Friday , December 9 2022
Breaking News
Home / ବିଶେଷ / କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ରାଜଭବନ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ରାଜଭବନ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର,୨୮/୦୯/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲ୍ଲା ମେଡ଼ିକାଲ କଲେଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା କରି ସରକାର ଜିଲ୍ଲାବାସୀଙ୍କ ଦାବି ପ୍ରତି ସମ୍ମାନ ଜଣାଇବାକୁ ଦାବି କରି ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି । ସେଥିରେ କୁହାଯାଇଛି ସମଗ୍ର ରାଜ୍ୟର ବିକାଶ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲାର ଅବଦାନ କୌଣସି ଗୁଣରେ କମ୍ ନୁହେଁ । ଅଥଚ ଏହା ବିକାଶ କ୍ଷେତ୍ରରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଛରେ ପଡ଼ିଛି । ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଏହି ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ନିଟ୍ ପରୀକ୍ଷାରେ ଉତ୍କର୍ଷ ପ୍ରତିପାଦନ କରୁଥିଲେ ମଧ୍ୟ ଡ଼ାକ୍ତରୀ ଶିକ୍ଷା ପାଇଁ ଏଠାରେ ସୁଯୋଗର ଅଭାବରୁ ବାହାରକୁ ଯାଇ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ଏବଂ ଅନେକ ଏଥିରୁ ସବୁଦିନ ପାଇଁ ବଂଚିତ ରହୁଛନ୍ତି । ଶିଳ୍ପବିହୀନ ଏହି ଜିଲ୍ଲାରେ ନିଯୁକ୍ତି ସୁଯୋଗର ଅଭାବରୁ ପ ପ୍ରାୟ ୮୦ ପ୍ରତିଶତ ଯୁବକ ଦାଦନ ଖଟିବାକୁ ଦେଶରୁ ବିଦେଶ ଯାଏ ଘୂରି ବୁଲୁଛନ୍ତି । ଦାରିଦ୍ର୍ୟ ଓ ଅନଗ୍ରସରତା କାରଣରୁ ଏହି ଜିଲ୍ଲା ମୁଣ୍ଡପିଛା ଆୟରେ ୨୯ତମ ଜିଲ୍ଲା ଭାବେ ସ୍ଥାନିତ । ବିଗତ ୨୨ ବର୍ଷ ମଧ୍ୟରେ ରାଜ୍ୟରେ ସରକାରୀ ମେଡ଼ିକାଲ କଲେଜ ସଂଖ୍ୟା ୩ରୁ ବୃଦ୍ଧି ପାଇ ୧୦ରେ ପହଂଚିଥିଲେ ମଧ୍ୟ କେନ୍ଦ୍ରାପଡ଼ା ସେଥିରେ ସାମିଲ ନ ହୋଇପାରିବା ଅତ୍ୟନ୍ତ ପରିତାପର ବିଷୟ । ପ୍ରାୟ ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲା ଆଜି ମେଡ଼ିକାଲ କଲେଜ ସହ ଉନ୍ନତ ଚିକିତ୍ସା ବ୍ୟବସ୍ଥା ତାର ପ୍ରାପ୍ୟ ବୋଲି ବିଚାର କରି ଦୃଢ ଦାବି ଉପସ୍ଥାପନ କରୁଛି । ବିଡ଼ମ୍ବନାର ବିଷୟ ହେଲା ଶିଳ୍ପବିହନୀ ହୋଇ ମଧ୍ୟ ଏହି ଜିଲ୍ଲା ଶିଳ୍ପର ତାଡ଼ନା ଭୋଗୁଛି । ଏହାର ଉପକଣ୍ଠରେ ଥିବା ପାରଦ୍ୱୀପ ଶିଳ୍ପାଂଚଳ ଓ ରାଜ୍ୟର ଖଣିଜ ଏବଂ ଶିଳ୍ପ ସମୃଦ୍ଧ ଜିଲ୍ଲାକୁ ସଂଯୋଗ କରିବା ନିମି ଦୈତାରୀ-ପାରାଦ୍ୱୀପ ତ୍ୱରିତ ରାଜପଥ ତଥା ବର୍ତମାନର ହରିଦାସପୁର-ପାରଦ୍ୱୀପ ରେଳପଥ ପାଇଁ ଜିଲ୍ଲାବାସୀ ହରାଇଛନ୍ତି ହଜାର ହଜାର ଏକର ଚାଷଜମି ଓ ଭିଟାମାଟି । ସେହି ତ୍ୱରିତ ରାଜପଥ କାରଣରୁ ବାରମ୍ବାର ଦୁର୍ଘଟଣାର ଶିକାର ହେଉଥିବା ଜିଲ୍ଲାବାସୀଙ୍କ ପାଇଁ ଆଶୁ ଚିକିତ୍ସାର ଅଭାବରୁ ପ୍ରତିବର୍ଷ ଶତାଧିକ ଲୋକଙ୍କ ଜୀବନହାନୀ ହେଉଛି ଏବଂ ବିକଳାଙ୍ଗର କାରଣ ପାଲଟିଛି । ଏଥିସହିତ ପାରାଦ୍ୱୀପର ଶିଳ୍ପ କାରଖାନାଗୁଡ଼ିକୁ ନିଷ୍କାସିତ ବର୍ଜ୍ୟବସ୍ତୁ ତଥା ବିଷାକ୍ତ ଗ୍ୟାସ୍ ପାଇଁ ଏହି ଜିଲ୍ଲାର ହଜାର ହଜାର ଅଧିବାସୀ ହୃଦରୋଗ, ଚର୍ମରୋଗ, ଯକ୍ଷ୍ମା ଓ କର୍କଟ ଭଳି ଅନେକ ଦୂରାରୋଗ୍ୟରେ ପୀଡ଼ିତ ହେଉଥିଲେ ମଧ୍ୟ ଉନ୍ନତ ଚିକିତ୍ସା ଲାଭରୁ ବଂଚିତ । ଜିଲ୍ଲାର ଚିକିତ୍ସା ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଜିଲ୍ଲାର ସମସ୍ତ ସରକାରୀ ଡ଼ାକ୍ତରଖାନାରେ ଏବେ ମାତ୍ର ୧୩୬ଜଣ ଡ଼ାକ୍ତର କାମ କରନ୍ତି ଯାହା ଅନୁମୋଦିତ ପଦବୀ ସଂଖ୍ୟାର ଏକ ତୃତୀୟାଂଶରୁ କମ୍ । ଷ୍ଟାଫନର୍ସମାନଙ୍କ ସଂଖ୍ୟା ଅନୁମୋଦିତ ସଂଖ୍ୟାର ଅଧା ବି ନୁହେଁ । ଅର୍ଥାତ୍ ୨୯୨ ସ୍ଥାନରେ ମାତ୍ର ୧୨୬ଜଣ । ଅନେକ ପିଏଚସି ଏବଂ ସିଏଚସି ବିନା ଡ଼ାକ୍ତରରେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ହାତରେ ଅର୍ପିତ । ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମୁଖ୍ୟତଃ କ୍ୱାକମାନଙ୍କ ଉପରେ ନିର୍ଭରଶୀଳ । ଏହି ସ୍ଥିତିରେ ଜିଲ୍ଲାବାସୀ ବାଧ୍ୟବାଧ୍ୟକତାରେ ଚିକିତ୍ସା ନିମନ୍ତେ ଜିଲ୍ଲା ବାହାରକୁ ଯାଉଛନ୍ତି ଓ ବିବିଧ ପ୍ରକାର ଆର୍ଥିକ ଶୋଷଣର ଶିକାର ହୋଇ ସର୍ବସ୍ୱାନ୍ତ ହେଉଛନ୍ତି । ଏହିସବୁ କାରଣରୁ କେନ୍ଦ୍ରାପଡ଼ା ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ କର୍ମକର୍ତାଙ୍କ ବୈଠକ ବିଭିନ୍ନ ବ୍ଲକ ଅଂଚଳରେ ସଂଗଠିତ ହୋଇସାରିଛି । ଗ୍ରାମ ପଂଚାୟତ ଠାରୁ ଆରମ୍ଭ କରି ପଂଚାୟତ ସମିତି ଓ ଜିଲ୍ଲା ପରିଷଦ ପ୍ରଭୃତି ନିର୍ବାଚିତ ସ୍ୱୟାତଶାସନ ଗୁଡ଼ିକରୁ ଏହି ଦାବିରେ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇ ପ୍ରେରିତ ହୋଇଛି । ଏହା ସତ୍ୱେ ସରକାର ଜିଲ୍ଲାବାସୀଙ୍କ ଏହି ନ୍ୟାୟୋଚିତ ଦାବି ପ୍ରତି ଟାଳଟୁଳ ନୀତି ପ୍ରଦର୍ଶନ କରିବା ଅତ୍ୟନ୍ତ ପରିତାପର ବିଷୟ ହୋଇ କୁହାଯାଇଛି । ଏହି ମର୍ମରେ ସଭାପତି ଅଧ୍ୟାପକ ଅଜୟ ସାମଲ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବାମପନ୍ଥୀ ନେତା ରମଣୀ ରଞ୍ଜନ ରାଉତରାୟ, କଂଗ୍ରେସ ନେତା ଅମିୟ ପାଣ୍ଡବ ଏବଂ ପ୍ରଫୁଲ୍ଲ ଦାସ ପ୍ରମୁଖ ପାଂଚ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପୂର୍ବରୁ ଅଜୟ ସାମଲଙ୍କ ସଭାପତିରେ ଅନୁଷ୍ଠିତ ଧାରଣାରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠି ଏବଂ ଅଂଶୁମାନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ, ରାଜାରାମ ଶତପଥୀ, ଅରବିନ୍ଦ ମିଶ୍ର, ବିଜେଡ଼ି ନେତା ରବୀନ୍ଦ୍ର ସାମଲ, ବିଜେପି ନେତା ଭୁବନ ମୋହନ ଜେନା, ପୂର୍ବତନ ପ୍ରଶାସକ ଡ. ଅଲେଖ ପଢିଆରୀ, ପ୍ରାଧ୍ୟାପକ ଅମିୟ ମହାନ୍ତି, ଦୁର୍ଯେ୍ୟାଧନ ପରିଡ଼ା, ଗନ୍ଧର୍ବ ନାୟକ, ସିପିଏମ୍ ନେତା ନରୋତମ ପାର୍ଥସାରଥୀ, କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଓ ତେଜେଶ୍ୱର ପରିଡ଼ାଙ୍କ ସମେତ ସମସ୍ତ ବ୍ଲକର ପ୍ରତିନିଧି ବକ୍ତବ୍ୟ ମାଧ୍ୟମରେ ଏହି ଦାବି ପ୍ରତି ସମର୍ଥନ ଜ୍ଞାପନ କରିଥିଲେ । ଆଦିକନ୍ଦ ରାଉଳ, ମୁକ୍ତାର ଖାନ ଓ ଶୋଭନା ବେଗମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭାଗିରଥୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.