Wednesday , May 31 2023
Breaking News
Home / ବିଶେଷ / ସରକାରୀ ଜମି ଜାଲିଆତି ଘଟଣା: ଜିଲ୍ଲା ପ୍ରଶାସନ ପ୍ରତିଶୃତି ପାଳନ ନକଲେ ପୁନର୍ବାର ଧାରଣା ଚେତାବନୀ

ସରକାରୀ ଜମି ଜାଲିଆତି ଘଟଣା: ଜିଲ୍ଲା ପ୍ରଶାସନ ପ୍ରତିଶୃତି ପାଳନ ନକଲେ ପୁନର୍ବାର ଧାରଣା ଚେତାବନୀ

କେନ୍ଦ୍ରାପଡା,୦୧/୧୦/୨୦୨୨(ଓଡ଼ିଶା ସମାଚାର)-ବହୁ ଚର୍ଚ୍ଚିତ ପଟ୍ଟାମୁଣ୍ଡାଇ ସରକାରୀ ଜମି ଜାଲିଆତି ଘଟଣାରେ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଧାରଣା ସ୍ଥଳରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ସହିତ ପହଂଚି ପ୍ରଶାସନ ପକ୍ଷରୁ ଧାରଣାକାରୀ ଓଡିଶା ସୂଚନା ଅଧିକାର ଅଭିଯାନର ସଦସ୍ୟ ଦୁଷ୍ମନ୍ତ ନାରାୟଣ ଆଚାର୍ୟ୍ୟଙ୍କୁ ପ୍ରତିଶୃତି ଦେଇଥିଲେ । ପ୍ରଶାସନ ଠାରୁ ପ୍ରତିଶୃତି ପାଇବା ପରେ ଦୁଷ୍ମନ୍ତ ଧାରଣା ପ୍ରତ୍ୟାହାର କରିନେଇଥିଲେ । କିନ୍ତୁ ଅଦ୍ୟାବଧି ପ୍ରଶାସନ ସରକାରୀ ଜମି ଜାଲିଆତି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଓଡିଶା ସୂଚନା ଅଧିକାର ଅଭିଯାନର ସଦସ୍ୟ ଶ୍ରୀ ଆଚାର୍ୟ୍ୟ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କୁ ଭେଟି ଜମି ଜାଲିଆତି ଘଟଣାରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେ ପୁନର୍ବାର ଧାରଣା ଦେବେ ବୋଲି ପ୍ରଶାସନକୁ ଲିଖିତ ଭାବରେ ଚେତାବନୀ ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ସରକାରୀ ଜମି ସରକାରଙ୍କ ଖାତାକୁ ଫେରାଇ ଆଣାଯିବା ସହିତ ସେହି ଜାଲିଆତି ଘଟଣାରେ ସାମିଲ ଥିବା ପଟ୍ଟାମୁଣ୍ଡାଇ ତହସିଲର ପ୍ରାକ୍ତନ ତହସିଲଦାର, ପେସ୍କାର, ଅମିନ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରି ଶ୍ରୀ ଆଚାର୍ୟ୍ୟ ତାଙ୍କର ଦିବାନିଶି ଧାରଣା ଗରାପୁର ଡାକବଙ୍ଗଳା ଛକ ସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତି ପାଖରେ ଗତ ୩୧ଅଗଷ୍ଟରେ ଧାରଣା ଦେଇଥିଲେ । ଧାରଣା ଷଷ୍ଠ ଦିବସରେ ପହଂଚିଥିବା ବେଳେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲିପ କୁମାର ସେଠୀ ଏବଂ କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରା ସେଠାରେ ପହଂଚି ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ପ୍ରଦାନ ପରେ ଶ୍ରୀ ଆଚାର୍ୟ୍ୟ ଧାରଣା ପ୍ରତ୍ୟାହୃତ କରିନେଇଥିଲେ । ଦାବି ମୁତାବକ ପ୍ରାୟ ୨ ଏକର ଜମି ଜାଲିଆତି ଘଟଣାରେ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ତେରୋହି ଗ୍ରାମର କାଶୀନାଥ ଭୋଳ ସଂପୃକ୍ତ ଥିବା ସହିତ ସେହି ସରକାରୀ ଜମିକୁ ହାତେଇ ନେଇଥିବା ଦୁଷ୍ମନ୍ତ ଅଭିଯୋଗ କରିଥିଲେ । ସୂଚନା ଅଧିକାର ଅଭିଯାନ ସଦସ୍ୟ ଦୁଷ୍ମନ୍ତ ତଥ୍ୟ ପ୍ରମାଣ ଆଧାରରେ ଏହି ଜାଲିଆତି ଘଟଣା ସମ୍ପର୍କରେ ଦୁଇମାସ ତଳେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ପ୍ରାୟ ଦେଢମାସ ତଳେ ପଟ୍ଟାମୁଣ୍ଡାଇ ଥାନାରେ ମଧ୍ୟ ଏ ନେଇ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏହି ଘଟଣାରେ ସରକାରୀ କାଗଜପତ୍ର ଜାଲିଆତି ହୋଇଥିବା ସ୍ପଷ୍ଟ ଜଣାପଡୁଥିବା ବେଳେ ଜିଲ୍ଲା ପ୍ରଶାସନ ସବୁ ଜାଣିଶୁଣି ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଘଂଟ ଘୋଡାଉଥିବା ଦୁଷ୍ମନ୍ତ ଅଭିଯୋଗ କରି ଧାରଣାରେ ବସିରହିଥିଲେ । ଧାରଣାର ଷଷ୍ଠ ଦିବସ ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ତହସିଲଦାର ଏବଂ ଉପଜିଲ୍ଲାପାଳ ଧାରଣାସ୍ଥଳରେ ପହଂଚି ଧାରଣାକାରୀ ଦୁଷ୍ମନ୍ତଙ୍କୁ ଆସନ୍ତା ୨ମାସ ଭିତରେ ସେହି ସରକାରୀ ଜମି ଜାଲିଆତିରେ ସଂପୃକ୍ତ ଥିବା ତତ୍କାଳୀନ ତହସିଲଦାରଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ଓ ଜମି ହାତେଇ ନେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏହା ମଧ୍ୟରେ ପ୍ରାୟ ଏକମାସ ଅତିକ୍ରାନ୍ତ ହେବାକୁ ବସିଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବାରୁ ତୁରନ୍ତ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଦୁଷ୍ମନ୍ତ ପୁନର୍ବାର ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.