Thursday , June 8 2023
Breaking News
Home / ବିଶେଷ / ନୂତନ ରାଜ୍ୟ ଜଳ ନୀତି ସମ୍ପର୍କିତ ବୈଠକ – –

ନୂତନ ରାଜ୍ୟ ଜଳ ନୀତି ସମ୍ପର୍କିତ ବୈଠକ – –

ଜଳର ବିବିଧ ଆବଶ୍ୟକତା ପୂରଣରେ ସହାୟକ ହେବ ନୂତନ ନୀତି

ଭୁବନେଶ୍ୱର, ୧୯/୦୯/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ ସମ୍ପର୍କିତ ଆନ୍ତଃବିଭାଗୀୟ ବୈଠକ ଶନିବାର ରାଜ୍ୟ ଜଳ ସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଆଗାମୀ ଦିନରେ ପ୍ରଣୟନ ତଥା କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ନୂତନ ରାଜ୍ୟ ଜଳ ନୀତି ସମ୍ପର୍କରେ ଅବଗତ ହୋଇଥିଲେ। କୃଷି, ଶିଳ୍ପ ତଥା ଆନୁଷଙ୍ଗିକ କ୍ଷେତ୍ରରେ କୃଷକ ତଥା ଜନସାଧାରଣଙ୍କ ପାଇଁ ଜଳର ଆବଶ୍ୟକତା ପୂରଣ ଦିଗରେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟରଖି କାର୍ଯ୍ୟ କରୁଛନ୍ତି, ପ୍ରସ୍ତାବିତ ନୂତନ ଜଳନୀତି ଏ ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ।

ବୈଠକରେନୂତନ ରାଜ୍ୟ ଜଳ ନୀତିରେ ବିଭାଗରେଥିବା ବିଭିନ୍ନ ଉପ ବିଭାଗର କାର୍ଯ୍ୟ ନୀତିରେ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା। ଜଳସମ୍ପଦ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ମଧ୍ୟମ ,ବୃହତ୍ ଓ କ୍ଷୁଦ୍ର ଜଳସେଚନ, ମେଗା ଲିଫ୍ଟ, ଉଠା ଜଳସେଚନ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ଜଳସେଚନ କରାଯାଉଥିବା ବେଳେ ରାଜ୍ୟ ଜଳନୀତିରେ ଆବଶ୍ୟକ ପରିବର୍ତ୍ତନ କରାଗଲେ ବ୍ୟବସ୍ଥାରେ ଅଧିକ ଉନ୍ନତିକରଣ ହେବ ବୋଲି ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ମୁଖ୍ୟଯନ୍ତ୍ରୀମାନେ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇଥିଲେ। ନୂତନ ଜଳନୀତିରେ ଭୂତଳ ଜଳ ସଂରକ୍ଷଣ, ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ଓ ୱାଲମୀ ଜରିଆରେ କାର୍ଯ୍ୟକ୍ରମ ସମ୍ପର୍କିତ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ବୈଠକରେ ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ ନୂତନ ଜଳନୀତିରେ ଆବଶ୍ୟକ କଣ କଣ ପରିବର୍ତ୍ତନ କରାଗଲେ ଜନସାଧାରଣ ଅଧିକରୁ ଅଧିକ ବ୍ୟବହାର ଉପଯୋଗୀ ଜଳ ପାଇପାରିବେ, ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। କେତେକ ସ୍ଥଳେ ବିଭାଗୀୟ ଅଧିକାରୀ ତଥା ମୁଖ୍ୟ ଯନ୍ତ୍ରୀମାନଙ୍କୁ ପ୍ରସ୍ତାବିତ ନୂତନ ଜଳନୀତିକୁ ପୁନଃ ଅବଲୋକନ କରିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଥିଲେ। ସମ୍ପ୍ରତି ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେରଖି ଜଳ ପରିଚାଳନା, ଜଳର ଉପଯୁକ୍ତ ବ୍ୟବହାର, ଜଳ ଉପରେ ନିର୍ଭର କରୁଥିବା ସହଭାଗୀ ଅନୁଷ୍ଠାନ ଗୁଡିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳନୀତି-୨୦୦୭ରେ ଆବଶ୍ୟକ ପରିବର୍ତ୍ତନ ଅଣାଯାଇ ନୂତନ ଜଳନୀତି ପ୍ରଣୟନ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏ ସମ୍ପର୍କରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ପଞ୍ଚାୟତିରାଜ ,ପାନୀୟ ଜଳ ଓ ଜଳବାୟୁ ପରିବର୍ତ୍ତନ, ଗୃହ ଓ ନଗର ଉନ୍ନୟନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ସହ ଅନ୍ୟ ସହଯୋଗୀ ସରକାରୀ ବିଭାଗ ଓ ବେସରକାରୀ ଅନୁଷ୍ଠାନଗୁଡିକ ସହିତ ଆଲୋଚନା ଜାରି ରହିଛି। ବୈଠକରେ ବିଭାଗୀୟ ସ୍ୱତନ୍ତ୍ରଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚଯନ୍ତ୍ରୀ ଇଂ.ଭକ୍ତ ରଞ୍ଜନ ମହାନ୍ତିଙ୍କ ସମେତ ବିଭାଗର ବିଭିନ୍ନ ଶାଖାର ମୁଖ୍ୟ ଯନ୍ତ୍ରୀ, ନିର୍ଦ୍ଦେଶକ ତଥା ଉଚ୍ଚପଦାଧିକାରୀମାନେ ଯୋଗଦେଇଥିଲେ।

Leave a Reply

Your email address will not be published.