Saturday , December 3 2022
Breaking News
Home / ବିଶେଷ / ବିଶ୍ୱ ନଦୀ ଦିବସ ପାଳିତ

ବିଶ୍ୱ ନଦୀ ଦିବସ ପାଳିତ

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଡ଼ିସେମ୍ବର ୧୦ ବିଶ୍ୱ ମାନବିକ ଅଧିକାର ଦିବସ ପର୍ଯ୍ୟନ୍ତ ଜାତୀୟ ନଦୀ ସୁରକ୍ଷା ଅଭିଯାନ ଚାଲିବ
ଭୁବନେଶ୍ୱର,୨୫/୦୯/୨୦୨୨(ଓଡ଼ିଶା ସମାଚାର)-ଆଗାମୀ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଡ଼ିସେମ୍ବର ୧୦ ବିଶ୍ୱ ମାନବିକ ଅଧିକାର ଦିବସ ପର୍ଯ୍ୟନ୍ତ ନଦୀ ସୁରକ୍ଷା, ସଂରକ୍ଷଣ ଅଭିଯାନ ସମଗ୍ର ଦେଶରେ ସଂଗଠିତ କରିବା ପାଇଁ, ଏଠାରେ ବିଶ୍ୱ ନଦୀ ଦିବସ ପାଳନ ଅବସରରେ ଡ଼ାକରା ଦିଆଯାଇଛି । ମହାନଦୀ ବଂଚାଅ ଓ ଜୀବିକା ବଂଚାଅ ଅଭିଯାନ ପକ୍ଷରୁ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଲେ ଯେ, ନଦୀ ଜଳକୁ ପ୍ରାଥମିକତା ଦେଇ ପିଇବା ପାଣି, ପରିବେଶ ସୁରକ୍ଷା, କୃଷି ଓ ଜୀବଜନ୍ତୁଙ୍କ ପରେ, ଶିଳ୍ପ ପାଇଁ ବ୍ୟବହାର କରିବା ଆବଶ୍ୟକ । ନଦୀ ସୁରକ୍ଷା ଅଭିଯାନରେ ନଦୀ ଜଳକୁ ବିଷାକ୍ତ କରୁଥିବା ଶିଳ୍ପ, ସହରର ଆବର୍ଜନା, ହସପିଟାଲର ମଇଳା ଓ ପ୍ଲାଷ୍ଟିକ ପଦାର୍ଥ ସବୁ ବିରୋଧରେ ମଧ୍ୟ ସାମିଲ କରିବା ଆବଶ୍ୟକ ।
ସଭା ପ୍ରାରମ୍ଭରେ ମହାନଦୀ ବଂଚାଅ ଜୀବିକା ବଂଚାଅ ଅଭିଯାନର ଆବାହକ ସୁଦର୍ଶନ ଛୋଟରାୟ ସେପ୍ଟେମ୍ବର ୧୦ରୁ ୨୫ ଯାଏ ଚାଲିଥିବା ନଦୀ ବଂଚାଅ ଅଭିଯାନ ବିଷୟରେ ଉପସ୍ଥାପିତ କରିଥିଲେ । ସେହିଭଳି ରାଜ୍ୟର ବିଭିନ୍ନ ନଦୀ ଅବବାହିକାରେ ରହି ଆସିଥିବା ଚାଷୀ, ମତ୍ସ୍ୟଜୀବୀ ଓ କାରିଗରମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ଓଡ଼ିଶା ଓ ଛତିଶଗଡ଼ ନଦୀ ବିବାଦ ଓ ଟି୍ରବୁନାଲ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଏତଦବ୍ୟତୀତ ମହାନଦୀ ସମେତ ବିଭିନ୍ନ ନଦୀରେ ଜଳପ୍ରବାହ କମୁଥିବା ଯୋଗୁ ନଦୀ ସବୁ ପୋତି ହୋଇ କୂଳ ଲଂଘୁଥିବାରୁ ଉଦବେଗ ପ୍ରକାଶ ପାଇଥିଲା ।
ଛତିଶଗଡ଼ ଜିଲ୍ଲା ବଂଚାଅ ସଂଘର୍ଷ ମୋର୍ଚ୍ଚାର ସଭାପତି ବାସୁଦେବ ବର୍ମା କହିଲେ ଯେ, ଦୁଇ ରାଜ୍ୟର ସରକାର ଶିଳ୍ପ ଓ କଳ କାରଖାନା ପାଇଁ ପାଣି ଦେବାକୁ ଚାହୁଁଥିବାରୁ ସାଧାରଣ ଲୋକ ପିଇବା ପାଣି ଓ ଜଳସେଚନ ପାଇଁ ପାଣି ପାଉନାହାଁନ୍ତି ବରଂ ନଦୀ ପାଣି ଦୂଷିତ ହୋଇ ବ୍ୟବହାରଯୋଗ୍ୟ ହେଉନାହିଁ । ସମାଜସେବୀ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ରମେଶ ତି୍ରପାଠୀ, ବିପିନ ଧଳ ସାମନ୍ତ, ସୁଧାକର ପତ୍ରି, ଏନଜିଟି ଓକିଲ ଶଙ୍କର ପାଣି, ସାମାଜିକ କର୍ମୀ ପ୍ରଭାତ ସାହୁ, ବିନୟ ସ୍ୱାଇଁ, ବିପିନ ବାରିକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଅଭିଯାନ ପକ୍ଷରୁ ଶାରଦା ପ୍ରସନ୍ନ ସ୍ୱାଇଁ ଓ ପ୍ରଭାସ ସାମନ୍ତରାୟ ସଭା ସଂଯୋଜନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.