ଭୁବନେଶ୍ୱର,୨୩/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ସଂସ୍ଥା ଓ ଆସୋସିଏସନ୍ ଅଫ୍ ଆକ୍ୱାକଲଚରିଷ୍ଟ ମିଳିତ ସହଯୋଗରେ ହିନ୍ଦି ଭାଷାରେ ଆତ୍ମ ନିର୍ଭର ଭାରତ ପାଇଁ ଦୀର୍ଘ ମିଆଦୀ ଜଳଜୀବ ପାଳନ ସଂପର୍କୀୟ ଏକ ଜାତୀୟ ସମ୍ମିଳନୀ ଆଜି ସିଫା ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଯାଇଛି ।ସ୍ଥାୟୀ ଜଳଜୀବ ପାଳନ ପ୍ରଣାଳୀ, ମତ୍ସ୍ୟ ପୋଷଣ, ମତ୍ସ୍ୟ ଅନୁବଂଶୀକ ଓ ସୂକ୍ଷ୍ମ ଜୀବାଣୁ ଏବଂ ଜୀବ ପ୍ରକ୍ରିୟର ଔଦଗୀକ ପ୍ରୟୋଗ, ମତ୍ସ୍ୟ ସ୍ୱାସ୍ଥ୍ୟ ପରିଚାଳନା, ସାମାଜିକ ଅର୍ଥନୈତିକ ଓ ଜୀବିକା ନିର୍ବାହ ବିଷୟବସ୍ତୁ ଉପରେ ଆଲୋଚିତ ହେବାକୁଥିବା ଏହି ସମ୍ମିଳନୀ ଦୁଇଦିନ ଧରି ଚାଲିବ । ଭାରତୀୟ କୃଷି ଗବେଷଣା ପରିଷଦର ଉପ ମହାନିର୍ଦ୍ଧେଶକ ଡଃ ଜେ. କେ. ଜେନା ଏହାକୁ ଉଦଘାଟନ କରି ଭାରତୀୟ ଗ୍ରାମୀଣ ଅର୍ଥନୀତି ଓ କୃଷି କ୍ଷେତ୍ରରେ ମାଛ ଚାଷର ପ୍ରଭାବ ସଂପର୍କରେ ଆଲୋଚନା କରିଥିଲେ ।ମାଛ ଉତ୍ପାଦନ କ୍ଷେତ୍ରରେ ଆଭ୍ୟନ୍ତରୀଣ ମତ୍ସ୍ୟ ଚାଷର ଶତକଡ଼ା ୬୫ ଭାଗ ଅବଦାନ ରହିଥିବାରୁ ସମାଜର ସମସ୍ତ ଶ୍ରେଣୀର ଉପଭୋକ୍ତା ମାନଙ୍କୁ ଗୁଣାତ୍ମକ ମାଛ ଉତ୍ପାଦନ କରି ଯୋଗାଇ ଦେବାକୁ ଡଃ ଜେନା ବୈଜ୍ଞାନିକମାନଙ୍କୁ ଆହ୍ୱାନ କରିଥିଲେ । ଦୀର୍ଘ ମିଆଦୀ ମତ୍ସ୍ୟ ଚାଷ ପାଇଁ ଜଳଜୈବ ପରିବେଶ ଓ ସେଥିରେ ବାସକରୁଥିବା ଜୀବଗୁଡ଼ିକର ସ୍ୱାସ୍ଥ୍ୟକୁ ସଠିକ ବଜାୟ ରଖିବା ଉଚିତ ଓ ଗବେଷକ ତଥା ବୈଜ୍ଞାନିକମାନେ ଜଳଜୀବ ପାଳନ କ୍ଷେତ୍ରରେ ହିତାଧିକାରୀଙ୍କ ସୁବିଧା ପାଇଁ ଉପଯୋଗୀ ଉତ୍ପାଦ ଓ ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ କରିବା ପାଇଁ ଡଃ ଜେନା ମତ ପ୍ରକାଶ କରିଥିଲେ ।ଓଡିଶା କୃଷି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି. କେ. ରାଉଳ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଗବେଷଣାର ମୂଲ୍ୟ ଓ ଟିମ୍ ସ୍ପିରିଟ ଉପରେ ଗୁରୁତ୍ୱାରୋପ କରିବା ସହିତ ଆକାଂକ୍ଷିତ ଫଳାଫଳ ହାସଲ ପାଇଁ ବିଭିନ୍ନ ସଂଗଠନର ସହଯୋଗ ଓ ବିକାଶ ମୂଳକ ପଦକ୍ଷେପ ଗୁଡ଼ିକର ଆବଶ୍ୟକତା ସଂପର୍କରେ ସେ କହିଥିଲେ । ସମ୍ମାନୀତ ଅତିଥିଭାବେ ଯୋଗଦେଇ ଭାରତୀୟ କୃଷି ଅନୁସଂଧାନ ପରିଷଦର ସହମହାନିର୍ଦ୍ଧେଶକ ଡଃ ବି. ପି. ମହାନ୍ତି ସିଫା ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ପାଇଁ ସିଫା ଓ ଆୟୋଜକ କମିଟିକୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଦେଶରେ ଅଧିକ ଜଳଜୀବ ପାଳନକାରୀଙ୍କ ପାଖରେ ପହଂଚିବା ପାଇଁ ହିନ୍ଦିଭାଷାରେ ଏକ କୃଷକ ଅନୁକୂଳ ପତ୍ରିକା ପ୍ରକାଶ ପାଇବା ଉଚିତ ।ରଂଗୀନ ମାଛଚାଷ କ୍ଷେତ୍ରରେ ଏକ ମେଗା ଗବେଷଣା ଆରମ୍ଭକରି ଏହାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ କୋଲକାତାସ୍ଥିତ ସିଫି୍ରର ନିର୍ଦ୍ଧେଶକ ତଥା ପିଏଫ୍ଜିଏଫ୍, ମୁମ୍ବାଇର ଅଧ୍ୟକ୍ଷ ଡଃ ବସନ୍ତ କୁମାର ଦାସ ଯୋଗଦାନ କରି ଆଭ୍ୟନ୍ତରୀଣ ମତ୍ସ୍ୟଜୀବିମାନଙ୍କର ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ ।ଜଳବାୟୁ ପରିବର୍ତନ, ଆକ୍ରମଣକାରୀ ପ୍ରଜାତୀ, ସଂଯୋଗୀକରଣ, ଆଦ୍ର ଭୂମି, ଜୈବ ବିବିଧତା, ଜଳ ପ୍ରଦୂଷଣ, ପୁନରୁଦ୍ଧାରଏବଂ ପରିଚାଳନା ଇତ୍ୟାଦି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ ଗୁଡ଼ିକର ଅବତାରଣା କରି ଏକ ଦୀର୍ଘମିଆଦୀ ଜଳଜୀବ ପାଳନ ଭାରତକୁ ଆତ୍ମ ନିର୍ଭର କରିବାରେ ସହାୟକ
କରିବ ବୋଲି ଡଃ ଦାସ କହିଥିଲେ । ପ୍ରାରମ୍ଭରେ ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ କହିଥିଲେ ଯେ ଗତ ତିନି ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି ସିଫା କୃଷକ ମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛି । ସିଫା ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଗବେଷଣା, ଅର୍ଥନୈତିକ ଅଭିବୃଦ୍ଧି ପାଇଁ କାର୍ପଏବଂଚିଙ୍ଗୁଡ଼ିର ପ୍ରଜନନ ଓ ପାଳନ, ଏଫଆରପି ହାଚେରୀ, ମାଛଖାଦ୍ୟ ପ୍ରସ୍ତୁତି, ମତ୍ସ୍ୟରୋଗ ନିରୂପଣ କିଟ୍, ଜିଆଇ ସ୍କାମ୍ପି, ଜୟନ୍ତୀ ରୋହି ଓ ସିଫାବ୍ରୁଡ଼ ର ଉଦଭାବନ କରି ଜଳଜୀବ ପାଳନ କ୍ଷେତ୍ରରେ ସାରା ବିଶ୍ୱରେ ଜନପ୍ରିୟ ହୋଇପାରିଛି ।ଏହା ସହିତ ଡଃ ସ୍ୱାଇଁ କହିଥିଲେ ଯେ, ମତ୍ସ୍ୟ ସେତୁ ଆପ୍ କୁ ବ୍ୟବହାର କରି ଅଗଣିତ ଚାଷୀ ଉପକୃତ ହୋଇପାରୁଛନ୍ତି ।ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏସସିଏସପି, ଏସଟିସି ଓ ଏନଇଏଚ୍ କାର୍ଯ୍ୟକ୍ରମକୁ ସିଫା ସଫଳତାର ସହ ତୁଲାଇ ପାରିଛି ବୋଲି ଡଃ ସ୍ୱାଇଁ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଆସୋସିଏସନ୍ ଅଫ୍ ଆକ୍ୱାକଲଚରିଷ୍ଟର ସଚିବ ଡଃ ଶୈଲେସ ସୌରଭ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର