Saturday , December 3 2022
Breaking News
Home / ବିଶେଷ / ଡାକ୍ତରଖାନାରେ ଗଣ୍ଡଗୋଳ ପଡ଼ିବ ମହଙ୍ଗା

ଡାକ୍ତରଖାନାରେ ଗଣ୍ଡଗୋଳ ପଡ଼ିବ ମହଙ୍ଗା

ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଜାରି , କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍ ପ ପିଙ୍କୁଙ୍କୁ ନିର୍ଦ୍ଦେଶ ,ସିସିଟିଭି ଲଗାଇବାକୁ ନିଷ୍ପତ୍ତି , ଭିଜିଟର୍ ପାସ୍ ବାଧ୍ୟତାମୂଳକ

ଭୁବନେଶ୍ୱର,୨୪/୦୯/୨୦୨୨ (ଓଡ଼ିଶା ସମାଚାର)- ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷାକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଏପରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ। ହେଲେ ଏହା ସତ୍ତ୍ବେ ଡାକ୍ତର ଓ କର୍ମଚାରୀଙ୍କ ଉପରେ ଆକ୍ରମଣ ହେଉଛି। ଡାକ୍ତରଖାନାରେ ଗଣ୍ଡଗୋଳ ହେଉଛି, ଲୋକେ ଗାଳି ମନ୍ଦ କରୁଛନ୍ତି। ଆଇନ୍ ଶୃଙ୍ଖଳା ପରିସ୍ଥିତି ଦେଖା ଦେଉଛି। ଏପରିସ୍ଥଳେ ଡାକ୍ତରଖାନାରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶୀକା ଜାରି କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍ ପି, ସିଡିଏମ୍ ଓ, ପିଏଚ୍ ଓ ମାନଙ୍କୁଙ୍କୁ ପତ୍ର ଲେଖି ଏସମ୍ପର୍କରେ ଅବଗତ କରିଛନ୍ତି। ଏହି ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ କରିବା ପାଇଁ ମଧ୍ୟ ସେ ତାଗିଦ କରିଛନ୍ତି। ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକାରେ ଡାକ୍ତରଖାନାର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଲାଗିବା ଜରୁରୀ। ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଭେଟିବାକୁ ଆସୁଥିବା ଆଗନ୍ତୁକଙ୍କ ପାଇଁ ପାସ୍ ବ୍ୟବସ୍ଥା ଲାଗୁ କରାଯିବ। ପ୍ରତି ରୋଗୀଙ୍କ ପିଛା ଦୁଇଟି ପାସ୍ ଜାରି କରାଯିବ ଏବଂ କେବଳ ପରିଦର୍ଶନ ସମୟରେ ହିଁ ସେମାନେ ରୋଗୀଙ୍କୁ ସାକ୍ଷାତ କରିପାରିବେ। ରୋଗୀଙ୍କୁ ସାକ୍ଷାତ ପାଇଁ ଆସୁଥିବା ଲୋକଙ୍କୁ ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀ ଯାଞ୍ଚ କରି ୱାର୍ଡ ଭିତରକୁ ଛାଡ଼ିବେ। ଡାକ୍ତରଖାନାରେ କାର୍ଯ୍ୟରତ ସ୍ଥାୟୀ ଏବଂ ଠିକା କର୍ମଚାରୀ ପରିଚୟ ପତ୍ର ବ୍ୟବହାର କରିବା ଜରୁରୀ ହେବ। ଡାକ୍ତରଖାନାକୁ ଆସୁଥିବା ଲୋକଙ୍କ ଗାଡ଼ି ନିର୍ଦ୍ଧାରିତ ସ୍ଥାନରେ ରଖାଯିବ। ଡାକ୍ତରଖାନାର ସମ୍ପତ୍ତି ନଷ୍ଟ କଲେ ତାହା ଆଇନ୍ ଅନୁଯାୟୀ ଦଣ୍ଡନୀୟ ବୋଲି ଲେଖା ଥିବା ସାଇନ୍ ବୋର୍ଡ ଲଗାଯିବ। ଓଡ଼ିଶା ମେଡିକେୟାର ସର୍ଭିସ୍ ପର୍ସନ୍ସ ଏବଂ ମେଡିକେୟାର ସର୍ଭିସ୍ ଇନଷ୍ଟିଚ୍ୟୁସନ୍ ଆଇନ୍ -୨୦୦୮ରେ ଥିବା ପ୍ରାବଧାନ ସମ୍ପର୍କରେ ସାଇନ୍ ବୋର୍ଡରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବ। ଡାକ୍ତରଖାନାର ସୁରକ୍ଷାକର୍ମୀ ପରିସର ମଧ୍ୟରେ ପାଟ୍ରୋଲିଂ କରିବା ସହିତ ଅନଧୀକୃତ ବାହାନ ଏବଂ ବ୍ୟବସାୟୀଙ୍କୁ ବାହାର କରିବେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଡ଼ ପରିଚାଳନା ପାଇଁ ଦୁଇଟି ୟୁନିଟ୍ ରହିବ।

ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଯଦ୍ଦ୍ୱରା ଗଣ୍ଡଗୋଳିଆ ପରିସ୍ଥିତିରେ ଲୋକେ ଆଇନକୁ ହାତକୁ ନେବା ପରିବର୍ତ୍ତେ ଡାକ୍ତରଖାନାର ଅଧୀକ୍ଷକ ଅବା ମୁଖ୍ୟଙ୍କ ନିକଟରେ ନିଜ ସମସ୍ୟା ଉପସ୍ଥାପନ କରିପାରିବେ। ଡାକ୍ତରଖାନା ପରିସରରେ ଅଭିଯୋଗ ଗ୍ରହଣକାରୀ ଅଧିକାରୀଙ୍କ ଫୋନ୍ ନମ୍ବର ପ୍ରଦର୍ଶିତ ହେବ। ଡାକ୍ତରଖାନାରେ ଗଣ୍ଡଗୋଳ କରୁଥିବା ଅବା ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ଲୋକଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଏସ୍ ପି ପଦକ୍ଷେପ ଗ୍ରହଣ କରିବେ ବୋଲି ଏଥିରେ କୁହାଯାଇଛି।

Leave a Reply

Your email address will not be published.