କେନ୍ଦ୍ରାପଡା, ୨୩/୦୯/୨୦୨୨(ଓଡ଼ିଶା ସମାଚାର)- ସ୍ୱାଧୀନତାର ୭୫ବର୍ଷ ପୂର୍ତି ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମକୁ ଓଡିଶାର ଅବଦାନ ଓ ଗାନ୍ଧୀ ବାର୍ତାର ପ୍ରଚାର ପ୍ରସାର ସହିତ ଏହି ସ୍ମୃତିକୁ ଜନମାନସରେ ଉଜ୍ଜିବିତ କରି ରଖିବା ପାଇଁ କେନ୍ଦ୍ରାପଡାରେ ଶୁକ୍ରବାର ଅହିଂସା ରଥ -୧ ଓ ୨ ପରିକ୍ରମା କରିଛି । ରଥ-୧କୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଠାରେ ଭବ୍ୟ ସ୍ୱାଗତ କରାଯିବା ପରେ ସେହି ରଥ ସନ୍ଥପୁରା, ଡେରାବିଶ କଲେଜ, ସଲାରମଠ, କେନ୍ଦ୍ରାପଡା କଲେଜ, ଗରାପୁର ଡାକବଙ୍ଗଳା ଓ ତୁଳସୀ ମହିଳା କଲେଜରେ ସ୍ୱାଧୀନତା ସମ୍ପର୍କିତ ଚଳଚିତ୍ର ପ୍ରଦର୍ଶନ କରିବା ସହ ଅହିଂସା ନୀତି ଓ ଗାନ୍ଧିବାଦୀ ନୀତି ଓ ଆଦର୍ଶର ପ୍ରଚାର ପ୍ରସାର କରିଥିଲା । ଏହି ରଥ କେନ୍ଦ୍ରାପଡା ବ୍ଲକ ପରିସରରେ ରାତ୍ର ରହଣୀ କରି ଆସନ୍ତା କାଲି ଅନ୍ୟ ୪ଟି ବ୍ଲକ ପରିକ୍ରମା କରିବ । ଏହି ଉପଲକ୍ଷେ ଇନ୍ଦୁପୁର ଠାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ବିଧାୟକ ଶଶି ଭୂଷଣ ବେହେରାଙ୍କ ସମେତ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ, କେନ୍ଦ୍ରାପଡା ବିଡିଓ,ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
ଗରାପୁର ଡାକବଙ୍ଗଳା ଛକରେ ପୂର୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଖାଦ୍ୟ ଯୋଗାଣ ଓ ଖାଉଟି କଲୟାଣ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ, ବିଧାୟକ ଶ୍ରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ରଥ- ୨ଧୂମାତ, ଚନ୍ଦନପୁର, ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର, ଏସ.ଏନ.କଲେଜ, ଆଳି ବ୍ଲକର ଦେମାଳ, ନିଆଳି ବଜାର, ଚଣ୍ଡିଆଗଡି, ସିଂଗିରି ପ୍ରଭୃତି ସ୍ଥାନରେ ଭିଡିଓ ପ୍ରଦର୍ଶନ କରି ଗାନ୍ଧିବାର୍ତା ପ୍ରଚାର କରିବା ସହ ଜନସଚେତନାତା ସୃଷ୍ଟି କରିଥିଲା । ସମସ୍ତ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ରଥ-୨ ପଟ୍ଟାମୁଣ୍ଡାଇ ବ୍ଲକରେ ରାତ୍ର ରହଣୀ କରି ସକାଳ ୯ଟାରେ ରାଜନଗର ବ୍ଲକ ଅଭିମୁଖେ ଯାତ୍ରା ଆରମ୍ଭ କରିବ ।ଓଡ଼ିଶା ସମାଚାର