ଭୁବନେଶ୍ୱର, ୦୧/୧୦/୨୦୨୨ (ଓଡ଼ିଶା ସମାଚାର)-ରାଜ୍ୟର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରମ ତରଫରୁ ଆସନ୍ତା ଅକ୍ଟୋବର ୬ ତାରିଖରୁ ୮ ତାରିଖ ତିନିଦିନ ଧରି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ସନ୍ଧ୍ୟା ୬ ଘଟିକାରେ ଗୁରୁଦକ୍ଷିଣା ଉତ୍ସବ ଅନୁଷ୍ଠିତ ହେବ ବୋଲି ଉତ୍କଳ ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଳାଶ୍ରମର ସମ୍ପାଦକ ଗୁରୁ ନିଦ୍ୟାନନ୍ଦ ଦାସ ସୂଚନା ଦେଇଛନ୍ତି ।
କଳାଶ୍ରମ ତରଫରୁ ଗୁରୁ ନିତ୍ୟାନନ୍ଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୀର୍ଘ ୧୭ ବର୍ଷ ଧରି ଗୁରୁଦକ୍ଷିଣା ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ଓଡ଼ିଶାରେ ଗୁରୁ-ଶିଷ୍ୟର ପରମ୍ପରାକୁ ଉଜ୍ଜିବୀତ ରଖିବା ସହିତ ଦିବ୍ୟାଙ୍ଗ କଳାକାରମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରି କଳା-ସଂସ୍କୃତି-ପରମ୍ପରାର ମହାନତାକୁ ଅତୁଟ ରଖିବା, ସାଧାରଣ କଳାକାର ଓ ଦିବ୍ୟାଙ୍ଗ କଳାକାରଙ୍କୁ ଗୋଟିଏ ମରେ ଏକତ୍ରିତ କରି ଓ ଓଡ଼ିଶାର କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ଅଧିକ ପରିଚିତ କରିବା ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି ଅନୁଷ୍ଠାନର ସମ୍ପାଦକ ଗୁରୁ ନିତ୍ୟାନନ୍ଦ ଦାସ କହିଛନ୍ତି । ପୂର୍ବବର୍ଷ ମାନଙ୍କ ଭଳି ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ଖ୍ୟାତିସମ୍ପନ୍ନ କଳାକାରମାନେ ସେମାନଙ୍କର କଳା, ନୈପୂଣ୍ୟ ପ୍ରଦର୍ଶନ କରିବେ । ଏହି ଅବସରରେ କଳା, ସଂସ୍କୃତି ଓ ପରମ୍ପରା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁ ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକ (ବଂଶୀବାଦକ), ଗୁରୁ ଦିବାକର ମହାନ୍ତି (ବିଶିଷ୍ଟ ସଙ୍ଗୀତଜ୍ଞ) ଏବଂ ଗୁରୁ ସ୍ନେହପ୍ରଭା ସାମନ୍ତରାୟ (ଓଡ଼ିଶୀ ନୃତ୍ୟଗୁରୁ) ତିନିଜଣ ବିଶିଷ୍ଟ ଗୁରୁଙ୍କୁ ‘ଗୁରୁ ଦକ୍ଷିଣା-୨୦୨୨’ ସମ୍ମାନରେ ସମ୍ମାନିତ କରଯିବ । ଏଥିସହିତ ବିଶିଷ୍ଟ ତବଲା ବାଦିକା ରିମ୍ପାଶିବା (କୋଲକତା), ଗୁରୁ ଶ୍ରୀ ଭୀମସେନ ମହାରଣା (ଦିବ୍ୟାଙ୍ଗ ସୀତାର ବାଦକ), ଗୁରୁ ଶ୍ରୀ ଧୀରଜ୍ କୁମାର ମହାପାତ୍ର (ଓଡ଼ିଶୀ ଭୋକାଲିଷ୍ଟ)ଙ୍କୁ ସୃଜନଶୀଳ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ । ଏହି ସମ୍ବାଦିକ ସମ୍ମିଳନୀରେ ଶ୍ରୀ ନିତ୍ୟାନନ୍ଦ ଦାସଙ୍କ ଗୁରୁ ବିମ୍ବାଧର ଦାସ, ଗୁରୁ ବିଜୟ କୁମାର ଦାସ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର