Thursday , September 29 2022
Home / ବିଶେଷ / ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ

କଟକ, ୧୮/୦୯/୨୦୨୨ (ଓଡ଼ିଶା ସମାଚାର)- କେଉଁଠି ନା କେଉଁଠି ଦେଶରେ ଆଇନ ସହାୟତା କାର୍ଯ୍ୟ ସାମାନ୍ୟ ଅବହେଳିତ ହେଉଛି। ଏହି କାମ ପାଇଁ ସମୟ ଓ ଶକ୍ତି ଉତ୍ସର୍ଗ କରିବାକୁ ସୁପ୍ରିମକୋର୍ଟ  ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ଆଇନ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନଏଲୟୁଓ)ର ନବମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ରଖି ଜଷ୍ଟିସ ଲଳିତ ଏହା ପ୍ରକାଶ କରିଛନ୍ତି। ଜଷ୍ଟିସ ଲଳିତ କହିଥିଲେ, ସେ ଗତ ଦେଢ ବର୍ଷହେବ ଲିଗାଲ ଏଡ୍ (ଆଇନ ସହାୟତା ସମ୍ବନ୍ଧୀୟ କାର୍ଯ୍ୟ) ସହ ଜଡିତ ରହିଛନ୍ତି। ଏହି କାର୍ଯ୍ୟ କେତେକାଂଶରେ ଅବହେଳିତ ହେଉଥିବା ସେ ଉପଲବ୍ଧି କରିଛନ୍ତି। ଆଇନ ବୃତ୍ତିରେ ଥିବା ବ୍ୟକ୍ତିମାନେ ସମାଜରେ ଆଗଧାଡିର ଧାବକ। ଏହି ବୃତ୍ତିପାଇଁ ସମ୍ପୂର୍ଣ୍ଣ ଆବେଗ ବା ରୁଚି ରହିବା ଆବଶ୍ୟକ। ଏଥିସହ ସାଧାରଣ ଲୋକଙ୍କ ପାଇଁ ଅନୁକମ୍ପା ମଧ୍ୟ ପ୍ରଦର୍ଶିତ ହେବା ଉଚିତ। ଯେଉଁମାନଙ୍କ ନ୍ୟାୟିକ ଚିନ୍ତାଧାରା ରହିଥାଏ ସେମାନେ ଅନ୍ୟାୟ ବିରୁଧରେ ସ୍ୱର ଉତ୍ତୋଳନ କରିଥାନ୍ତି ଓ ସମାଜରେ ଆକର୍ଷଣର କେନ୍ଦ୍ର ପାଲଟିଥାନ୍ତି। ଏପରିକି ଦେଶର ଅନେକ ସ୍ୱାଧୀନତା ସଂଗ୍ରାମୀ ଆଇନ ପେସାରୁ ଆସିଥିବା ନେଇ ଜଷ୍ଟିସ ଲଳିତ ଛାତ୍ରଛାତ୍ରୀଙ୍କୁ ଉଦାହରଣ ଦେଇଥିଲେ। ବିଚାର ବିଭାଗୀୟ ସେବା ହେଉଛି ସବୁଠୁ ସନ୍ତୋଷଜନକ ଓ ପ୍ରତିଜ୍ଞାବଦ୍ଧ ସେବା। ଏହି ସମସ୍ତ ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କ ଯୋଗଦାନକୁ ସମାଜ ଅପେକ୍ଷା କରିଛି। ଏଣୁ ନିଜ ବୃତ୍ତି ପ୍ରତି ଆବେଗ ଓ ସାଧାରଣ ଲୋକଙ୍କ ପାଇଁ ଅନୁକମ୍ପାବ୍ରତୀ ହେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ବିଚାରପତି ଆହ୍ୱାନ ଦେଇଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ତାଙ୍କ ଉଦବୋଧନରେ କହିଥିଲେ, କେବଳ ଆଇନ ଅଧ୍ୟୟନ କରିଲେ ହେବ ନାହିଁ; ବରଂ ଏହା ସମ୍ପର୍କରେ ଅଧିକ ଚିନ୍ତା କରିବାକୁ ହେବ। ଆଇନ ଦ୍ୱାରା ହିଁ ସମାଜରେ ସ୍ଥିରତା ବଜାୟ ରହେ। ଆଜିକାଲି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପସନ୍ଦ ରହୁଛି। ଛାତ୍ରଛାତ୍ରୀଙ୍କ ପସନ୍ଦ ନିଜସ୍ୱ ହେବା ଉଚିତ। ଅନ୍ୟ କାହାର ପସନ୍ଦକୁ ଗ୍ରହଣ କରିବା ଉଚିତ ନୁହେଁ। ଜଣେ ଯୁବ ଆଇନଜୀବୀ ସମାଜର ଆବଶ୍ୟକତାକୁ ପୂରଣ କରିବା ସହ ଭବିଷ୍ୟତରେ ସମାଜ ପାଇଁ ରୋଲ ମଡେଲ ହୋଇପାରିବେ ବୋଲି ସେ ମତ ଦେଇଥିଲେ।

ଉତ୍ସବରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ.ଆର ଶାହା ଉଦବୋଧନ ଦେଇ କହିଥିଲେ ଯେ ଜୀବନରେ କଣ୍ଟକିତ ପଥର ସମ୍ମୁଖୀନ ନହେଲେ ଜଣେ ସଫଳ ହୋଇପାରିବ ନାହିଁ। ବିଫଳତାକୁ ସଫଳତାରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀମାନେ ଉଦ୍ୟମ କରିବା ଆବଶ୍ୟକ। ଜଣେ ଭଲ ଆଇନଜୀବୀ ହେବାକୁ ହେଲେ ୪ଟି ପି ଯଥା:ପ୍ରିପେୟାର(ପ୍ରସ୍ତୁତି), ପରଫେକ୍ସନ (ପରିପୂର୍ଣ୍ଣତା), ପ୍ରେଜେଣ୍ଟେସନ (ଉପସ୍ଥାପନ) ଓ ପୋଲାଇଟନେସ (ଶିଷ୍ଟାଚାର)କୁ ଅନୁସରଣ କରିବାକୁ ଜଷ୍ଟିସ ଶାହା ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଜଷ୍ଟିସ ଏସ. ମୁରଲୀଧର ସମାବର୍ତ୍ତନ ଉତ୍ସବର ଶୁଭାରମ୍ଭ କରିଥିଲେ। କୁଳପତି ପ୍ରଫେସର ବେଦ୍ କୁମାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ବିଶ୍ୱବିଦ୍ୟାଳୟର ୨୦୨୧ ଶିକ୍ଷାବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଦେଇଥିଲେ।

ଏହି ଅବସରରେ୨୨୧ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ତନ୍ମଧ୍ୟରୁ ୪ଜଣ ପିଏଡିରେ ଡକ୍ଟରେଟ ଡିଗ୍ରୀ ପାଇଛନ୍ତି। ଚଳିତ ବର୍ଷ  ୨୨ଜଣ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ସ୍ୱର୍ଣ୍ଣପଦକ ମଧ୍ୟରୁ ୬ଟି ବିଶ୍ୱବିଦ୍ୟାଳୟ ତରଫରୁ ରଖାଯାଇଥିବାବେଳେ ଅବଶିଷ୍ଟ ୧୬ଟିକୁ ୧୬ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ୨୦୨୩ ଶିକ୍ଷାବର୍ଷକୁ ଚାଇଲ୍ଡ ରାଇଟସ୍ , ଚାଇଲ୍ଡ ୱେଲଫେୟାର ଏବଂ ଚାଇଲ୍ଡ ୱେଲବିଂର ବର୍ଷ ଭାବେ ପାଳନ କରାଯିବ। ଏହି ଏକ ବର୍ଷକୁ ସେହି ଶିଶୁମାନଙ୍କ ନିମନ୍ତେ ଉତ୍ସର୍ଗ କରାଯିବ ଯେଉଁମାନେ କେବଳ ଆମ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହନ୍ତି ବରଂ ଆମ ଦେଶର ଭବିଷ୍ୟତ ନିର୍ଣ୍ଣୟ କରିବାରେ ଶକ୍ତି  ଓ ସାମର୍ଥ୍ୟ ରଖିଛନ୍ତି ବୋଲି କୁଳପତି ପ୍ରଫେସର ବେଦ କୁମାରୀ ଘୋଷଣା କରିଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଯୋଗେଶ ପ୍ରତାପ ସିଂଙ୍କ ସମେତ ଓଡ଼ିଶା ହାଇକୋର୍ଟର ବହୁ ବିଚାରପତି, ବରିଷ୍ଠ ଆଇନଜୀବୀ ଏବଂ ଅଧିକାରୀମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ।

Leave a Reply

Your email address will not be published.