Friday , December 9 2022
Breaking News
Home / ଶିକ୍ଷା / ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଏଲ.ଆର.ପି ତାଲିମକୁ ନେଇ ଶିକ୍ଷକମାନେ ଅସନ୍ତୁଷ୍ଟ

ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଏଲ.ଆର.ପି ତାଲିମକୁ ନେଇ ଶିକ୍ଷକମାନେ ଅସନ୍ତୁଷ୍ଟ

ଭୁବନେଶ୍ୱର,୨୮/୦୯/୨୦୨୨(ଓଡ଼ିଶା ସମାଚାର)- କୋଭିଡ଼ ମହାମାରୀ ଯୋଗୁଁ ପ୍ରାଥମିକ ଠାରୁ ଉଚ୍ଚ ଶ୍ରେଣୀରେ ୨ବର୍ଷ ଧରି ପାଠପଢା ବ୍ୟାହାତ ହୋଇଥିଲା । ସେଥିପାଇଁ ସରକାର ଆମ ରାଜ୍ୟରେ ବିଦ୍ୟାଳୟ ଗୁଡ଼ିକର ଗ୍ରୀଷ୍ମ ଅବକାଶକୁ ବାତିଲ କରି ସେ ସମୟରେ ବିଦ୍ୟାଳୟରେ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଶିକ୍ଷାଦାନ କରାଇଥିଲେ । କୋଭିଡ଼ ସମୟର (୨ବର୍ଷ) ପାଠପଢାକୁ ପୂରଣ କରିବା ପାଇଁ ଆମ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଶିକ୍ଷକ ପରିପୂରଣ କାର୍ଯ୍ୟକ୍ରମ ବା ଏଲ.ଆର.ପି. । ଏଥିପାଇଁ ଶିକ୍ଷକମାନଙ୍କୁ ସ୍ୱେଚ୍ଛାସେବୀ ସଂଗଠନ (ଏନ.ଜି.ଓ) ଦ୍ୱାରା ତାଲିମ ଦିଆଯାଉଛି । ଯାହାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ (ପିଷ୍ଟା) ବିରୋଧ କରିଛି । ସଂଘ ଦର୍ଶାଇଛି ଯେ, ସ୍ୱେଚ୍ଛାସେବୀ ସଂଗଠନରେ କାର୍ଯ୍ୟ କରୁଥିବା ଅନଭିଜ୍ଞ ବ୍ୟକ୍ତିଙ୍କ ଦ୍ୱାରା ତାଲିମ ଦିଆଯାଉଥିବାରୁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପଦମର୍ଯ୍ୟାଦା କ୍ଷୁର୍ଣ୍ଣ ହେଉଛି । ଆମ ରାଜ୍ୟ ଗଣଶିକ୍ଷା ବିଭାଗରେ ବହୁ ଅଭିଜ୍ଞ ସାଧନକର୍ମୀ (ରିସୋର୍ସ ପର୍ସନ) ଥିବାବେଳେ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା କାହିଁକି ତାଲିମ ଦିଆଯାଉଛି ସେ ନେଇ ସଂଘ ସରକାରଙ୍କୁ ପ୍ରଶ୍ନ କରିଛି । ଏହା କେବଳ ଶିକ୍ଷାକୁ ଘରୋଇକରଣ ଆଡ଼କୁ ନିଆଯାଉଛି ବୋଲି ସଂଘର ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ କହିଛନ୍ତି । ପୁନଶ୍ଚ ଚଳିତ ମାସ ୨୮, ୨୯, ୩୦ ତାରିଖରେ ପ୍ରାରମ୍ଭିକ ଆକଳନ (ବେସ୍ ଲାଇନ ଆସେସମେଂଟ) କରିବା ପାଇଁ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଧେଶ ଦେଇଛନ୍ତି । କିନ୍ତୁ ଏପଟେ ଏହି ୩ ଦିନ ଶିକ୍ଷକ ଶିକ୍ଷୟତ୍ରୀମାନେ ଏଲ୍.ଆର.ପି ତାଲିମ ନେଲେ ବିଦ୍ୟାଳୟରେ କିପରି ପରୀକ୍ଷା କରାଯିବ ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ପ୍ରଶ୍ନ କରିଛନ୍ତି । ଗୋଟିଏ ପଟେ ୭ବର୍ଷ ଧରି ପ୍ରାଥମିକ ବିଦ୍ୟାଳୟରେ ସରକାର ଶିକ୍ଷକ ନିଯୁକ୍ତି କରିନଥିବାରୁ ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଛି । ସେପଟେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଲିମ ଦିଆଯାଉ ଥିବାରୁ ପ୍ରାରମ୍ଭିକ ଆକଳନ ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଛି । ଗଣଶିକ୍ଷା ବିଭାଗର ଏଭଳି ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ ହୋଇପାରୁ ନାହିଁ । ବର୍ତମାନ ସୁଦ୍ଧା ସମସ୍ତ ବିଦ୍ୟାଳୟରେ ପ୍ରାରମ୍ଭିକ ଆକଳନର ପ୍ରଶ୍ନପତ୍ର ମଧ୍ୟ ପହଂଚିନାହିଁ । ତେଣୁ ସ୍ୱେଚ୍ଛାସେବୀ ସଂଗଠନ (ଏନଜିଓ) ତରଫରୁ ତାଲିମ ନ କରି ଗଣଶିକ୍ଷା ବିଭାଗ ତରଫରୁ ପ୍ରାରମ୍ଭିକ ଆକଳନ ପରେ କରିବା ପାଇଁ ପିଷ୍ଟାର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ ସଂଘ ତରଫରୁ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.