ସାଲେପୁର,୨୬/୦୯/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ଲୋକ ମାନଙ୍କ ଘରୁ ଚୋରୀ ହେଲେ ଲୋକେ ଠାକୁରଙ୍କୁ ଗୁହାରି କରିଥାନ୍ତି । ହେଲେ ଠାକୁରଙ୍କ ମନ୍ଦିରରୁ ମୂର୍ତି ଚୋରୀ ହେଲେ ଗୁହାରି କରିବେ କାହାକୁ ? ଆମେ କହୁଛୁ ସାଲେପୁର ବ୍ଲକ ବହୁପୁରାତନ ବଟେଶ୍ୱର ମା ଭଗବତୀ ଙ୍କ ମନ୍ଦିରର କଥା । ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ ମନ୍ଦିର ଲୁହାକବାଟ କାଟି ଅଷ୍ଟଧାତୁ ର ତିନିଗୋଟି ଅଢେଇ ରୁ ତିନିଫୁଟ ର ମୂର୍ତ୍ତି ଚୋରୀକରି ନେଇଯାଇଛି । ଯାହାର ଓଜନ ଦୁଇ କୁଇଣ୍ଟାଲ ହେବବୋଲି ଆକଳନ କରାଯାଉଛି ।ଏବେ ପାର୍ବଣ ପାଇଁ ମାଙ୍କ ଷୋଡଶ ଉପଚାର ପୂଜା ଚାଲି ଥିଲା ବେଳେ ବିଳମ୍ବିତ ରାତ୍ର ବାରଘଟିକା ରେ ପୂଜାରୀ ମନ୍ଦିର ଲୁହାକବାଟ ରେ ତାଲାପକେଇ ଘରକୁ ଯାଇଥିଲେ । ଆଜି (ସୋମବାର) ସକାଳୁ ସେବାୟତ ମନ୍ଦିରପୂଜା କରିବାକୁ ଆସିବା ସମୟରେ ଲୁହାକବାଟ କଟାଯାଇଥିବା ଦେଖିବାକୁ ପାଇଥିଲେ ।
ସେ ସଙ୍ଗେସଙ୍ଗେ ଗ୍ରାମବାସୀଙ୍କୁ ଖବରଦେଇଥିଲେ । ଗ୍ରାମବାସୀ ଦେଖିଲା ବେଳକୁ ମା ପଞ୍ଚମୁଖି କାଳି, ବାବା ଚନ୍ଦ୍ରଶେଖର ମୂର୍ତ୍ତି ଓ ଲକ୍ଷ୍ମୀ ପାର୍ବତୀ ମୂର୍ତ୍ତି ଚୋରୀ ହୋଇଯାଇଛି । ସାଲେପୁର ପୋଲିସ ର ଅପାରଗତା ଯୋଗୁଁ ସାଲେପୁର ଅଞ୍ଚଳରେ ମୋବାଇଲ ଚୋରୀ, ଗାଡିଚୋରୀ ,ସୁନାଟଙ୍କା ଚୋରୀ ହେଉଥିଲା । ଏବେ ପୁରୁଣା ମୂର୍ତ୍ତିଚୋରୀ ହେଉଛି । ସାଲେପୁର ପୋଲିସ ମୂର୍ତ୍ତିଚୋରକୁ ଧରିବା ରେ କେବେ ସଫଳହେଉଛି ତାହା ଦେଖିବାକୁ ବାକି ରହିଲା ।