ଭୁବନେଶ୍ୱର,୨୪/୦୯/୨୦୨୨(ଓଡ଼ିଶା ସମାଚାର)-ସଂଗ୍ରାମୀ ଯୁବ ଛାତ୍ର ସଂଗଠନ ତରଫରୁ ଓଡ଼ିଶାରେ ବଢ଼ି ଚାଲିଥିବା ବେରୋଜଗାର ସମସ୍ୟାର ସମାଧାନ ଶୀର୍ଷକ ଏକ ଆଲୋଚନା ଚକ୍ର ସଙ୍ଗଠନର ରାଜ୍ୟ ସଂଯୋଜକ ମୀର ଅହମ୍ମଦ ଅଲ୍ଲିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ପୂର୍ବତନ ମନ୍ତ୍ରୀ ଓ ବିଧାୟକ, ସାମ୍ବାଦିକ, ସାମାଜିକ କର୍ମୀ, ସାମାଜିକ ସଙ୍ଗଠନର ସଦସ୍ୟ, ବୁଦ୍ଧିଜୀବୀ ପ୍ରମୁଖ ଭାଗ ନେଇ ବେରୋଜଗାର ସମସ୍ୟାର ସମାଧାନ ସମ୍ପର୍କରେ ତଥ୍ୟ ସମ୍ବଳିତ ପ୍ରସ୍ତାବଗୁଡ଼ିକ ଉପସ୍ଥାପନ କରିଥିଲେ । ସରକାର ଅବିଳମ୍ବେ ଖାଲି ପଡ଼ିଥିବା ପଦବୀର ପୂରଣ, ଚୁକ୍ତିଭିତିକ ପଦବୀଗୁଡ଼ିକୁ ବାତିଲ କରି ସ୍ଥାୟୀ ନିଯୁକ୍ତି, ନିଯୁକ୍ତିକୈନ୍ଦ୍ରିକ ଶିଳ୍ପର ପ୍ରତିଷ୍ଠା, କୃଷି ଶିଳ୍ପରେ ରୋଜଗାର ସୃଷ୍ଟି, ଜଙ୍ଗଲ ଓ କୃଷିଜାତ ଦ୍ରବ୍ୟର ସୁଲଭ ବଜାର ବ୍ୟବସ୍ଥା, ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ନିଯୁକ୍ତି ସମ୍ଭାବନା, କୁଟୀର ଶିଳ୍ପ, ଓଡ଼ିଶାର ସୁଦୀର୍ଘ ୪୮୦ କି.ମି. ବେଳାଭୂମିର ସୁଲାଭ ଉଠାଇ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ନିଯୁକ୍ତିର ସମ୍ଭାବନା, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଖାଲି ପଡ଼ିଥିବା ପଦବୀରେ ତୁରନ୍ତ ନିଯୁକ୍ତି, ନିଯୁକ୍ତିଭିତିକ ଶିକ୍ଷା ପ୍ରଦାନ ପ୍ରମୁଖ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ଓ ସରକାର ଏଥିପ୍ରତି ଦୃଢ଼ମନା ଓ ଆନ୍ତରିକତା ଭାବ ଦେଖାଇଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଉପସ୍ଥିତି ଅଂଶଗ୍ରହଣକାରୀମାନେ ମତବ୍ୟକ୍ତ କରିଥିଲେ ।
ଏହି ଆଲୋଚନାଚକ୍ରରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ନାରାୟଣ ରେଡ୍ଡୀ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ବରିଷ୍ଠ ସ୍ତମ୍ଭକାର ଅମୀୟ ପାଣ୍ଡବ, କଂଗ୍ରେସ ମୁଖପାତ୍ର ବିସ୍ମୟ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରବି ଦାସ, କେଦାର ମିଶ୍ର, ସତୀଶ ମିଶ୍ର, ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଓଡ଼ିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ, ଆର୍.ପି.ଆଇ. ଓଡ଼ିଶା ରାଜ୍ୟ ଅଧ୍ୟକ୍ଷ ଶେଖ ଅବଦୁଲ ୱାଲି, ଏ.ଆଇ.ଏସ୍.ଏଫ୍.ର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ସଂଗ୍ରାମୀ ଯୁବଛାତ୍ର ସଂଗଠନର ରାଜ୍ୟ ସହସଂଯୋଜକ ମାନସ ରଞ୍ଜନ ସାହୁ, ସଞ୍ଜିତା ମହାପାତ୍ର, ଅଂଶୁମାନ ଦାସ, ସାମାଜିକ କର୍ମୀ ନୀରଦ ଖୁଂଟିଆ, ବିନ୍ଦୁଜା ଉପାଧ୍ୟାୟ, ସିଦ୍ଧାର୍ଥ ରଞ୍ଜନ, ଦିଲ୍ଲୀପ ବିଶ୍ୱାଳ ଓ ଜଗନ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର