଧବ ଚନ୍ଦ୍ର ନନ୍ଦ ବେଦପାଠ କରିଥିବା ବେଳେ ଧ୍ରୁବ ଚରଣ ନାୟକ ବାଇବେଲ ପାଠ ଏବଂ ଜନାବ୍ ମହମ୍ମଦ ଏନାୟାତୁଲ୍ଲା କୋରାନ ପାଠ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସେଠୀ ଓ ସମ୍ମାନୀତ ଅତିଥି ଶ୍ରୀମତୀ ସାହୁ ସମସ୍ତ ଧର୍ମଗୁରୁ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉତରୀୟ ଏବଂ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଉପଖନ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବଳିଆରସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ ଓ ମଂଚ ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟାରେ ପୌରସଂସ୍ଥା ଟାଉନହଲ ପରିସରରେ ଗାନ୍ଧି ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ଓଡ଼ିଶା ସମାଚାର

Leave a Reply

Your email address will not be published.