Friday , December 9 2022
Breaking News
Home / ବିଶେଷ / ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି : ବେକାରୀଙ୍କୁ ଉପହାସ – ସମାଜବାଦୀ ପାର୍ଟି

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି : ବେକାରୀଙ୍କୁ ଉପହାସ – ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୦୩/୧୦/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କର ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପୁନଃ ନିଯୁକ୍ତିର ମସୁଧା, ବେକାରୀଙ୍କ ପ୍ରତି କଠୋର ଉପହାସ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ କୁହାଯାଇଛି । ରାଜ୍ୟରେ ୮ ଲକ୍ଷ ୮୩ ହଜାର ରେଜେଷ୍ଟି୍ରଭୁକ୍ତ ବେକାର ଓ ପାଖାପାଖି ୨୫ ରୁ ୩୦ ହଜାର ଯୁବକ ଯୁବତୀ କାମଧନ୍ଦା ଅନ୍ୱେଷଣରେ ରାଜ୍ୟ ବାହାରେ ଯାଇ ଦାଦନ ଖଟୁଥିଲା ବେଳେ ରାଜ୍ୟ ସରକାରଙ୍କର ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ବେକାରୀଙ୍କ କଟା ଘା’ରେ ଚୁନ ସଦୃଶ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ଅଭିଯୋଗ କରିଛନ୍ତି । ଶାସକ ବିଜେଡ଼ି ଦଳ ୨୦୧୯ ନିର୍ବାଚନ ଇସ୍ତାହାରରେ ବର୍ଷକୁ ୨ ଲକ୍ଷ ବେକାରଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିଲା । ଆଜି ବି ରାଜ୍ୟ ସରକାରଙ୍କର ୨ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି । ଏବଂ ରାଜ୍ୟରେ ବେକାରୀ ହୁ ହୁ ହୋଇ ବଢୁଥିଲାବେଳେ ସରକାର ଖାଲି ପଦବୀରେ ବେକାରଙ୍କୁ ନିଯୁକ୍ତି ନ ଦେଇ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ହାସ୍ୟାସ୍ପଦ ଏବଂ ଏହାକୁ ସମାଜବାଦୀ ପାର୍ଟି ବିରୋଧ କରୁଛି । ତୁରନ୍ତ ସରକାର ବେକାରୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟାର ଆରମ୍ଭ କରିବାକୁ ପାର୍ଟି ଦାବି କରିବା ସେଙ୍ଗସେଙ୍ଗ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଆଦୌ ଗ୍ରହଣୀୟ ନୁହେଁ ଏହାକୁ ସର୍ବାନ୍ତକରଣରେ ବିରୋଧ କରାଯିବ ବୋଲି ଶ୍ରୀ ବେହେରା ସରକାରଙ୍କୁ ସୂଚାଇ ଦେଇଛନ୍ତି । ଶାସକ ବିଜେଡ଼ି ଦଳ ତା’ର ନିର୍ବାଚନ ଇସ୍ତାହାରକୁ ସମ୍ମାନ ଜଣାଇ ତୁରନ୍ତ ୨ଲକ୍ଷ ବେକାରଙ୍କୁ ନିଯୁକ୍ତି ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।

Leave a Reply

Your email address will not be published.