ଟାଙ୍ଗି (ଖୋର୍ଦ୍ଧା) ୦୨ /୧୦/୨୦୨୨ ଓଡିଶା ସମାଚାର ( ଦୀପକ ପ୍ରଧାନ) :ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜାର ଷୋଡ଼ଶ ଦିବସ ଓ ନବରାତ୍ରର ସପ୍ତମ ଦିବସର ପବିତ୍ର ମହାସପ୍ତମୀରେ କଲ୍ୟାଣମୟୀ ଜଗଜ୍ଜନନୀ ମା ଉଗ୍ରତାରା ଓ ମା ବନଦୁର୍ଗା ପୁଷ୍ପମାଲ୍ୟାଦି ସୁବାସିତ ଦ୍ରବ୍ୟ ଦ୍ବାରା ବିମଣ୍ଡିତ ହୋଇ କାଳରାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ମୁଳିଝରଗଡ ସ୍ଥିତ ମା ଉଗ୍ରତାରା ଓ ରାମେଶ୍ଵର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ଦର୍ଶନ ଲାଗି ଆଜି ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ବିଶ୍ବର ମଙ୍ଗଳ କାମନା କରି ସ୍ତୁତି ପାଠ ଦ୍ବାରା ତ୍ରିଦିବସୀୟ ଯଜ୍ଞର ଦ୍ବିତୀୟ ଦିବସରେ ସକାଳୁ ମା ମାନଙ୍କର ମଙ୍ଗଳ ଆଳତି,କଳଶ ପୂଜା, ସୂର୍ଯ୍ୟ ପୂଜା, ଆବାହିତ ଦେବା ଦେବୀଙ୍କ ପୂଜନ ଓ ଆହୁତି ପ୍ରଦାନ କରାଯାଇଛି। ମାଙ୍କୁ ପାୟସଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତି ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଆଳତି ପୁଷ୍ପାଞ୍ଜଳି, ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ ବୋଲି ଉଭୟ ମନ୍ଦିର ମୁଖ୍ୟ ପୂଜକ କହିଛନ୍ତି।