Friday , December 9 2022
Breaking News
Home / ସ୍ୱାସ୍ଥ୍ୟ / ଏମକେସିଜି ରେ  ହେବ କ୍ୟାନସର କେୟାର ସେଣ୍ଟର

ଏମକେସିଜି ରେ  ହେବ କ୍ୟାନସର କେୟାର ସେଣ୍ଟର

୫୫ କୋଟି ଟଙ୍କାରେ ହେବ ସ୍ୱତନ୍ତ୍ର ହସପିଟାଲ

ବ୍ରହ୍ମପୁର, ୨୯/୦୯/୨୦୨୨ (ଓଡ଼ିଶା ସମାଚାର)-  ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ପରିସରରେ କ୍ୟାନସର କେୟାର ସେଣ୍ଟର ନିର୍ମାଣ ହେବ। ଏଥି ନିମନ୍ତେ ୫୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି କୋଠା ନିର୍ମାଣ ପାଇଁ କଲିକତାର ଏକ ଘରୋଇ ସଂସ୍ଥା ଟେଣ୍ଡର ନେଇଥିବା ଏମକେସିଜି ସହକାରୀ ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ସାହା ସୂଚନା ଦେଇଛନ୍ତି। ଏମକେସିଜି ମେଡିକାଲ ପଡ଼ିଆ ନିକଟରେ ଥିବା ଖୋଲା ସ୍ଥାନରେ ଏହି ନୂତନ କ୍ୟାନସର ସେଣ୍ଟର କୋଠା ନିର୍ମାଣ ପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା। ଏ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ କିଛି ଦିନ ପୂର୍ବରୁ ଡିପିଆର ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା। ଏମକେସିଜି ଖେଳପଡ଼ିଆ ନିକଟରେ ଥିବା ୧୪ ହଜାର ବର୍ଗଫୁଟ ଖୋଲା ସ୍ଥାନରେ କ୍ୟାନସର କେୟାର ସେଣ୍ଟର ନିର୍ମାଣ ପାଇଁ ସ୍ଥିର ହୋଇଛି। ଏହି କୋଠା ୪ ମହଲା ବିଶିଷ୍ଟ ହେବ। ସେଠାରେ ୧୦୦ ଶଯ୍ୟାର ଇନଡୋର ସହ କ୍ୟାନସର ରୋଗୀଙ୍କ ପାଇଁ ଆଉଟଡୋର, କନଫେରେନ୍ସ ହଲ, ପାର୍କିଂ ଓ ରୋଗୀଙ୍କ ପ୍ରତୀକ୍ଷାଳୟ ନିର୍ମାଣ କରାଯିବ। ଏମକେସିଜି ର କ୍ୟାନସର ବିଭାଗକୁ ପ୍ରତ୍ୟେକ ଦିନ ୨୦ରୁ ଅଧିକ ରୋଗୀ ଆସୁଥିବା ବେଳେ ବିଶେଷ ସୁବିଧା ନଥିବାରୁ ଅଧିକାଂଶ ରୋଗୀଙ୍କୁ କଟକ ସ୍ଥାନାନ୍ତର କରିଦିଆଯାଉଛି। ସେମାନଙ୍କ ମଧ୍ୟରୁ କିଛି ରୋଗୀ ବାହାର ରାଜ୍ୟକୁ ମଧ୍ୟ ଯାଉଥିବା ଦେଖିବାକୁ ମିଳୁଛି। ଏଠାରେ ଆବଶ୍ୟକୀୟ ଡାକ୍ତର ନଥିବା ବେଳେ ଅତ୍ୟାବଶ୍ୟକୀୟ ସରଞ୍ଜାମ ମଧ୍ୟ ନାହିଁ। ପୂର୍ବରୁ ପୁରୁଣା କୋଠାରେ ଇନଡୋର ରୋଗୀଙ୍କୁ ରଖି ଚିକିତ୍ସା କରାଯାଉଥିବା ବେଳେ ଏବେ ଅସ୍ଥାୟୀ କୋଠରୀରେ ଚିକିତ୍ସା ଜାରିରହିଛି। ଏମକେସିଜି କ୍ୟାନସର ବିଭାଗରେ ଦୀର୍ଘ ଦିନ ଧରି ଅବ୍ୟବସ୍ଥା ଜାରି ରହିଥିବା ଯୋଗୁଁ ଦକ୍ଷିଣ ଓଡ଼ିଶାର ଶହ ଶହ କ୍ୟାନସର ରୋଗୀ ଉପଯୁକ୍ତ ସୁବିଧା ପାଇପାରୁ ନାହାନ୍ତି। ନୂତନ କ୍ୟାନସର କେୟାର ସେଣ୍ଟର ହେଲେ ରୋଗୀଙ୍କୁ ଅତ୍ୟାଧୁକିନ ଚିକିତ୍ସା ସେବା ମିଳିପାରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published.