Saturday , June 10 2023
Breaking News
Home / ବିଶେଷ / କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, ୧୯/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ପୌରସଂସ୍ଥା ଟାଉନହଲ ପରିସରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜୟନ୍ତ ମହାପାତ୍ର, ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ନଗରପାଳ ସରିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ ନିରଞ୍ଜନ ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ଶାନ୍ତି ଶୃଙ୍ଖଳାର ସହ ଗଜଲକ୍ଷ୍ମୀ ପୂଜାକୁ ପାଳନ କରିବା ନିମନ୍ତେ ଉପସ୍ଥିତ ବିଭିନ୍ନ ପୂଜା କମିଟିର ସଭାପତି, ଉପସଭାପତି ଏବଂ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ପୂଜା କମିଟି ଗୁଡିକ ଚଳିତ ବର୍ଷ ଉପଜିଲ୍ଲାପାଳଙ୍କ ଠାରୁ ଆସନ୍ତା ଅକ୍ଟୋବରମାସ ୯ତାରିଖ ସୁଦ୍ଧା ଅନୁମତି ପତ୍ର ସଂଗ୍ରହ କରିବାକୁ ସ୍ଥିର କରାଗଲା । ପୂଜା ସମୟରେ ପୂର୍ବ ବର୍ଷ ଭଳି ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ମୃତୟନ କରାଯିବ । ପୂଜା ପୂର୍ବରୁ ରାସ୍ତା ମରାମତି କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ପୂଜା କମିଟିର କର୍ମକର୍ତାମାନଙ୍କ ଅନୁରୋଧ କ୍ରମେ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ପୂଜା ସମୟରେ ଜଳ ଯୋଗାଣ ଓ ନିରବଛିନ୍ନ ବିଦୁ୍ୟତ ଯୋଗାଣ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଗତବର୍ଷ ଭଳି ଚଳିତ ବର୍ଷ ପୌରପାଳିକା ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ୪ଟି ଅସ୍ଥାୟୀ ଘାଟକୁ ବିସର୍ଜ୍ଜନ ନିମନ୍ତେ ବ୍ୟବହାର କରିବାକୁ ପୌର ନିର୍ବାହୀ ଅଧିକାରୀ ଅନୁରୋଧ କରିଥିଲେ । ମେଢ ପାଇଁ ଆବଶ୍ୟକ ଅନୁମତି ପତ୍ର ନିମନ୍ତେ ଶୀଘ୍ର ଆବେଦନ କରିବାକୁ ପୂଜା କମିଟିର କର୍ମକର୍ତାମାନଙ୍କୁ ଉପଜିଲ୍ଲାପାଳ ଅନୁରୋଧ କରିଥିଲେ । ଦୀର୍ଘ ୩ବର୍ଷ ପରେ କୋଭିଡ କଟକଣା ବିହୀନ ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ବେଆଇନ ଚାନ୍ଦା ଆଦାୟ, ଡ୍ରେନ ସଫେଇ, ବ୍ଲିଚିଂ ପାଉଡର ପକାଇବା, ବାସିଖାଦ୍ୟ ବିକ୍ରୀ ଉପରେ ଚଢାଉ କରିବା, ଆମ୍ବୁଲାନ୍ସ ସେବା ଯୋଗାଇବା, ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । କେଶପୁର ବଜାର, ପୁରୁଣା ବସଷ୍ଟାଣ୍ଡ ଓ ନୂଆ ବସଷ୍ଟାଣ୍ଡର ତିନୋଟି ସମନ୍ୱୟ କମିଟିରେ ନୂତନ ସଦସ୍ୟ ସଂପୃକ୍ତ କରାଇ ତା,ର ତାଲିକା ମେଢର କର୍ମକର୍ତାମାନେ ଜିଲ୍ଲା ପ୍ରଶାସନକୁ ଜଣାଇବା ପାଇଁ ୨ଦିନ ସମୟ ଦେବାକୁ ଅନୁରୋଧ ରଖିଥିଲେ । ପୂଜା ସମୟରେ କେନ୍ଦ୍ରାପଡା ପୌରପାଳିକା ପକ୍ଷରୁ ୩ଟି ଡିଜେ ସେଟର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ପୂଜା ଓ ଭଷାଣି ସମୟରେ କୌଣସି ଅଶ୍ଳୀଳ ଗୀତ ବା ନାଚକୁ ଅନୁମତି ପ୍ରଦାନ କରାଯିବ ନାହିଁ । ଶେଷରେ ଉପଜିଲ୍ଲାପାଳ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ରାସ୍ତା ଓ ଗୃହ ନିର୍ମାଣ, ଜନସ୍ୱାସ୍ଥ୍ୟ, ଟିପିସିଓଡିଏଲ, ଜଳସେଚନ, ଅଗ୍ନିଶମ ବିଭାଗର ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ବୁଦ୍ଧିଜିବୀ, ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଓ କର୍ମକର୍ତା, ପୌରପରିଷଦର କାଉନସିଲର ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.