Thursday , September 29 2022
Home / ଶିକ୍ଷା / ଟାଙ୍ଗୀ ପ୍ରତି ଗଣଶିକ୍ଷା ବିଭାଗର ଚରମ ଅବହେଳା – –

ଟାଙ୍ଗୀ ପ୍ରତି ଗଣଶିକ୍ଷା ବିଭାଗର ଚରମ ଅବହେଳା – –

୭ ସ୍ଥାୟୀ ବିଇଓଙ୍କୁ ନିଯୁକ୍ତି ମିଳିଥିବାବେଳେ ଟାଙ୍ଗୀକୁ ଅଣଦେଖା – –
ନିରାକାରପୁର, ୨୧/୦୯/୨୦୨୨(ଓଡ଼ିଶା ସମାଚାର)- ଦୀର୍ଘ ଦିନ ହେବ ଶିକ୍ଷା ବିଭାଗର ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରତି ଘୋର ଅବହେଳା ଓ ଅଣଦେଖା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଛି । ଏହି କାର୍ଯ୍ୟାଳୟକୁ କେବଳ ଭଗବାନ ଚଳାଇବା ଭଳି ମନେ ହେଉଛି । ଦୀର୍ଘ ଦିନ ହେବ କେବଳ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ବିଇଓ ନିଯୁକ୍ତି କରି ବିଭାଗ ସେମାନଙ୍କ ଦୋଷ ତୁଟାଉଥିବାବେଳେ ଟାଙ୍ଗୀ ପ୍ରତି ଶିକ୍ଷା ବିଭାଗର କାହିଁକି ଏପରି ହୀନ ମନ୍ୟତା ତାହା ସ୍ପଷ୍ଟ ବୁଝା ପଡ଼ୁନାହିଁ । ବର୍ତମାନ ବିଇଓ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ହେମ୍ରମ ମଧ୍ୟ ଟାଙ୍ଗୀ କାର୍ଯ୍ୟାଳୟ ପ୍ରତି ସେତଟା ଗୁରୁତ୍ୱ ଦେଇପାରୁନଥିବା ଅଭିଯୋଗ ହେଉଛି । ଟାଙ୍ଗୀ ବିଇଓ କାର୍ଯ୍ୟାଳୟରେ ଏବେ କର୍ମଚାରୀଙ୍କ ମରୁଡ଼ି ପରିସ୍ଥିତ ସୃଷ୍ଟି ହୋଇଛି । ଦେଢବର୍ଷ ତଳେ ବିଇଓ ସୁରେନ୍ଦ୍ର ନାଥ ମଙ୍ଗରାଜ ଅବସର ନେବା ପରେ ମଧୁସୂଦନ ମଲ୍ଲିକ ଯୋଗଦାନ ଦେଇ କିଛି ମାସ ପରେ ପଦୋନ୍ନତି ଲାଭ କରି ଏଠାରୁ ଅନ୍ୟତ୍ରକୁ ଚାଲିଯାଇଥିଲେ । ସେହିଦିନଠାରୁ ବିଇଓ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି । କେବଳ ଅତିରିକ୍ତ ଭାବେ ଅନ୍ୟ ବିଇଓଙ୍କୁ ଏଠାରେ ଦାୟିତ୍ୱ ଦିଆଯାଇ କାମଚଳା ବ୍ୟବସ୍ଥା ସୃଷ୍ଟି କରାଯାଉଛି । ସେହିପରି ଟାଙ୍ଗୀ ବିଇଓ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ପଦବୀ, ଆକାଉନ୍ଟ ଅଧିକାରୀ, ଏମଆଇଏସ ପ୍ଲାନିଙ୍ଗ କୋଅଡ଼ିନେଟର , ଗୋଟିଏ ଏବିଓ ପଦବୀ ଖାଲି ପଡ଼ିଥିବାରୁ କାର୍ଯ୍ୟରେ ଘୋର ଅବହେଳା ଓ ବିଳମ୍ବ ହେଉଥିବା ଦେଖିବାକୁ ମିଳଛି । ଯେଉଁ ଦୁଇଜଣ କିରାଣୀ କାମ କରୁଛନ୍ତି ସେଥିରୁ ଜଣେ ଗୋଟିଏ ଉଚ୍ଚବିଦ୍ୟାଳୟରୁ ୩ ଦିନ ଆସୁଥିବାର ଲକ୍ଷ୍ୟ କରାଯାଉଛି । ବର୍ତମାନ ବିଭିନ୍ନ ଶିକ୍ଷକମାନଙ୍କ ଅଭିଯୋଗ ଅନୁଯାୟୀ ବିଭିନ୍ନ କାର୍ଯ୍ୟ ପାଇଁ ହଇରାଣ ହରକତ ହେବା ସହ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ୨୦୧୩ ମସିହାରୁ ୮ବର୍ଷରେ ୯ଜଣ ବିଇଓ ଯୋଗଦାନ କରିଥିବାବେଳେ ସ୍ଥାୟୀଭାବେ ୩ଜଣ ବିଇଓ ଟାଙ୍ଗୀ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିବାବେଳେ ଅନ୍ୟ ୬ଜଣ ଅତିରିକ୍ତ ଦାୟିତ୍ୱ ତୁଲାଇ ଥିବାର ଦେଖାଯାଇଛି ।ଏହି ଭଳି ପରିସ୍ଥିତରେ ଶିକ୍ଷକ ଓ କର୍ମଚାରୀମାନଙ୍କର ଜିପିଏଫ ଉଠାଣ, ପେନସନ, ଛୁଟି ଓ ସର୍ଭିସବୁକ କାର୍ଯ୍ୟରେ ଘୋର ଅବହେଳା ଦେଖା ଦେଇଛି । ତେଣୁ ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ପଦକ୍ଷେପ ନେଇ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀମାନଙ୍କ ଦରମା ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟକୁ ସଂପାଦନା ପାଇଁ ବ୍ୟବସ୍ଥା କରାଇବାକୁ ଦାବି ହେଉଛି । ଏ ନେଇ ବିଭିନ୍ନ ସମସ୍ୟାର ସମାଧାନ ଓ ସ୍ଥାୟୀ ବିଇଓ ନିଯୁକ୍ତି ଦାବିରେ ଆସନ୍ତା ୩୦ ତାରିଖରେ ମିଳିତ ଶିକ୍ଷକ ମଂଚ ତରଫରୁ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published.