Saturday , December 3 2022
Breaking News
Home / ବିଶେଷ / ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ସ୍ରଷ୍ଟା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ

ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ସ୍ରଷ୍ଟା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ

କଟକ ସଦର,୨୭/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ସ୍ୱର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୧୪୯ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ମଙ୍ଗଳବାର ଦିନ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପ୍ରହରାଜ ପ୍ରତିଭା ପୂଜା ପରିଷଦର ମିଳିତ ଆନୁକୂଲ୍ୟରେ କନ୍ଦରପୁର ଠାରେ ପାଳିତ ହୋଇଯାଇଛି।ଏହାର ପ୍ରଥମାର୍ଦ୍ଧରେ କବିତା ପାଠୋତ୍ସବରେ ୪୫ ଜଣ କଵି ଓ କୈଵୟତ୍ରୀ କବିତା ପାଠ କରିଥିଲା ବେଳେ ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା ଉଦ୍ଘାଟନୀ କବିତା ଆବୃତ୍ତି କରିଥିଲେ। ଦ୍ଵିତୀୟାର୍ଧରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ମନୋଜ ପଟ୍ଟନାୟକଙ୍କ ସଭାପତିତ୍ୱ ଓ ପରିଷଦର ଉପସଭାପତି କବି ପୀତାମ୍ବର ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ, ଓଡ଼ିଶା ଶାଖାର ସଭାପତି ତଥା ଦୈନିକ ‘ ସମାଜ’ ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ, ପୂର୍ବତନ ସଂସ୍କୃତି ସଚିବ ଵିଜୟ ଚନ୍ଦ୍ର ଜେନା, ବିଶିଷ୍ଟ ସାହିତ୍ୟିକ ଡଃ ପ୍ରଦୀପ କୁମାର ପଣ୍ଡା, ପରିଷଦର ସଭାପତି ପ୍ରତାପ ଚନ୍ଦ୍ର ବେହେରା, ସାହିତ୍ୟ ଏକାଡେ଼ମୀ ସଦସ୍ୟ ସଂଜୟ କୁମାର ଛୁଆଳସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଭାଷାଜ୍ଞାନର ଅସ୍ତିତ୍ବ ଓ ଉତ୍କର୍ଷତା ନିମନ୍ତେ ଗୋପାଳ ପ୍ରହରାଜଙ୍କ ଅନବଦ୍ୟ ଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ପରିଷଦର ସାଧାରଣ ସମ୍ପାଦକ ପିୟୁଷ ରଞ୍ଜନ ପରିଡ଼ା ସଂପାଦକୀୟ ବିବରଣୀ ପ୍ରଦାନ କରିବା ସହିତ ଗୋପାଳନ ପ୍ରହରାଜଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରାଜଧାନୀ ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସଵୁ ସ୍ତରରେ ଉଦ୍ୟମ ପାଇଁ ନିବେଦନ କରିଥିଲେ।

ସୂଚନାଯୋଗ୍ୟ ଯେ ସାହିତ୍ୟ ଵିଶାରଦ ଗୋପାଳ ଚନ୍ଦ୍ର ପ୍ରହରାଜ ୧୮୭୪ ମସିହା ସେପ୍ଟେମ୍ବର ୨୭ ତାରିଖରେ କଟକ ଜିଲ୍ଲାର କନ୍ଦରପୁରର ସିଦ୍ଧେଶ୍ୱରପୁର ଠାରେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ।୨୭ ଵର୍ଷ  ଅକ୍ଳାନ୍ତ ପରିଶ୍ରମ କରି ୧ ଲକ୍ଷ ୮୫ ହଜାର ଶଦ୍ଦ ବିଶିଷ୍ଟ ୯୫୦୩ ପୃଷ୍ଠାର ୭ ଖଣ୍ଡ ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ରଚନା କରି ଓଡ଼ିଆ ଭାଷାକୁ ସମୃଦ୍ଧ କରିଯାଇଛନ୍ତି।ଏହି ଅବସରରେ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ନୀଳମଣି ସାହୁ ଧନ୍ୟବାଦ ଦେଇଥିଲେ। ଉକ୍ତ ସମାରୋହରେ କଟକ ସାଂସଦ ଭର୍ତୃହରି ମହତାଵ ଅତିଥି ଭାବେ ଯୋଗଦେଵାକୁ ସମ୍ମତି ପ୍ରଦାନ କରି ନଆସିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା  । ଓଡ଼ିଶା ସମାଚାର

Leave a Reply

Your email address will not be published.