ଭୁବନେଶ୍ୱର,୨୪/୦୯/୨୦୨୨ (ଓଡ଼ିଶା ସମାଚାର)- ଗୋଟିଏ ପଟେ କେନ୍ଦ୍ର ସରକାର ଖୋର୍ଦ୍ଧାରୋଡ଼-ବଲାଙ୍ଗିର ରେଳ ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ପ୍ରଦାନ କରିବାରେ ଅବହେଳା କରୁଥିବା ବେଳେ ଅନ୍ୟପଟେ ନିଜ ଭାଗର ପାଣ୍ଠି ଯୋଗାଇବାରେ ରାଜ୍ୟ ସରକାର ଅବହେଳା କରୁ ନାହାନ୍ତି। ଏହି ପ୍ରକଳ୍ପ ପାଇଁ ଓଡ଼ିଶା ସରକାର ଆଉ ୧୪ କୋଟି ୧୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପରେ ବୌଦ୍ଧ ଜିଲ୍ଲା ଦେଇ ଯାଉଥିବା ୧୧୨ କିମିରୁ ୨୮୯ କିମି ରେଳ ଲାଇନ୍ ନିର୍ମାଣ ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଛି। ଖୋର୍ଦ୍ଧାରୋଡ଼-ବଲାଙ୍ଗିର ରେଳ ପ୍ରକଳ୍ପର ୧୧୨ରୁ ୩୦୧ କିମି ପର୍ଯ୍ୟନ୍ତ ଜମି ରାଜ୍ୟ ସରକାର ବିନା ମୂଲ୍ୟରେ ଯୋଗାଇ ଦେଉଥିବା ବେଳେ ନିର୍ମାଣ କାର୍ଯ୍ୟର ୫୦% ଖର୍ଚ୍ଚ ବହନ କରୁଛନ୍ତି। ଏହି ପ୍ରକଳ୍ପ ପାଇଁ ୬୧୬୨ ଏକର ଜମି ଆବଶ୍ୟକ ଥିବା ବେଳେ ୧୮୪୪ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଆବଶ୍ୟକ। ମୋଟ ଜମି ମଧ୍ୟରୁ ୫୨୮୦ ଏକର ଜମି ଅଧିଗ୍ରହଣ ହୋଇଥିବା ବେଳେ ୧୬୭୪ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କାର୍ଯ୍ୟ ହାତକୁ ନିଆଯାଇଛି। ଏବେ ସୁଦ୍ଧା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ୧୧୨ କିମିରୁ ୧୮୦ କିମି ପର୍ଯ୍ୟନ୍ତ ଜମିରେ କାର୍ଯ୍ୟାରମ୍ଭ ପାଇଁ ପରିବେଶ ମଞ୍ଜୁରୀପ୍ରଦାନ କରି ନାହାନ୍ତି। ୧୮୦ କିମିରୁ ୨୭୫ କିମି କାର୍ଯ୍ୟ ଚାଲିଥିବାବେଳେ ୨୭୫ରୁ ୩୦୧ କିମି ରେଳପଥରେ ଟ୍ରେନ ଚାଲୁଛି। ପୂର୍ବରୁ ଖୋର୍ଦ୍ଧା-ବଲାଙ୍ଗିରମଧ୍ୟରେ ରେଳଲାଇନ୍ ଦୂରତା୨୮୯ କିମି ଥିବାବେଳେ ଚୂଡ଼ାନ୍ତ ଡିଜାଇନ୍ ରେ ତାହା୩୦୧ କିମିକୁ ବୃଦ୍ଧିପାଇଛି। ତେବେ ଖୋର୍ଦ୍ଧାରୋଡ଼ ପଟୁ ୭୭ କିମି ରେଳଲାଇନ୍ ବିଛାଇବା କାମ ଶେଷ ହୋଇଥିବାବେଳେ ବଲାଙ୍ଗିରପଟୁ ମାତ୍ର ୧୬ କିମି ଲାଇନ୍ ବିଛାଯାଇଛି।