Friday , December 9 2022
Breaking News
Home / ସ୍ୱାସ୍ଥ୍ୟ / ରୋଗୀ ସେବା ପାଇଁ ଅଲୋଡା ପଡିଛି କମାଗୁରୁ ହୋମଓପାଥିକ ଡାକ୍ତରଖାନା

ରୋଗୀ ସେବା ପାଇଁ ଅଲୋଡା ପଡିଛି କମାଗୁରୁ ହୋମଓପାଥିକ ଡାକ୍ତରଖାନା

ଦୀର୍ଘଦିନ ହେଲା ତାଲାପଡିଛି ଡାକ୍ତରଖାନାରେ
ନିରାକାରପୁର, ୨୪/୦୯/୨୦୨୨(ଓଡ଼ିଶା ସମାଚାର)- ଗ୍ରାମାଂଚଳର ଲୋକମାନଙ୍କର ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ସରକାର ଡାକ୍ତରଖାନା ଖୋଲିବା ସହିତ ଭିତିଭୂମିର ସୁଧାର ଆଣିବାରେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହାତ ପାହାନ୍ତାରେ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା କଥା କହି ସରକାର ଡିଣ୍ଡିମ ପିଟୁଛନ୍ତି ।କିନ୍ତୁ ବାସ୍ତବରେ ସରକାରଙ୍କ ଆଚରଣ ଓ ଉଚାରଣରେ ଭିନ୍ନତା ଦେଖିବାକୁ ମିଳୁଛି । ଯେଉଁ ସ୍ୱାସ୍ଥ୍ୟକେନ୍ଦ୍ର ଦିନେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ଯୋଗାଇଦେଉଥିଲା ତାହା ଆଜି ପ୍ରଶାସନିକ ଆନ୍ତରିକତା ଅଭାବରୁ ଆଲୋଡା ହୋଇ ପଡିଛି ରହିଛି । ଏହାର ଏକ ବାସ୍ତବଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀବ୍ଲକ କମାଗୁରୁ ଗ୍ରାମପଂଚାୟତରେ ଥିବା ସରକାରୀ ହୋମଓପାଥିକ ଡାକ୍ତରଖାନାରେ ।
ସ୍ଥାନୀୟ ଅଂଚଳବାସୀଙ୍କ ବହୁବାର ଦାବିପରେ ୨୦୦୨ ମସିହାରେ କମାଗୁରୁ କଲେଜ ଦକ୍ଷିଣ ପାଶ୍ୱର୍ରେ ଏକ ସରକାରୀ ହୋମିଓପାଥିକ ଡାକ୍ତରଖାନା ଖୋଲାଯାଇଥିଲା । ଯାହାକି କମାଗୁରୁ ଗ୍ରାମପଂଚାୟତ ସମେତ ଅଂଚଳର ୧୦ରୁ ଉର୍ଦ୍ଧଗ୍ରାମ ଉକ୍ତ ଡାକ୍ତରଖାନା ଉପରେ ନିର୍ଭରକରୁଥିଲେ ।ଏବେ ଦୀର୍ଘଦିନ ଧରି ଡାକ୍ତରଖାନରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ଘର ଗୁଡିକ ଦୀର୍ଘଦିନ ହେଲା ବ୍ୟବହାର ହେଉନଥିବାରୁ ଭୁତକୋଠୀ ହୋଇଗଲାଣି ।ଡାକ୍ତରଖାନା ଚାରିପାଖେ ଅନାବନା ଗଛ ଉଠିବା ସହିତ ସରଶୃପ ମାନେ ବାସ କରୁଛନ୍ତି ।ଶୌଚାଳୟ ଘର ଗୁଡିକ ଭାଙ୍ଗି ଯିବା ସହିତ କବାଟ ଗୁଡିକ ଉଇ ଖାଇ ନଷ୍ଟ ହୋଇଗଲାଣି । ଘର ଭିତରେ ଥିବା ବିଭିନ୍ନ ବିଦୁ୍ୟତ ସରଞ୍ଜାମ ଗୁଡିକ ନଷ୍ଟ ହେବା ସହିତ ଲାଇଟ, ଫ୍ୟାନ ସବୁ ଅଚଳ ହୋଇଗଲାଣି ।ସ୍ଥାନୀୟ ଅଂଚଳର ଅସାମାଜିକ ଲୋକ ମାନେ ମଦ୍ୟପାନ କରିବା ସହିତ ଡାକ୍ତରଖାନ ପରିସରରେ ଆଡ୍ଡା ଜମାଉଥିବା ଦେଖିବାକୁ ମିଳୁଛି ।ଏ ସଂପର୍କରେ କମାଗୁରୁ ଗ୍ରାମପଂଚାୟତ ବାସୀ ବାରମ୍ବାର ଲିଖିତ ଅଭଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ଗ୍ରାମବାସୀମାନେ ଅଭଯୋଗ କରିଛନ୍ତି । ଖବର ନେବାପରେ ଜଣାପଡିଛି ୨୦୧୯ ମସିହାରେ ଡ.କୁସୁମାଞ୍ଜଳୀ ମହାପାତ୍ର ପୂର୍ବ ଡ଼ାକ୍ତରଙ୍କଠାରୁ ଦାୟିତ୍ୱ ନେଇଥିଲେ । ପରେ ଡ.କୁସୁମାଞ୍ଜଳୀ ମହାପାତ୍ର୍ର କିଛି ଦିନ କାର୍ଯ୍ୟକରିବା ପରେ କୋଭିଡି ଡ୍ୟୁଟିରେ ବିଏମସିକୁ ପଳାଇଯାଇଥିଲେ । ସେବେ ଠାରୁ ଆଉ ଡାକ୍ତରଖାନାକୁ ଆସିନଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଫଳରେ ଏ ଅଂଚଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି । ତୁରନ୍ତ ବିଭାଗୀୟ ଉପରିସ୍ଥ ଏ ଦିଗରେ ପଦକ୍ଷେପ ନେଇ ଡ଼ାକ୍ତର ନିଯୁକ୍ତି କରିବାକୁ ଅଂଚଳବାସୀଙ୍କ ତରଫରୁ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.