Friday , December 9 2022
Breaking News
Home / ବିଶେଷ / ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ୍ ପାଇଁ ତାରିଖ ମାର୍ଚ୍ଚ ୩୧କୁ ଘୁଂଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲା ସମାଜବାଦୀ ପାର୍ଟି

ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ୍ ପାଇଁ ତାରିଖ ମାର୍ଚ୍ଚ ୩୧କୁ ଘୁଂଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର,୨୪/୦୯/୨୦୨୨(ଓଡ଼ିଶା ସମାଚାର)-ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ ପାଇଁ ୧, ୨, ୩ ଓ ୪ ନମ୍ବର ଥିବା ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ୍ ତାରିଖ ସେପ୍ଟେମ୍ବର ୩୦ ତାରିଖ । ଏହା ଭିତରେ ନମ୍ବର ପ୍ଲେଟ୍ ନ ଲଗାଇଲେ ଗାଡ଼ିର ମାଲିକମାନଙ୍କୁ ମୋଟା ଅଙ୍କର ଯଥା ୫୦୦୦ ଟଙ୍କାରୁ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବାକୁ ପଡ଼ିବ ବୋଲି ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଫାଇନ୍ ଦେବା ଭୟରେ ବହୁ ଲୋକ ଲମ୍ବା ଲାଇନ୍ ରେ ସ୍ଲଟ୍ ବୁକିଂ ପାଇଁ ଡହଳ ବିକଳ ହେଉଛନ୍ତି । କେତେକ ହାତଗୁଞ୍ଜା ଦେଇ ଚୋରାରେ ନମ୍ବର ପ୍ଲେଟ୍ ଲଗାଇବାକୁ ମଧ୍ୟ ପଛଉ ନାହାନ୍ତି । ତେଣୁ ସାଧାରଣ ଲୋକଙ୍କର ଏହି ଅସୁବିଧାକୁ ଆଖି ଆଗରେ ରଖି ସରକାର ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ୍ ଲଗାଇବା ତାରିଖକୁ ମାର୍ଚ୍ଚ ୩୧ ତାରିଖ ୨୦୨୩ ମସିହା ପର୍ଯ୍ୟନ୍ତ ଘୁଂଚାଇବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ସଂକ୍ରାନ୍ତରେ ଆଜି ଏକ ଚିଠି ଲେଖି ସାଧାରଣ ଲୋକଙ୍କର ଅସୁବିଧା ଓ ଦଶହରା ଓ ଦୀପାବଳୀ ଭଳି ଗଣପର୍ବକୁ ଆଖି ଆଗରେ ରଖି ସାଧାରଣ ଲୋକଙ୍କ ପାଇଁ ଏହି ତାରିଖ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢାଇବାକୁ ଅନୁରୋଧ କରିଛନ୍ତି । ୧, ୨, ୩ ଓ ୪ ନମ୍ବର ପରେ ୫, ୬ ଗାଡି ନମ୍ବର ପାଇଁ ଅକ୍ଟୋବର ୩୦ତାରିଖ, ୭ ଓ ୮ ନମ୍ବର ପାଇଁ ନଭେମ୍ବର ୩୦ତାରିଖ ଓ ୯ ଏବଂ ୦ ଗାଡ଼ି ନମ୍ବର ପାଇଁ ଡିସେମ୍ବର ୩୧ ତାରିଖ ଶେଷ ତାରିଖ ରହିଛି । ଏ ସମସ୍ତ ନମ୍ବର ପାଇଁ ମାର୍ଚ୍ଚ ୩୧ ତାରିଖ ୨୦୨୩ ମସିହା ଶେଷ ତାରିଖ ରଖିବାକୁ ସରକାର ପୁନର୍ବିଚାର କରିବାକୁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଅନେକ ଯାଗାରେ ଦେଖାଯାଉଛି, ଇଂଟରନେଟ୍ ନଥିବା ଯୋଗୁଁ ଗ୍ରାମାଂଚଳର ବହୁ ଗାଡ଼ି ମାଲିକ ସ୍ଲଟ୍ ବୁକିଂ କରିପାରୁନାହାଁନ୍ତି । ସ୍ଲଟ ବୁକିଂ କରୁଥିବା କିଛି ଲୋକ ମଧ୍ୟ ଲମ୍ବା ଲାଇନ୍ ଯୋଗୁଁ ଠେଲାପେଲାର ସମ୍ମୁଖୀନ ହୋଇ ହାତଗୁଞ୍ଜା ଦେଇ ନମ୍ବର ପ୍ଲେଟ ଲଗାଉଛନ୍ତି । ସାଧାରଣ ଲୋକଙ୍କର ଏହି ବିକଳ ଅବସ୍ଥା ଦେଖି କମ୍ପାନୀ ଦଲାଲମାନେ ମୋଟା ଅଙ୍କର ହାତଗୁଞ୍ଜା ନେଇ ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ୍ ଲଗାଉଛନ୍ତି । ତେଣୁ ଜନସାଧାରଣଙ୍କର ଅସୁବିଧାକୁ ହୃଦୟଙ୍ଗମ କରି ସରକାର ଏହି ଶେଷ ତାରିଖ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ଘୁଂଚାଇବାକୁ ଶ୍ରୀ ବେହେରା ଏହି ଚିଠିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.