ଟ୍ରିବ୍ୟୁନାଲ ସହ ସମାନ୍ତରାଳ ଶୁଣାଣି ପାଇଁ ମନାକଲେ ହାଇକୋର୍ଟ
କଟକ, ୨୪/୦୯/୨୦୨୨ (ଓଡ଼ିଶା ସମାଚାର)- ଓଡ଼ିଶାରେ ପ୍ରବାହିତ ମହାନଦୀର ଉପରମୁଣ୍ଡରେ ଅର୍ଥାତ ଛତିଶଗଡ଼ରେ ବହୁ ବ୍ୟାରେଜ ଓ ଡ୍ୟାମ ବେଆଇନ ଭାବେ ନିର୍ମାଣ ହେବା ଯୋଗୁଁ ଓଡ଼ିଶାରେ ଜଳଧାରା ବ୍ୟାପକ ଭାବେ ହ୍ରାସ ପାଇଚାଲିବା କାରଣରୁ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେଉଛି। ମହାନଦୀ ବଞ୍ଚାଅ କମିଟି ପକ୍ଷରୁ ଏନେଇ ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମୁଖ୍ୟବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ମାମଲାର ସମାନ୍ତରାଳ ଶୁଣାଣି କରିବାକୁ ଅଗ୍ରାହ୍ୟ କରିଛନ୍ତି ; ଯେହେତୁ ଏହି ମାମଲାର ଅଗ୍ରଗତି ସହ ଆନ୍ତଃରାଜ୍ୟ ଜଳ ବିବାଦ ଟ୍ରିବ୍ୟୁନାଲ ବୈଷୟିକ ଦିଗ ପ୍ରତି ଅନୁଧ୍ୟାନ କରୁଛି, ଏହାର ସମାନ୍ତରାଳ ମାମଲା ଚାଲିବାକୁ ଅଦାଲତ ଅଗ୍ରାହ୍ୟ କରିଛନ୍ତି।
ମାମଲାରୁ ପ୍ରକାଶ, ଅଣମୌସୁମୀ ଋତୁରେ ମହାନଦୀ ଶୁଖିଲା ପଡୁଥିବାରୁ ଏହା ରାଜ୍ୟର ଜଳସେଚନ, ପାନୀୟଜଳ ଯୋଗାଣ ଓ ଶିଳ୍ପସଂସ୍ଥା ପାଇଁ ଚିନ୍ତାର କାରଣ ପାଲଟିଆସୁଛି। ଏନେଇ ଅନେକ ଆନ୍ଦୋଳନ ମୁଣ୍ଡ ଟେକିଥିବା ବେଳେ ମହାନଦୀ ବଞ୍ଚାଅ କମିଟି ୨୦୧୬ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହି ମାମଲାରେ ସେହି ସମୟରେ ହାଇକୋର୍ଟ କେନ୍ଦ୍ରକୁ ଜବାବ ତଲବ କରିଛନ୍ତି। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାରୁ ଟ୍ରିବୁନାଲ ଗଠନ କରିଥିଲେ କେନ୍ଦ୍ର ସରକାର।